ଭୁବନେଶ୍ବର ୧୦।୧୨: ଖଣ୍ଡଗିରି ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ ଦେବଯାନୀ କର ଗିରଫ । ପ୍ଲଟ୍ ପଞ୍ଜିକରଣ କରାଇଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ । ଅଫିସ ତଲାସି ବେଳେ ନଗଦ ୧୫ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।
ସୂଚନାଯୋଗ୍ୟ ଯେ, ବିଡିଏର କଟକଣା ଯୋଗୁଁ ଦୀର୍ଘ ମାସ ଧରି ସବ୍-ରେଜିଷ୍ଟ୍ରାର ଅଫିସ୍ରେ ସବ୍ ପ୍ଲଟ୍ ପଞ୍ଜିକରଣ ହୋଇପାରୁନି । କିନ୍ତୁ ବିଭିନ୍ନ ସବ୍ ରେଜିଷ୍ଟ୍ରାର ଅଫିସ୍ର କିଛି ଅସାଧୁ ଅଧିକାରୀ ଲୁଚାଛପାରେ ସବ୍-ପ୍ଲଟ୍ ପଞ୍ଜିକରଣ କରୁଛନ୍ତି । କିଛି ଦିନ ତଳେ ଜଣେ ବ୍ୟକ୍ତି ପଞ୍ଜିକରଣ ପାଇଁ ଖଣ୍ଡଗିରି ସବ୍ ରେଜିଷ୍ଟ୍ରାର ଅଫିସକୁ ଯାଇଥିଲେ । ଦେବଯାନୀ ତାଙ୍କୁ ଏନେଇ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆବେଦନକାରୀ ଏ ସଂପର୍କରେ ଭିଜିଲାନ୍ସକୁ ଜଣାଇଥିଲେ । ସୋମବାର ଦିନ ଦେବଯାନୀ ଅଫିସ୍ରେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ ।
ପରେ ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ, ପୁରୁଣା ବିଏମ୍ସି ଅଫିସରେ ଥିବା ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ଓ ସମ୍ପର୍କୀୟଙ୍କ ଘରେ ଚଢ଼ଉ କରାଯାଇଥିଲା । ତାଙ୍କ ଅଫିସର କ୍ୟାସ୍ ଡ୍ର’ରୁ ନଗଦ ୧୫ ଲକ୍ଷ ୮ ହଜାର ଟଙ୍କା ମିଳିଥିଲା । ଦେବଯାନୀଙ୍କୁ ଭିଜିଲାନ୍ସ ଗିରଫ କରିଥିବା ବେଳେ ମଙ୍ଗଳବାର ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ରହିଛି ।
You Can Read:
୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତକୁ ବାନ୍ଧିଲା ମଞ୍ଚେଶ୍ବର ଥାନା ପୋଲିସ