ଗଙ୍ଗା ଘାଟରେ ‘ରିଲ’ କରିବା ଯୁବତୀଙ୍କୁ ପଡିଲା ମହଙ୍ଗା, ଅଳ୍ପକେ ବର୍ତ୍ତିଲା ଜୀବନ

Published By : Prameya-News7 Bureau | September 11, 2024 IST

ହରିଦ୍ୱାର ୧୧।୯: ସୋସିଆଲ ମିଡିଆ ରିଲ କାରଣରୁ ହରିଦ୍ୱାର ଗଙ୍ଗା ଘାଟରେ ଜନୈକ ଯୁବତୀଙ୍କ ଜୀବନ ବିପଦରେ ପଡିଯାଇଥିଲା। ସେ ନଦୀର ଭୀଷଣ ସ୍ରୋତରେ ଭାସିଯାଉଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ଭାଇରାଲ ହୋଇଯାଇଛି। ଯେଉଁଥିରେ ନେଟିଜେନ ଯୁବତୀଙ୍କ ରିଲ ଭଗବାନଙ୍କୁ ବି ପସନ୍ଦ ହେଲାନି ବୋଲି ଉଲ୍ଲେଖ କରୁଥିବା ବେଳେ ଅଳ୍ପ ଦଣ୍ଡ ଦେଇ ଜୀବନ ବଞ୍ଚେଇ ଦେଲେ ବୋଲି ଲେଖୁଛନ୍ତି। 

ଭିଡିଓରେ ଯୁବତୀ ଶିବ ପୂଜା କରୁଥିବାର ଦେଖାଯାଉଛି। ଏହା ପରେ ସେ ଗଙ୍ଗା କୂଳରେ ଲାଗିଥିବା ରେଲିଂରେ ଚଢି ଚାଲିବାକୁ ଚେଷ୍ଟା କରିଥିଲେ। ତେବେ ତାଙ୍କ ସନ୍ତୁଳନ ବିଗିଡିଯିବାରୁ ସେ ନଦୀର ପ୍ରଖର ସ୍ରୋତକୁ ଖସିପଡି ଭାସିଯାଇଥିଲେ। ଏତିକିବେଳେ ତାଙ୍କୁ ଉଦ୍ଧାରକରିବା ଲାଗି ସେଠାରେ ମୁତୟନ ଲାଇଫ ଗାର୍ଡ ମଧ୍ୟ ଚେଷ୍ଟା କରିଥିଲେ। ହେଲେ ସେ ମଧ୍ୟ ବିଫଳ ହୋଇଥିଲେ। ତେବେ ଯୁବତୀ ଭାସି ଯାଉଥିବା ବେଳେ ସୁଅ ତାଙ୍କୁ କୂଳକୁ ଭସାଇ ଆଣିଛି।   

ସୋସିଆଲ ମିଡିଆରେ ଲୋକପ୍ରିୟତା ପାଇଁ କରାଯାଉଥିବା ଦାୟିତ୍ୱହୀନ କାମ କେତେ ବିପଦଜନକ ତାହା ଏହି ଭିଡିଓରୁ ସ୍ପଷ୍ଟ ବୁଝି ହୋଇପାରୁଛି। ଏଣୁ ଏପରି ନ କରିବାକୁ ନେଟିଜେନ ଭିଡିଓ କମେଣ୍ଟରେ ଉଲ୍ଲେଖ କରୁଛନ୍ତି। ଏହା ଛଡା ଧର୍ମକୁ ନେଇ ଏପରି ରିଲସ୍ କରିବା ମଧ୍ୟ ଉଚିତ ନୁହେଁ ବୋଲି ଅନେକ କହୁଛନ୍ତି ଓ ଏଥି ପାଇଁ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ତେବେ ହରିଦ୍ୱାର ଗଙ୍ଗାରେ ଭାସିଯିବାରୁ ବର୍ତ୍ତିଥିବା ଯୁବତୀଙ୍କର ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରି ନାହିଁ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.