କଟକ ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି, ବ୍ୟବସାୟୀଙ୍କ ବିରୋଧ ସତ୍ତ୍ୱେ ୧୩ ଶହରୁ ଅଧିକ ପ୍ଲଟ୍ ନିଲାମ

Published By : Prameya-News7 Bureau | November 05, 2024 IST

କଟକ ୫।୧୧: କଟକ ବାଲିଯାତ୍ରା ପାଇଁ ପ୍ଲଟ୍ ନିଲାମ କାମ ଶେଷ ହୋଇଛି । ନିଲାମ ପ୍ରକ୍ରିୟାରେ ଉପର ଓ ତଳ ବାଲିଯାତ୍ରା ପଡିଆକୁ ମିଶାଇ ପ୍ରାୟ ୧୩ ଶହ ପ୍ଲଟ ନିଲାମ କରିଛି ଜିଲ୍ଲା ପ୍ରଶାସନ । ମଙ୍ଗଳବାର ପରେ ଯଦି କିଛି ପ୍ଲଟ ବଳି ପଡିବ, ତେବେ ବୁଧବାର ମଧ୍ୟ ନିଲାମ ପ୍ରକ୍ରିୟା ଜାରି ରହିବ ବୋଲି ପ୍ରଶାସନ କହିଛି । ତେବେ ଉପର ବାଲିଯାତ୍ରା ପଡ଼ିଆରେ କେବଳ ପାର୍କିଂ ବ୍ୟବସ୍ଥା କରି ତଳ ବାଲିଯାତ୍ରା ପଡ଼ିଆରେ ସମ୍ପୂର୍ଣ୍ଣ ଭାବେ ବାଲିଯାତ୍ରା ଆୟୋଜନ କରିବା ଚଳିତ ବର୍ଷ ସମ୍ଭବ ହେବ କି ନାହିଁ ସେ ନେଇ ଜିଲ୍ଲା ପ୍ରଶାସନର ମତାମତ ଚାହିଁଥିଲେ ହାଇକୋର୍ଟ । ମଙ୍ଗଳବାର ଏ ନେଇ ଜିଲ୍ଲା ପ୍ରଶାସନ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି । ଗୋଟିଏ ପଟେ ପ୍ରଶାସନ ଏନେଇ ସତ୍ୟପାଠ ଦାଖଲ କରିଥିବା ବେଳେ, ଅନ୍ୟପଟେ ଯେଉଁ ଉପର ବାଲିଯାତ୍ରା ପଡିଆକୁ ନେଇ ହାଇକୋର୍ଟ ପ୍ରଶ୍ନ ଉଠାଇଥିଲେ, ସେହି ପଡ଼ିଆରେ ପ୍ରସ୍ତାବିତ ସମସ୍ତ ପ୍ଲଟକୁ ପ୍ରଶାସନ ନିଲାମ କରିସାରିଛି । ଏହାସହ ଉପର ବାଲିଯାତ୍ରା ପଡ଼ିଆରେ ନିଲାମ ନେଇଥିବା ବ୍ୟବସାୟୀଙ୍କୁ ଆଜିଠାରୁ ପ୍ଲଟ ମାପଚୁପ କରି ଯୋଡାଇ ଦିଆଯାଉଛି । ତେଣୁ ଚଳିତ ବର୍ଷ ଉଭୟ ଉପର ଓ ତଳ ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ଆୟୋଜନ କରିବାକୁ ପ୍ରଶାସନ ପ୍ରସ୍ତୁତ ହେଉଥିବା ଜଣାପଡୁଛି ।

ସେପଟେ ବାଲିଯାତ୍ରା ପ୍ଲଟ ନିଲାମ ପ୍ରକ୍ରିୟା ଆପାତତଃ ସରିଥିଲେ ମଧ୍ୟ ବ୍ୟବସାୟୀ ମାନଙ୍କ କ୍ଷୋଭ ସରିନାହିଁ । ମଙ୍ଗଳବାର ମଧ୍ୟ ଅଧିକାଂଶ ବ୍ୟବସାୟୀ ବାଲିଯାତ୍ରା ପ୍ଲଟ୍‌ର ନିଲାମ ପ୍ରକ୍ରିୟାକୁ ତୀବ୍ର ବିରୋଧ କରିଛନ୍ତି । ତେବେ ନିଲାମ ପ୍ରକ୍ରିୟା ପ୍ରଶାସନକୁ ଆର୍ଥିକ ଲାଭ ଦେଉଥିବା ସହ ଭାରତର ବିଭିନ୍ନ ଅଞ୍ଚଳର ବ୍ୟବସାୟୀଙ୍କ ଅଂଶଗ୍ରହଣ ସମ୍ଭାବନାକୁ ମଧ୍ୟ ଵଢାଇଛି ।

You Can Read:

ସ୍ଵାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା ଘଟଣାର ପର୍ଦ୍ଦାଫାଶ, ଘରୋଇ କଳହକୁ କେନ୍ଦ୍ରକରି ସ୍ୱାମୀ ରଚିଥିଲା ଷଡଯନ୍ତ୍ର

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.