ନୃଶଂସତାର ସବୁ ସୀମା ଟପିଗଲା ମାଆ,୧୬ ମାସ ଶିଶୁ ଉପରେ ଅତ୍ୟାଚାରର ଭିଡିଓ ଭାଇରାଲ,ଥାନାରେ ଅଟକ

Published By : Prameya-News7 Bureau | October 27, 2024 IST

ବାଣପୁର୨୭/୧୦: ପିଲା ପାଇଁ ସବୁବେଳେ ସୁରକ୍ଷା କବଚ ସାଜିଥାଏ ମାଆ । ନିଜ ପଣତକାନିରେ ଘୋଡାଇ ସବୁ ବିପଦ ଆପଦରୁ ରକ୍ଷା କରିଥାଏ । ହେଲେ ଖୋର୍ଦ୍ଧା ବାଣପୁରରୁ ଆସିଛି ପୁରା ଓଲଟା ଘଟଣା । ଅମାନୁଷିକ,ବର୍ବରତା,ନୃଶଂସତା ଯାହାବି କହିଲେ କମ୍‌ ପଡିଯିବ । ସବୁ ସୀମା ପାର୍‌ କରିଯାଇଛି ଜଣେ ମାଆ । ୧୬ ମାସର କଅଁଳା ଶିଶୁକୁ ବିଧା ଗୋଇଠା ମାରୁଛି । ଖରାପ ଭାଷାରେ ଗାଳିଗୁଲଜ କରିବା ସହ ତଣ୍ଟି ଚିପି ମାରିବାକୁ ଉଦ୍ୟମ କରୁଛି । ଯାହାର ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି । 

ଖୋର୍ଦ୍ଧା ବାଣପୁର ଥାନା ଅଧୀନ କୁଲେଇ ପଞ୍ଚାୟତ ହରିଚନ୍ଦନପୁର ଗାଁରେ ଘଟିଥିବା ଏ ଲୋମହର୍ଷଣକାରୀ ଘଟଣା ଗୋଟିଏ ମାଆର ମମତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି । ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି । ଏତେ କୁନି ଝିଅକୁ ମାଡ ମାରୁଥିବା ଏ ମହିଳା ହେଉଛନ୍ତି ହରିଚନ୍ଦନପୁର ଗାଁର ବିଚିତ୍ର ନାୟକଙ୍କ ପତ୍ନୀ । ତେବେ କୌଣସି କାରଣକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ ଭଲ ନାହିଁ । ସ୍ବାମୀ ବିଚିତ୍ର ବାହାର ରାଜ୍ୟରେ କାମ କରନ୍ତି । ସ୍ବାମୀ ଉପରେ ଝଗଡାର ରାଗ ଝିଅକୁ ମାଡ ମାରି ସୁଝାଉଛନ୍ତି ମହିଳା। ଶିଶୁକନ୍ୟାକୁ ମାଡ ମାରିବା ସହ ଏହାର ଭିଡିଓ ମଧ୍ୟ ରେକର୍ଡିଂ କରିଛନ୍ତି । ଆଉ ବାହାର ରାଜ୍ୟରେ କାମ କରୁଥିବା ସ୍ବାମୀ ପାଖକୁ ପଠାଇଛନ୍ତି । ଘଟଣା ଜଣାପଡିବା ପରେ ପରିବାର ଲୋକ ବାଣପୁର ଥାନାର ଦ୍ବାରସ୍ଥ ହୋଇଥିଲେ । ପୋଲିସ ନିର୍ଯାତିତ ଶିଶୁକୁ ଉଦ୍ଧାର କରିବା ସହ ମାଆକୁ ଅଟକ ରଖି ପଚରାଉଚରା କରୁଛି । 


 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.