ଭୁବନେଶ୍ଵର: ଯାତ୍ରାରେ ଅଶ୍ଳୀଳତାକୁ ନେଇ ସବୁ ସ୍ତରରେ ଚର୍ଚ୍ଚା ଚାଲିଥିଲା ବେଳେ ଆଜି ଏଥିରେ ଆସିଛି ନୂଆ ଟ୍ବିଷ୍ଟ। ଅଶ୍ଳୀଳ ନୃତ୍ୟ ପାଇଁ ଯାତ୍ରା ପାର୍ଟି ମାଲିକ, ଯାତ୍ରା କଳାକାର ଏବଂ ଯାତ୍ରା କମିଟି ପରସ୍ପରକୁ ଦାୟୀ କରୁଥିବା ବେଳେ ସାମ୍ନାକୁ ଆସିଛି ରାଜ୍ୟ ଯାତ୍ରା କମିଟି ମହାମଞ୍ଚ। ଯାତ୍ରା ପରିବେଷଣ ପାଇଁ ସ୍ବତନ୍ତ୍ର ନିୟମ କରିବା ସହ ଯାତ୍ରା ପାର୍ଟିଗୁଡିକ ଲାଗି ଦରଧାର୍ଯ୍ୟ ଓ ଗାଇଲଲାଇନ ଆଣିବାକୁ ଆଇନ ମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦେଇଛି ସଂଘ। ଯାତ୍ରା ପାର୍ଟି ମାଲିକଙ୍କ ଅତ୍ୟଧିକ ବ୍ୟବସାୟୀ ମନୋବୃତ୍ତି ପାଇଁ ଯାତ୍ରାରେ ଅଶ୍ଳୀଳତା ବଢୁଛି।
ମଞ୍ଚ କହିଛି ଯାତ୍ରା ପାର୍ଟି ମାଲିକ ଭଲ ଯାତ୍ରା ପ୍ରସ୍ତୁତ କରୁନାହାନ୍ତି। ବଂର ଯାତ୍ରା କମିଟିଙ୍କୁ ଆଇଟମ ଗର୍ଲଙ୍କ ମାଧ୍ୟମରେ ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ପରାମର୍ଶ ଦେଉଛନ୍ତି। ସେଥିପାଇଁ ମଞ୍ଚରେ ଅଶ୍ଳୀଳ ନୃତ୍ୟ ହେଉଛି। ସେପଟେ ଆଇନ ମନ୍ତ୍ରୀ କହିଛନ୍ତି ସଂସ୍କୃତି ବିଭାଗ ଆଇନ ବିଭାଗ ସହ ଆଲୋଚନା ପରେ ଯାତ୍ରା ପାର୍ଟି ମାଲିକ, କମିଟି ଓ କଳାକାରଙ୍କ ସହ ଆଲୋଚନା କରି ନିୟମ ହେବ।
ଯାତ୍ରା ମଞ୍ଚରେ ଅଶ୍ଳୀଳତା ପାଇଁ ଦାୟୀ କିଏ ? ଯାତ୍ରା ପାର୍ଟି ମାଲିକ, କଳାକାର ନା ଯାତ୍ରା କମିଟି ? ଯାତ୍ରାରେ ଆଇଟମ୍ ଗର୍ଲଙ୍କ ଅଶ୍ଳୀଳ ନୃତ୍ୟ ଓ ଅଙ୍ଗ ପ୍ରଦର୍ଶନକୁ ନେଇ ପରସ୍ପର ମୁଣ୍ଡରେ ଦୋଷ ଲଦାଲଦି ହେଉଛନ୍ତି କଳାକାର, କମିଟି ଏବଂ ଯାତ୍ରାପାର୍ଟି ମାଲିକ।ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରସଙ୍ଗରେ ଆଜି ରାଜ୍ୟ ଯାତ୍ରା କମିଟି ମହାମଞ୍ଚ ବିଧିବଦ୍ଧ ମୁହଁ ଖୋଲି ପାର୍ଟି ମାଲିକଙ୍କ ମୁଣ୍ଡରେ ଅଠା ବୋଳିଛି।
