ପୁରୀ ୩୦/୧୦: ବୁଧବାର କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ତିଥି । ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ଶ୍ରୀମନ୍ଦିରରେ ଦ୍ବିତୀୟ ଭୋଗ ମଣ୍ଡପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ରତ୍ନଦେବୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସଂପନ୍ନ କରିବେ । ହିଙ୍ଗୁଳ,ହରିତାଳ,ଶଙ୍ଖ,କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏଥିପାଇଁ ଦତ୍ତ ମହାପାତ୍ର ସେବକଙ୍କ ଆବଶ୍ୟକ ସାମଗ୍ରୀ ସବୁ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେବ ।
ଏହା ଏକ ଗୁପ୍ତ ସେବା ଓ ସ୍ବତନ୍ତ୍ର ନୀତି ହୋଇଥିବାରୁ ଅପରାହ୍ନ ୫ଟାରୁ ରାତି ୧୦ଟା ଯାଏ ପ୍ରାୟ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ପରେ ମହାପ୍ରଭୁଙ୍କ ମହାସ୍ନାନ କରାଯିବ । ଏହାପରେ ପୁଣି ସର୍ବସାଧାରଣ ଦର୍ଶନ ଚାଲିବ । ଏବେ କାର୍ତ୍ତିକ ମାସ ଚାଲୁଥିବାବେଳେ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଛି । କାର୍ତ୍ତିକ ବ୍ରତଧାରୀଙ୍କ ବ୍ୟତୀତ ଅନ୍ୟ ଶ୍ରଦ୍ଧାଳୁମାନେ ମଧ୍ୟ ଜଗା ଦର୍ଶନ ପାଇଁ ଧାଇଁ ଆସୁଛନ୍ତି ।