ରେମେଡ଼ ପଡ଼ିଆରେ ପିଏମ୍ ମୋଦୀଙ୍କ ସମ୍ୱୋଧନ, କହିଲେ-ମୋଦୀଙ୍କ ଗ୍ୟାରେଣ୍ଟି ମାନେ ଗ୍ୟାରେଣ୍ଟି ପୂରଣ ହେବାର ଗ୍ୟାରେଣ୍ଟି

Published By : Prameya-News7 Bureau | February 03, 2024 IST

ସମ୍ୱଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିଶା ଗସ୍ତରେ ଶନିବାର ସମ୍ୱଳପୁରର ରେମେଡ ପଡ଼ିଆରେ ଏକ ବିଶାଳ ଜନ ସମାବେଶକୁ ସମ୍ୱୋଧିତ କରିଛନ୍ତି । ଜନସଭାରେ ନିଜ ସରକାରଙ୍କ ଉପଲବ୍ଧି ରଖିବା ସହ ଚାଷୀ, ମହିଳା, ଯୁବ ବର୍ଗ ଏବଂ ଓଡ଼ିଶା ବିକାଶରେ କେନ୍ଦ୍ରର ବିଜେପି ସରକାରର ଯୋଗଦାନ କଥା କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଜୟ ଜଗନ୍ନାଥ, ଜୟ ମାଆ ସମଲେଇ ନାରାରୁ ନିଜ ଭାଷଣ ଆରମ୍ଭ କରିଥିଲେ । ଏହାସହ ସମ୍ୱଲପୁରୀ ଭାଷାରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ବୀର ସୁରେନ୍ଦ୍ର ସାଏ, ସନ୍ଥ କବି ଭୀମ ଭୋଇ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତିଚାରଣ କରିଥିଲେ । ସେହିପରି ଚଳିତ ବର୍ଷ ପଦ୍ମଶ୍ରୀ ପାଇଁ ମନୋନୀତି ଚାରି ଓଡ଼ିଆଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ନିଜ ଉଦବୋଧନରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ଦିଆଯିବା କଥା ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଏହି ସମ୍ମାନ ରାଷ୍ଟ୍ରସେବାର ସମ୍ମାନ, ଏହି ସମ୍ମାନ ସେହି ବିଚାରଧାରାର ମଧ୍ୟ ଯିଏ କେବେଳ ରାଷ୍ଟ୍ର ପ୍ରଥମକୁ ନେଇ ଚାଲିଛି । ଏହି ସମ୍ମାନ ଦୁଇ ସାଂସଦଙ୍କଠାରୁ ଆରମ୍ଭ ଦେଶର ସବୁଠୁ ବଡ଼ ପାର୍ଟି ହେବା ଏବଂ ଗଣତନ୍ତ୍ରକୁ ମଜଭୁତ କରିଥିବା କାର୍ଯ୍ୟକର୍ତ୍ତାଙ୍କ ସମ୍ମାନ । ଆଡଭାନୀ ଜୀ ଦେଶର ଗଣତନ୍ତ୍ରକୁ ଗୋଟିଏ ପରିବାର କବଳରୁ ମୁକ୍ତ କରିବାରେ ନିରନ୍ତର ଉଦ୍ୟମ କରିଥିଲେ । ସେ ପରିବାରବାଦୀ ବିଚାରଧାରାରୁ ବାହାର କରି ରାଷ୍ଟ୍ରବାଦୀ ବିଚାରଧାରା ସହ ଯୋଡ଼ିଛନ୍ତି ।

