କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ସଞ୍ଜୟକୁ ଆଜୀବନ ସଜା, ଜାଣନ୍ତୁ ଦୋଷୀ ଏବଂ ପୀଡିତଙ୍କ ପରିବାର ପାଖରେ କ'ଣ ରହିଛି ଆଇନଗତ ବିକଳ୍ପ

Published By : Prameya-News7 Bureau | January 20, 2025 IST

କଟକ: ବହୁ ଚର୍ଚ୍ଚିତ ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଦୋଷୀ ସଞ୍ଜୟ ରାୟକୁ ଦଣ୍ଡ ଶୁଣାଇଛନ୍ତି ସିଆଲଦା ସେସନ୍ କୋର୍ଟ । କୋର୍ଟ ଶନିବାର ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ସୋମବାର ଦୋଷୀ ସଞ୍ଜୟ ରାୟକୁ ଆଜୀବନ ସଜା ଶୁଣାଇଛନ୍ତି । ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବ ସଞ୍ଜୟ । ତେବେ କୋର୍ଟଙ୍କ ରାୟ ପରେ ଅନେକ ପ୍ରତିକ୍ରିୟା ସାମନାକୁ ଆସିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କୋର୍ଟଙ୍କ ରାୟରେ ସନ୍ତୁଷ୍ଟ ନଥିବା କହିଛନ୍ତି ।

ତେବେ ଏହା ଉପରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ କହିଛନ୍ତି, ଆରଜି କର ମେଡିକାଲ ଘଟଣାର ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିହେବ । ଏପରିକି ଆଜୀବନ ସଜାକୁ ଫାଶୀ ଦଣ୍ଡରେ ପରିବର୍ତ୍ତିତ କରିବା ଲାଗି ମଧ୍ୟ ସୁଯୋଗ ରହିଛି । ସେଥିପାଇଁ ପୀଡ଼ିତାଙ୍କ ପରିବାର ତରଫରୁ କୋଲକାତା ହାଇକୋର୍ଟରେ ଆବେଦନ କରିବାକୁ ହେବ । ସେପଟେ ଦୋଷୀ ସାବ୍ୟସ୍ତ ହୋଇଥିବା ସଞ୍ଜୟ ରାୟଙ୍କ ପାଇଁ ମଧ୍ୟ ନ୍ୟାୟପାଳିକାର ଦ୍ୱାର ଖୋଲା ରହିଛି ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ । ଏହି ଚର୍ଚ୍ଚିତ ମାମଲା ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ଯାଇପାରେ ଏବଂ ଚୂଡାନ୍ତ ରାୟ ଆସିବାକୁ ହୁଏତ ୭ ବର୍ଷ ଭଳି ସମୟ ଲାଗିପାରେ ବୋଲି ସେ କହିଛନ୍ତି ।


ଉଲ୍ଲେଖଯୋଗ୍ୟ, ସିଆଲଦା କୋର୍ଟର ବିଚାରପତି ଜାନୁଆରୀ ୧୮ତାରିଖରେ ସ୍ପଷ୍ଟ କରିସାରିଥିଲେ ଯେ ଏହି ମାମଲାରେ ସର୍ବାଧିକ ଦଣ୍ଡ "ମୃତ୍ୟୁଦଣ୍ଡ" ଓ ସର୍ବନିମ୍ନ ଦଣ୍ଡ ଆଜୀବନ କାରାଦଣ୍ଡ ହେବ । ଏହାପରେ ମୃତ ଡାକ୍ତରଙ୍କ ପରିବାର ସହିତ ସିବିଆଇ ମଧ୍ୟ ମୃତ୍ୟୁଦଣ୍ଡ ଦାବି କରିଥିଲା । କିନ୍ତୁ, ମୃତ୍ୟୁଦଣ୍ଡ ଦେବା ପରିବର୍ତ୍ତେ, କୋର୍ଟ ଆଜୀବନ କାରାଦଣ୍ଡ ଦେଇଛନ୍ତି । କୋର୍ଟ ଏହି ମାମଲାକୁ ବିରଳ ବୋଲି ବିବେଚନା କରୁନଥିବାରୁ ମୃତ୍ୟୁଦଣ୍ଡ ଦେଇନଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ୨୦୨୪ ଅଗଷ୍ଟ ୯ ତାରିଖ ସକାଳେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରର ସେମିନାର ହଲରୁ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ରାତି ଡ୍ୟୁଟି ସମୟରେ ବିଶ୍ରାମ କରୁଥିବା ବେଳେ ଡାକ୍ତରଙ୍କ ସହ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.