ଯାତ୍ରା ପରିବେଷଣ ପାଇଁ ସ୍ବତନ୍ତ୍ର ନିୟମ ଏବଂ ପାର୍ଟି ଗୁଡିକ ଲାଗି ଦରଧାର୍ଯ୍ୟ ସହ ଗାଇଡ ଲାଇନ ଆଣିବାକୁ ଆଇନମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦେଇଛି ମହାମଞ୍ଚ।ମହାମଞ୍ଚର ଯୁକ୍ତି ଯାତ୍ରାରେ ଅଶ୍ଲୀଳତା ପାଇଁ ମାଲିକମାନେ ହିଁ ଦାୟୀ। ରାତିକ ଯାତ୍ରା ପାଇଁ ପାର୍ଟି କେତେ ଟଙ୍କା ନେବେ ତାର କୌଣସି ନିର୍ଦ୍ଧାରିତ ଦର ନାହିଁ। ଅଧିକ ଅର୍ଥ ଦାବି କରି କମିଟିର ଲାଭ ପାଇଁ ମାଲିକମାନେ ଆଇଟମ୍ ଗାର୍ଲଙ୍କୁ ନଚାଇବାକୁ ଲୋଭ ଦେଖାଇ, କମିଟିଙ୍କ ଉପରେ ଚାପ ପକାଉଛନ୍ତି।
ଯାତ୍ରା ମଞ୍ଚରେ ଦିନକୁ ଦିନ ଅଶ୍ଳୀଳତା ବଢିବାରେ ଲାଗିଛି।ଆଇଟମ ଗର୍ଲଙ୍କ ନୃତ୍ୟ ପରିବେଷଣ ଅଶ୍ଳୀଳତାର ସବୁ ସୀମା ଟପୁଛି।ଯାତ୍ରା କମିଟି ଦୋଷ ଲଦୁଥିବା ବେଳେ ଯାତ୍ରା ପାର୍ଟି ମାଲିକ କହିଛନ୍ତି ଆଇଟର୍ମ ଡ୍ୟାନ୍ସ ସହ ପାର୍ଟି ମାଲିକଙ୍କ କିଛି ସଂପର୍କ ନାହିଁ କି ସେମାନେ କମିଟିକୁ ଏହା କରିବାକୁ କୁହନ୍ତିନି।ତେବେ କମିଟି ମହାମଞ୍ଚ ଭେଟିବା ପରେ ଆଇନ ମନ୍ତ୍ରୀ କହିଛନ୍ତି ଯାତ୍ରାରେ ସଂସ୍କୃତି, ପରମ୍ପରା ଉଲ୍ଲଙ୍ଘନକୁ ପ୍ରଶୟ ଦିଆଯିବ ନାହିଁ। ସଂସ୍କୃତିର ସୁରକ୍ଷା ଦିଗରେ ଶୀଘ୍ର ଏକ ନିର୍ଦ୍ଦେଶାବଳୀ ଜାରି କରାଯିବ। ସଂସ୍କୃତି ଓ ଆଇନ ବିଭାଗ ଭିତରେ ଆଲୋଚନା ହେବ। ପରେ ପାର୍ଟି ମାଲିକ, କମିଟି ଓ କଳାକାରଙ୍କୁ ନେଇ ବୈଠକ କରି ଅଶ୍ଳୀଳତା ରୋକିବାକୁ ନିୟମ ହେବ। ଯାତ୍ରାରେ ଅଶ୍ଳୀଳତାକୁ ନେଇ ସବୁ ସ୍ତରରେ ବିତର୍କ ଚାଲିଥିବା ବେଳେ ଏହାକୁ ସରକାର କିପରି ରୋକିବେ ତାହା ଉପରେ ରହିଚି ସମସ୍ତଙ୍କ ନଜର।