ପଢନ୍ତୁ: ଆଡଭାନୀଙ୍କୁ ମିଳିବ ‘ଭାରତ ରତ୍ନ’; ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, କେନ୍ଦ୍ରର ବିଜେପି ସରକାର ଓଡ଼ିଶାର ବିକାଶରେ ସବୁବେଳେ ରହିଛି । ଏଥିପାଇଁ ସମସ୍ତେଙ୍କୁ ଶୁଭେଚ୍ଛା । ଗତ ୧୦ ବର୍ଷରେ ଯେଉଁ ନୀତିରେ ଚାଲି ଦେଶର ୨୫ କୋଟି ଲୋକଙ୍କୁ ଗରିବୀରୁ ବାହାର କରାଯାଇଛି, ଚଳିତ ବଜେଟ୍ ତାକୁ ଅଧିକ ମଜଭୁତ କରୁଛି । ଏହି ବଜେଟ୍ ହେଉଛି ଗରିବଙ୍କୁ ସଶକ୍ତ କରିବାର ଗ୍ୟାରେଣ୍ଟି । ଯୁବ ବର୍ଗ, ମହିଳା, ଚାଷୀ, ମତ୍ସ୍ୟ ଚାଷୀ ସମସ୍ତଙ୍କ ବିକାଶର ଗ୍ୟାରେଣ୍ଟି । ପିଏମ୍ କହିଛନ୍ତି, ମୋଦୀଙ୍କ ଗ୍ୟାରେଣ୍ଟି ମାନେ ଗ୍ୟାରେଣ୍ଟି ପୂରଣ ହେବାର ଗ୍ୟାରେଣ୍ଟି । ମୋଦୀଙ୍କ ଗ୍ୟାରେଣ୍ଟି ସବୁ ଦେଶବାସୀଙ୍କ ନିକଟରେ ପକ୍କା ଘର ହେବ । ଓଡ଼ିଶାରୁ ୨୫ ଲକ୍ଷ ଲୋକଙ୍କୁ ପିଏମ୍ ଆବାସରେ ଘର ମିଳିଛି । ଏହି ବଜେଟରେ ଗରିବଙ୍କ ପାଇଁ ଆଉ ୨ କୋଟି ଘର ନିର୍ମାଣ ନେଇ ଘୋଷଣା କରାଯାଇଛି । ଏହା ମୋଦୀଙ୍କ ଗ୍ୟାରେଣ୍ଟି ।

ପିଏମ୍ କହିଛନ୍ତି, ଚାଷୀ, ପଶୁ ପାଳକ ଏବଂ ମତ୍ସ୍ୟ ଚାଷୀଙ୍କ ଆୟ ବଢାଇବା ବିଜେପି ସରକାରର ଲକ୍ଷ୍ୟ ରହିଛି । ଓଡ଼ିଶାର ୪୦ ଲକ୍ଷ ଚାଷୀଙ୍କୁ ପିଏମ୍ କିଷାନରେ ଲାଭବାନ ହୋଇଛନ୍ତି । ଓଡ଼ିଶାର ଧାନ ଚାଷୀଙ୍କଠାରୁ କେନ୍ଦ୍ର ସରକାର ଅଧିକରୁ ଅଧିକ ଧାନ କିଣିଛନ୍ତି । ୟୁପିଏ ସରକାରରେ ଓଡ଼ିଶାରୁ ୩୬ ହଜାର କୋଟି ଟଙ୍କା ଧାନ କିଣାଯାଇଥିଲା । କିନ୍ତୁ ମୋଦୀ ସରକାରର ୯ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ମିଳିଛି । ଏହାସହ ପିଏମ୍ ମୋଦୀ ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାର ଆପଣାଉଥିବା ପଦକ୍ଷେପ ବିଷୟରେ କହିଥିଲେ । ମତ୍ସ୍ୟଜୀବୀଙ୍କ ପାଇଁ କେନ୍ଦ୍ରର ବିଜେପି ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବା ପିଏମ୍ କହିଛନ୍ତି ।

Also Read: ଆଇଆଇଏମ ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, କହିଲେ ଓଡ଼ିଶା ପାଇଁ ଆଜି ଗୌରବର ଦି

ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜେପି ସରକାର ଲଗାତାର ଆପଣଙ୍କ ସୁବିଧା ପାଇଁ କାମ କରୁଛି । ଆପଣଙ୍କ ରୋଜଗାର ବଢିବ ଏବଂ ଖର୍ଚ୍ଚ କମିବା ହିଁ ଆମର ପ୍ରାଥମିକତା। ଦେଶବାସୀଙ୍କ ବିଜୁଳି ବିଲ୍ ଶୂନ୍ୟ ହେବା ଆମର ଲକ୍ଷ୍ୟ । ରୁଫଟପ୍ ସୋଲାର ଯୋଜନାରେ ରୋଜଗାର ସମ୍ଭାବନା ବଢିବ। ଓଡ଼ିଶା ସୂର୍ଯ୍ୟଭଗବାନଙ୍କ ରାଜ୍ୟ। ଏଠି ସୋଲରା ଚମକିବ । ବଜେଟ୍ରେ ଆୟୁଷ୍ମାନ ଭାରତକୁ ଆହୁରି ବ୍ୟାପକ କରାଯାଇଛି । ଆଶା, ଅଙ୍ଗନବାଡ଼ି କର୍ମୀଙ୍କୁ ଏହି ଯୋଜନାରେ ସାମିଲ୍ କରାଯାଇଛି । ଓଡ଼ିଶାର ୬୦ ଲକ୍ଷ ପରିବାରକୁ ପାଇପ୍ ପାଣି ଯୋଗାଣ ହେଉଛି । ଭଉଣୀଙ୍କୁ ଲକ୍ଷପତି ଦିଦି ହେବାର ଗ୍ୟାରେଣ୍ଟି ଆମ ସରକାର ଦେଉଛି। ଏକ କୋଟି ଲକ୍ଷପତି ଦିଦି ସୃଷ୍ଟି ହେଲେଣି । ୩ କୋଟି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାର ହଜାର ହଜାର ଏସ୍ଏଚ୍ଜି ମହିଳାଙ୍କୁ ଏହାର ଲାଭ ମିଳିବାକୁ ଯାଉଛି । ପୂର୍ବ ସରକାର ଲୋକଙ୍କୁ ଲାଭ ଅପେକ୍ଷା ସ୍ଵୟଂ ଦୁର୍ନୀତିରେ ବୁଡ଼ିଥିଲା। ସେତେବେଳେ ଭାରତୀୟ ଯୁବକ ନିରାଶରେ ବୁଡ଼ି ରହିଥିଲେ । ଏବେ ଯୁବକଙ୍କ ପଛରେ ବିଶ୍ଵସ୍ତ ବିଜେପି ସରକାର ଛିଡ଼ା ହୋଇଛି । ଆଜିର ଯୁବକଙ୍କୁ ଋଣ ନେବାକୁ କୌଣସି ଗ୍ୟାରେଣ୍ଟି ଦେବାକୁ ପଡ଼ୁନି । କାରଣ ଆଜିର ଯୁବକଙ୍କ ପଛରେ ମୋଦୀଙ୍କ ଗ୍ୟାରେଣ୍ଟି ରହିଛି । ଯାହା ପାଖରେ କାହାର ସାହାର ନାହିଁ, ତା ପାଖରେ ମୋଦୀର ଗ୍ୟାରେଣ୍ଟ ରହିଛି । ଯାହା ପାଖରେ କେହି ନାହିଁ, ତା ପାଖରେ ମୋଦୀ ଅଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ବିଜେପି ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିଛି । କଂଗ୍ରେସ ଓ ତାର ସହଯୋଗୀ ଦ୍ରୌପଦୀ ମୁର୍ମୁଙ୍କ ଅପମାନ କରିଥିଲା । ତାହା ଦ୍ରୌପଦୀଙ୍କ ଅପମାନ ନୁହେଁ ସାରା ଆଦିବାସୀଙ୍କ ଅପମାନ। ଯାହା ଦ୍ରୌପଦୀଙ୍କ ଅପମାନ ତାହା ସାରା ଓଡ଼ିଶାବାସୀଙ୍କ ପ୍ରତି ଅପମାନ। ବିଜେପି ହେଉଛି ଗରିବଙ୍କ କଲ୍ୟାଣକାରୀ ସରକାର । ଓଡ଼ିଶାର ସାଢେ ୩ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.