ଭକ୍ତଙ୍କ ପାଇଁ ପଡିପାରୁନି ପହୁଡ, ଦୁଇ ଦିନ ହେଲାଣି ଅନିଦ୍ରା କାଳିଆସାଆନ୍ତ

Published By : Prameya-News7 Bureau | November 15, 2024 IST

ପୁରୀ,୧୫/୧୧ : ଦୁଇ ଦିନ ହେଲାଣି ମହାପ୍ରଭୁ ଅନିଦ୍ରା । ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଓ ସେମାନଙ୍କ ଅପେକ୍ଷା ଜନିତ କଷ୍ଟର ସ୍ୱର ପ୍ରଶାସନିକ ବ୍ୟବସ୍ଥାକୁ ସମାଲୋଚନାକୁ ଆଣୁଛି । ଏହାଛଡ଼ା ଦୀର୍ଘ ସମୟ ଅପେକ୍ଷା ପରେ ଠାକୁର ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ଭିତରେ ପ୍ରତିଯୋଗିତା ଦଳାଚକଟା ପରିସ୍ଥିତି ସୃଷ୍ଟି କରିଦେବାର ଆଶଙ୍କା ସୃଷ୍ଟି କରୁଛି । 

ଏହାକୁ ଦୃଷ୍ଟିରେ ରଖି ଦୁଇଦିନ ହେବ ମହାପ୍ରଭୁଙ୍କୁ ଅନିଦ୍ରା ରଖାଯାଇଛି । ସକାଳୁ ରାତି ପର୍ଯ୍ୟନ୍ତ ଯିଏ ଯେତେବେଳେ ଆସିବ ଠାକୁର ଦର୍ଶନ କରି ଶ୍ରୀମନ୍ଦିରରୁ ବାହାରିଯିବ ଓ ଦଳାଚକଟା ଭଳି ପରିସ୍ଥିତି ଘଟିବନି ବୋଲି ଅନୁମାନ କରି ମହାପ୍ରଭୁଙ୍କ ପହୁଡ଼ ନୀତି ଦୁଇଦିନ ହେବ କରାଯାଇନି । ଭିଡ଼ ନିୟନ୍ତ୍ରଣ ନିମନ୍ତେ ମହାପ୍ରଭୁଙ୍କୁ ପଞ୍ଚୁକ ସମୟରେ ଅନିଦ୍ରା ରଖିବାକୁ କିଛି ଶ୍ରଦ୍ଧାଳୁ ସହଜରେ ଗ୍ରହଣ କରିପାରୁନାହାନ୍ତି । 

ପଞ୍ଚୁକର ପ୍ରଥମ ଦିନ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଥିଲା । 

ଶ୍ରଦ୍ଧାଳୁମାନେ ଠାକୁର ଦର୍ଶନ କରିବା ନିମନ୍ତେ ପ୍ରବଳ ଭିଡ଼ ଜମାଇଥିଲେ । ଗୋଟାଏ ପଟେ ପ୍ରଶାସନ ସେବାୟତମାନଙ୍କ ଭିତରେ ସମନ୍ୱୟ ରଖି ଚଟାପଟ ନୀତି ପରିଚାଳନାରେ ବିଫଳ ହୋଇଥିବା ବେଳେ ଅନ୍ୟପଟେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଅଣାୟତ୍ତ ହୋଇଥିଲା । ତେଣୁ ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁଙ୍କୁ ରାତିରେ ମାତ୍ର ଅଢ଼େଇ ଘଣ୍ଟା ପହଡ଼ କରାଯାଇଥିଲା । ଅଧାନିଦରେ ଠାକୁରଙ୍କ ଉଠାଇ ଦିଆଯାଇଥିବା ବେଳେ ଦୁଇଦିନ ହେବ ମହାପ୍ରଭୁଙ୍କ ପହୁଡ଼ ନୀତି କରାଯାଇନାହିଁ । ଯାହାକୁ ନେଇ ଅନେକ ଶ୍ରଦ୍ଧାଳୁ ପ୍ରଶାସନିକ ଦାୟିତ୍ୱ ନିର୍ବାହ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । 

କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ମୁତାବକ ମହାପ୍ରଭୁଙ୍କ ପହଡ଼ ନୀତି କରିବାକୁ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପୂର୍ବତନ ସଦସ୍ୟ ମାଧବ ଚନ୍ଦ୍ର ପୂଜାପଣ୍ଡା କହିଛନ୍ତି, ପଞ୍ଚୁକ ପାଞ୍ଚଦିନ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଗୁରୁତ୍ୱ ଦେଇ ଦର୍ଶନ ଶୃଙ୍ଖଳା ଆଣିବା ଓ ବ୍ୟସ୍ତବହୁଳ ନୀତିକୁ ସମାପନ କରିବା ଖୁବ୍‌ କଷ୍ଟକର । ସେବାୟତଙ୍କ ସହ ଉତ୍ତମ ସମନ୍ୱୟ ରଖି କାମ କରିବା ପ୍ରଶାସନ ନିମନ୍ତେ ଚାଲେଞ୍ଜ ସୃଷ୍ଟି କରିଛି । 

ଭିତର କାଠରୁ ନ ହେଲା ନାହିଁ ପ୍ରତ୍ୟେକ ଶ୍ରଦ୍ଧାଳୁ ଯେପରି ମହାପ୍ରଭୁଙ୍କୁ ବାହାର କାଠ ପାଖରୁ ଭଲ ଦର୍ଶନ ପାଇବ ତାହାକୁ ଗୁରୁତ୍ୱ ଦେଇ ପ୍ରଶାସନ ପଞ୍ଚୁକ ନୀତି ପରିଚାଳନା କରୁଛି । ଠେଲାପେଲା ଓ ଦଳାଚକଟା ପରିସ୍ଥିତି ନପୁଜିବାକୁ ପ୍ରଶାସନ ପ୍ରାଥମିକତା ଦେଉଛି । ତେଣୁ ମହାପ୍ରଭୁଙ୍କ ପହୁଡ଼ ନୀତି ହୋଇପାରୁନଥିବା ଶ୍ରୀ ପୂଜାପଣ୍ଡା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.