ଭୁବନେଶ୍ଵର: ଧାନ ଓ ଚାଉଳ ରଖିବାକୁ ନେଇ ଗୋଦାମ ଅଭାବ । ଯାହାକୁ ନେଇ ମୁଖ୍ୟଶାସନ ସଚିବ ଏଫସିଆଇକୁ ଲେଖିଛନ୍ତି ଚିଠି । ଓଡ଼ିଶା ଗୋଦାମରେ ୩୦ ହଜାର କୁଇଣ୍ଟାଲ ଗହମ ମହଜୁଦ ରଖିଛି ଏଫସିଆଇ । ଯାହାକୁ ନେଇ ସମସ୍ୟା ଉପୁଜିଛି । ଏବେ ଖରିଫ ଧାନସଂଗ୍ରହ ଆରମ୍ଭ ହୋଇଯାଇଥିବା ବେଳେ ଗହମ ଖାଲି ନହେଲେ ପିଡିଏସ ଚାଉଳ ରଖିବା ସମସ୍ୟା ହେବ। ଏପଟେ ବିରୋଧୀ କହିଛନ୍ତି ସରକାର ଗହମ ଦେବାକୁ କହିଥିଲେ ତେଣୁ ଏହି ଗହମ କଣ ପାଇଁ ରଖିଛନ୍ତି ସ୍ପଷ୍ଟ କରନ୍ତୁ। ଏପଟେ ସମବାୟ ମନ୍ତ୍ରୀ କହିଛନ୍ତି ଗହମ ବଣ୍ଟାଯିବ ଏବଂ ଚାଉଳ ବିକାଯିବ।
ଓଡ଼ିଶା ଗୋଦାମରେ ମହଜୁଦ ଥିବା ଗହମ ଫେରାଇ ନେବାକୁ ଏଫସିଆଇକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି । ରାଜ୍ୟ ଯୋଗାଣ ନିଗମର ଗୋଦାମ ଗୃହରେ ପ୍ରାୟ ୩୦ ହଜାର କ୍ବିଣ୍ଟାଲ ଗହମ ଆବଣ୍ଟନ ନହୋଇ ପଡି ରହିଛି । ଏହି ଗହମକୁ ଏଫସିଆଇ ତୁରନ୍ତ ଖାଲି କରୁ ବୋଲି ମୁଖ୍ୟ ଶାସନ ସଚିବ ଏଫସିଆଇକୁ ଅନୁରୋଧ କରିଛନ୍ତି। ଯେହେତୁ ଏବେ ଓଡିଶାରେ ଧାନ ସଂଗ୍ରହ ଆରମ୍ଭ ହୋଇସାରିଛି ତେଣୁ ରାଜ୍ୟ ଯୋଗାଣ ବିଭାଗ ଧାନ ଓ ଚାଉଳ ରଖିବା ପାଇଁ ଆଗକୁ ଅସୁବିଧା ହେବ ବୋଲି ଜଣା ପଡୁଛି ।
ତା ପୂର୍ବରୁ ରାଜ୍ୟ ସରକାର ଏଫସିଆଇର ୩୦ ହଜାର କ୍ବିଣ୍ଟାଲ ଗହମକୁ ଖାଲି କରିବାକୁ ଚାହୁଁଛନ୍ତି । ଏପଟେ ଯେହେତୁ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ଗହମ ଆବଣ୍ଟନ କରୁ ନାହାନ୍ତି ସେଥିପାଇଁ ଗହମ ଗୋଦାମରେ ପଡି ରହିଛି। ସ୍ଥିତି ଏପରି ଯେ ଆଉ କିଛି ଦିନ ଗହମ ଯଦି ଏଭଳି ପଡ଼ିରୁହେ ତେବେ ପୋକ ଲାଗିଯିବା ସମ୍ଭାବନା ରହିଛି । ଏପଟେ ସମବାୟ ମନ୍ତ୍ରୀ କହିଛନ୍ତି କିଛି ଅସୁବିଧା ହେବ ନାହିଁ । ଗହମ ଲୋକଙ୍କୁ ବଣ୍ଟାଯିବ, ବଳକା ଚାଉଳ ବଜରରେ ବିକିବା ପାଇଁ ସରକାର ନିର୍ଦ୍ଦଶ ଦେଇଛନ୍ତି ।
Also read; ଭାଷଣରେ ସୀମିତ ରାଜ୍ୟ ସରକାରଙ୍କ ଧାନ କିଣା, ମଣ୍ଡିରେ ଚାଲିଛି ଗଳାବାଟ, ମିଲର ସର୍ବେସର୍ବା
ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଯୋଜନାରେ ପୂର୍ବରୁ ଚାଉଳ ସହିତ ଗହମ ଦିଆଯାଉଥିଲା । କିନ୍ତୁ ହିତାଧିକାରୀ ମାନେ ଗହମ ବଦଳରେ ଚାଉଳ ନେବାକୁ ଆଗ୍ରହ ପ୍ରକାଶ କରିବାରୁ ପୂର୍ବ ସରକାର କେବଳ ଚାଉଳ ଦେଉଥିଲେ । ସେପ୍ଟେମ୍ବରରେ କେନ୍ଦ୍ର ସରକାର ଓଡ଼ିଶାକୁ ଗହମ ଯୋଗାଇଥିଲେ। ଉତ୍ତର ପ୍ରଦେଶ ଓ ପଞ୍ଜାବରେ ଗହମର ଅଧିକ ଉତ୍ପାଦନ ହେବାରୁ ବଳକା ଗହମର ଚାପ କମାଇବାକୁ ଓଡ଼ିଶାକୁ ଯୋଗାଇ ଦେଇଥିଲା କେନ୍ଦ୍ର । ତେଣୁ ପ୍ରଥମେ ବିଜେପି ସରକାର କହିଥିଲେ ଚାଉଳ ସହିତ ଗହମ ଦିଆଯିବ । ଯେହେତୁ ଓଡିଶାରେ ଚାଉଳ ଉତ୍ପାଦନ ଅଧିକ ହେଉଛି ତାକୁ ଗଛିତ କରିବା ପାଇଁ ଅସୁବିଧା ହେବ। ଏବେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଥିବାରୁ ଚାଷୀଙ୍କ ଧାନ ଓ ଚାଉଳ ସଂଗ୍ରହ ପାଇଁ ଗୋଦାମ ଘରର ଅଭାବ ଦେଖାଦେବ ବୋଲି ଆଶଙ୍କା କରାଯାଉଛି । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।
ଏବେ ପ୍ରଶ୍ନ ଉଠୁଛି ୩୦ ହଜାର କ୍ବିଣ୍ଟାଲ ଗହମ ଏଫସିଆଇ ଓଡ଼ିଶାରୁ ଫରାଇ ନେବ ନା ନାହିଁ ? ଯଦି ନେବ ନାହିଁ ତାହାଲେ ଏହା କଣ ହିତାଧିକାରୀଙ୍କୁ ବଣ୍ଟାଯିବ କି ? ଯଦି ଏହି ଗମହ ପୋକ ଖାଇଲା ଏହାର କ୍ଷତି କିଏ ଭରଣା କରିବ ? ଯାହାକୁ ନେଇ ନାନା ପ୍ରଶ୍ନ ଉଠିଛି।