ଲୋକସଭା ନିର୍ବାଚନ ୨୦୨୪: ମହାରାଷ୍ଟ୍ର ବିରୋଧୀ ମେଣ୍ଟରେ ଛିଡ଼ିଲା ଆସନ ଅଙ୍କ, ୨୧ ସିଟ୍‌ରେ ଲଢ଼ିବ ଶିବସେନା ୟୁବିଟି !

Published By : Prameya-News7 Bureau | March 01, 2024 IST

ମୁମ୍ବାଇ: ଲୋକସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ି ମେଣ୍ଟ ଭିତରେ ଆସନ ବୁଝାମଣା ଶେଷ ହୋଇଥିବା ସୂଚନା ମିଳିଛି। ବିଶେଷ ମେଣ୍ଟ ଦଳରେ ଶିବସେନା(ୟୁବିଟି)କୁ ନିର୍ବାଚନ ଲଢ଼ିବାକୁ ୨୧ ଆସନ ମିଳିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ସେହିପରି କଂଗ୍ରେସକୁ ୧୫ ଆସନ ମିଳିଥିବା ବେଳେ ନିର୍ବାଚନ ଲଢ଼ିବାକୁ ଶରଦ ପାୱାରଙ୍କ ଏନ୍‌ସିପିକୁ ମାତ୍ର ୯ଟି ଆସନ ମିଳିଛି। ନିକଟରେ ଏମ୍‌ଭିଏରେ ଯୋଗ ଦେଇଥଇବା ବଞ୍ଚିତ ବହୁଜନ ଅଘାଡ଼ି ଦଳ ୨ଟି ଆସନରେ ନିର୍ବାଚନ ଲଢ଼ିବ।

ଆସନ  ବୁଝାମଣା ନେଇ ହୋଇଥିବା ବୈଠକରେ କଂଗ୍ରେସ ନେତା ନାନା ପାଟୋଲେ, ପ୍ରୀତିରାଜ ଚଭନ, ବର୍ଷା ଗାଇକୱାଡ, ଏନସିପି (ଶରଦ ପାୱାର ଦଳ) ନେତା ଜୟନ୍ତ ପାଟିଲ, ଜିତେନ୍ଦ୍ର ଅହ୍ୱଦ ଏବଂ ଅନିଲ ଦେଶମୁଖ, ଏବଂ ଶିବସେନା (ୟୁବିଟି) ର ସଞ୍ଜୟ ରାଉତ ଏବଂ ବିନାୟକ ରାଉତ ଯୋଗ ଦେଇଥିଲେ। ଭିବିଏର ଏକ ପ୍ରତିନିଧୀ ମଧ୍ୟ ଉପସ୍ଥିତ ଥିଲେ।

ପଢ଼ନ୍ତୁ-ଲୋକସଭା ନିର୍ବାଚନ ୨୦୨୪: ବିଜେପି ୧୦୦ ପ୍ରାର୍ଥୀଙ୍କ ସ୍ଥିର କରିଥିବା ସୂଚନା

ବିରୋଧୀ ମେଣ୍ଟ ମଧ୍ୟରେ ଆସନ ବୁଝାମଣା ସ୍ଥିର ହୋଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଦଳ ପକ୍ଷରୁ ଏନେଇ ସ୍ପଷ୍ଟ ସୂଚନା ଆସି ନାହିଁ। କିଛିଦିନ ପରେ ଏହାର ଘୋଷଣା କରାଯିବ ବୋଲି ସୂଚନା ମିଳିଛି। ସୂଚନା ଥାଉକି ଉତ୍ତର ପ୍ରଦେଶ ପରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକସଭା ଆସନ ରହିଛି। ଉତ୍ତର ପ୍ରଦେଶରେ ୮୦ଟି ଆସନ ରହିଥିବା ବେଳେ ମହାରାଷ୍ଟ୍ରରେ ୪୮ଟି ଲୋକସଭା ଆସନ ରହିଛି।

ସୂଚନା ଥାଉକି ମାର୍ଚ୍ଚ ୪ ତାରିଖରେ ଦିଲ୍ଲୀରେ କଂଗ୍ରେସର ବୈଠକ ବସିବ। ଏହି ବୈଠକରେ ପ୍ରାର୍ଥୀ ସ୍ଥିର କରାଯିବ। ସେପଟେ ଏପ୍ରିଲ କିମ୍ବା ମେଁ ମାସରେ ନିର୍ବାଚନ ହେବାକୁ ଥିବା ବେଳେ ଇଲେକ୍ସନ କମିଶନ କିନ୍ତୁ ନିର୍ବାଚନ ତାରିଖ ଘୋଷଣା କରି ନାହାନ୍ତି।

୨୦୧୯ରେ ବିଜେପି ମହାରାଷ୍ଟ୍ରରୁ ୨୩ ଲୋକସଭା ଆସନରେ ବିଜୟୀ ହୋଇଥିଲା। ସେତେବେଳେ ସହଯୋଗୀ ଶିବସେନାକୁ ୧୮ଟି ଆସନ ମିଳିଥିଲା। ଏନ୍‌ସିପିକୁ ୪ ଆସନ ମିଳିଥିବା ବେଳେ କଂଗ୍ରେସ ଓ ଏଆଇଏମ୍‌ଆଇଏମ୍‌କୁ ଗୋଟିଏ ଲେଖାଏ ଆସନ ମିଳିଥିଲା। ଜଣେ ସ୍ୱାଧୀନ ପ୍ରାର୍ଥୀ ନିର୍ବଚାନରେ ବିଜୀୟ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.