ପୋଲାଭରମ ପ୍ରକଳ୍ପ ଉପରେ ଜୋର ଦେଲେ ନାଇଡୁ, ଓଡ଼ିଶାର ନୂଆ ସରକାରଙ୍କ କ'ଣ ହେବ ପଦକ୍ଷେପ ?

Published By : Prameya-News7 Bureau | June 17, 2024 IST

ଭୁବନେଶ୍ଵର:  ପୋଲାଭରମ ପ୍ରକଳ୍ପ ଅଞ୍ଚଳରେ ନାଇଡୁ। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ। ଆଜି ଏକ ହେଲିକପ୍ଟର ଯୋଗେ ସେଠାରେ ପହଞ୍ଚିବା ପରେ ଗୋଦାବରୀ  ଡ୍ୟାମକୁ ପରିବଦର୍ଶନ କରିବାକୁ ଯାଇଛନ୍ତି ନାଇଡୁ। ଏଥିସହିତ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଇଞ୍ଜିନିୟରମାନଙ୍କ ସହିତ ଆଲୋଚନା କରିଛନ୍ତି। ପୋଲାଭରମ ପ୍ରକଳ୍ପ ଜାତୀୟ ମାନ୍ୟତା ପାଇଛି।  

ନାଇଡୁ ଯେତେବେଳେ ପୂର୍ବରୁ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଥିଲେ ଏହି ପ୍ରକଳ୍ପକୁ ଶେଷ କରିବାକୁ ଜୀ ଜାନ ଲଗାଇ ଦେଇଥିଲେ। ପରବର୍ତ୍ତୀ ଜଗନ ସରକାର ମଧ୍ୟ ପୋଲାଭରମ ପ୍ରକଳ୍ପକୁ ଆଗେଇ ନେବାକୁ ଲାଗିପଡ଼ିଛନ୍ତି। କେନ୍ଦ୍ର ସରକାର ମଧ୍ୟ ଏହି ପ୍ରକଳ୍ପ ପାଇଁ ପାଣ୍ଠି ପ୍ରଦାନ କରିଛନ୍ତି। ହେଲେ ଗୋଦାବରୀ ନଦୀ ଉପରେ ହେଉଥିବା ଏହି ପ୍ରକଳ୍ପ ଓଡ଼ିଶା ପାଇଁ ବିପଦ ସାଜିଛି। ଗୋଦାବରୀ ନଦୀର ବ୍ୟାକ ୱାଟର ମାଲକାନଗିରି ଜିଲ୍ଲାର ବହୁ ଅଞ୍ଚଳକୁ ଜଳମଗ୍ନ କରିବାର ଆଶଙ୍କା ରହିଛି। 

ଏପରିକି ସାମାନ୍ୟ ବର୍ଷା ହେଲେ ମୋଟୁ ଅଞ୍ଚଳରେ ଗୋଦାବରୀର ବ୍ୟାକ ୱାଟର ଗତ କିଛି ବର୍ଷ ଧରି ପ୍ରବେଶ କରୁଛି। ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ଓଡ଼ିଶା ସରକାର ସୁପ୍ରିମକୋର୍ଟକୁ ଯାଇଛନ୍ତି। ଦୁଇ ରାଜ୍ୟ ମଧ୍ୟରେ ଏକାଧିକବାର ପ୍ରତ୍ୟକ୍ଷ ଆଲୋଚନା ମଧ୍ୟ ହୋଇଛି। କେନ୍ଦ୍ର ଜଳସଂପଦ ମନ୍ତ୍ରୀଙ୍କ ତତ୍ତ୍ବାବଧାନରେ ମଧ୍ୟ ଆଲୋଚନାର ପ୍ରୟାସ ହୋଇଛି। ଏହା ସତ୍ତ୍ବେ ବି ଓଡ଼ିଶାର ଦାବିକୁ ଦୃଷ୍ଟି ଦିଆଯାଇନାହିଁ। ଏବେ ସମସ୍ୟା ସମାଧାନର ସୂର୍ଯ୍ୟ କିରଣ ଦେଖାଦେଉଛି। କେନ୍ଦ୍ରରେ ବିଜେପି ସରକାର ଥିବା ବେଳେ ଓଡ଼ିଶାରେ ମଧ୍ୟ ରହିଛି ବିଜେପି ସରକାର ।

ସେହିପରି ଆନ୍ଧ୍ର ପ୍ରଦେଶରେ ଟିଡିପି ଏନଡିଏର ପାର୍ଟନର ଅଛି। ତେଣୁ ଏବେ ଯଦି ଏହି ସମସ୍ୟାର ସମାଧାନ ନେଇ ଉଦ୍ୟମ କରାଯାଏ ତେବେ ମାଲକାନଗିରିରେ ବ୍ୟାକୱାଟର ବନ୍ୟାର ଆଶଙ୍କା ଟଳିପାରନ୍ତା। ଓଡ଼ିଶାର ସମସ୍ୟା ଦୂର ହୋଇପାରନ୍ତା ବୋଲି ଅନେକ ମତ ପ୍ରକାଶ ପାଇଛି। ଆଜି ଯେତେବେଳେ ନାଇଡୁ ପୋଲାଭରମ ପ୍ରକଳ୍ପ ସ୍ଥଳକୁ ଯାଇଛନ୍ତି ସେତେବେଳେ ଏହାକୁ ତୁରନ୍ତ ଶେଷ କରିବା ପାଇଁ ମଧ୍ୟ ବାର୍ତ୍ତା ଦେଇଛନ୍ତି। ଆଉ ଏହା ପୂର୍ବରୁ ଓଡ଼ିଶାର ସମସ୍ୟା ସମାଧାନ ହେବା ଜରୁରୀ ହୋଇଛି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.