ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ଗତ କିଛି ବର୍ଷ ଧରି ଦୁନିଆରେ ସବୁଠୁ ଭଲ ପ୍ରଦର୍ଶନ କରୁଥିଲା । କିନ୍ତୁ ୨୦୨୫ ଆରମ୍ଭରୁ ହିଁ ଏହା ଖସି ଚାଲିଛି । ଦେଶର ଶୀର୍ଷ ୫୦ କମ୍ପାନିର ସେୟାରକୁ ପ୍ରତିନିଧିତ୍ୱ କରୁଥିବା ନିଫ୍ଟି-୫୦ ଇଣ୍ଡେକ୍ସ, ଚଳିତ ବର୍ଷ ଏବେ ସୁଦ୍ଧା ଆମେରିକୀୟ ଡଲାର ହିସାବରେ ୬ ପ୍ରତିଶତ ହ୍ରାସ ହୋଇସାରିଛି । ଏହା ୨୦୨୫ରେ ଏବେ ସୁଦ୍ଧା କୌଣସି ବି ବଢୁଥିବା ସେୟାର ମାର୍କେଟରେ ଆସିଥିବା ତୃତୀୟ ସବୁଠୁ ବଡ଼ ହ୍ରାସ । ଭାରତୀୟ ସେୟାର ମାର୍କେଟ୍ ଉପରେ କେବଳ ଥାଇଲାଣ୍ଡ ଏବଂ ଫିଲିପିନ୍ସର ବେଞ୍ଚମାର୍କ ଇଣ୍ଡେକ୍ସ ରହିଛି ।
ଥାଇଲାଣ୍ଡ ସେୟାର ବଜାରରେ ପ୍ରାୟ ୧୦ ପ୍ରତିଶତ ହ୍ରାସ ଘଟିଛି । ଅନ୍ୟପଟେ ଫିଲିପିନ୍ସର PSEi ଇଣ୍ଡେକ୍ସ ଏହି ଅବଧିରେ ୬.୭ ପ୍ରତିଶତ ହ୍ରାସ ପାଇଛି । ସେହିପରି ଇଣ୍ଡୋନେସିଆର ଜକାର୍ତା କମ୍ପୋଜିଟ୍ ଇଣ୍ଡେକ୍ସ ବର୍ଷ ଆରମ୍ଭରୁ ଏବେ ସୁଦ୍ଧା ୫.୭ ପ୍ରତିଶତ ଖସି ଚତୁର୍ଥ ସବୁଠୁ ଅଧିକ ହ୍ରାସ ପାଇଥିବା ଇମର୍ଜିଂ ମାର୍କେଟ୍ ହୋଇଛି ।
ଭାରତୀୟ ବଜାରକୁ ନେଇ ବିଦେଶୀ ସଂସ୍ଥାଗତ ନିବେଶକଙ୍କ ମଧ୍ୟରେ ଉତ୍ସାହ ଲଗାତାର ଦୁର୍ବଳ ହେବାରେ ଲାଗିଛି । ବ୍ୟାଙ୍କ ଅଫ୍ ଆମେରିକା (BofA) ଦ୍ୱାରା କରାଯାଇଥିବା ଏକ ସର୍ଭେ ଜଣାପଡ଼ିଛି ଯେ ୧୯ ପ୍ରତିଶତ ଫଣ୍ଡ ମ୍ୟାନେଜର୍ସ ଭାରତୀୟ ବଜାରକୁ ନେଇ ନେଗେଟିଭ୍ ଅଛନ୍ତି । ଜାନୁଆରୀରେ ଏହା ୧୦ ପ୍ରତିଶତ ଥିଲା । ସର୍ଭେ ଅନୁସାରେ ଜାପାନ ଏବେ ବି ନିବେଶକଙ୍କ ପାଇଁ ପ୍ରଥମ ପସନ୍ଦ ହୋଇ ରହିଛି । ଅନ୍ୟପଟେ ଚୀନରେ ନିବେଶ ପାଇଁ ଏବେ ପୁଣି ଥରେ ଉତ୍ସାହ ବଢୁଛି । ଅନ୍ୟପଟେ ଭାରତରେ ନିବେଶର ଆକର୍ଷଣ ଲଗାତାର କମ ହେଉଛି ଏବଂ ଗତ ଦୁଇ ବର୍ଷରେ ଏହା ସର୍ବନିମ୍ନ ସ୍ତରକୁ ଖସି ଆସିଛି ।
Read Also: ଗୌତମ ଆଦାନୀ ପ୍ରତି ଘଣ୍ଟାରେ ଦେଇଛନ୍ତି ୬.୬୩ କୋଟି ଟଙ୍କା ଟିକସ, ଜାଣନ୍ତୁ ବର୍ଷକୁ କେତେ ?
ଅନ୍ୟପଟେ ଏସୀୟ ବଜାରକୁ ଦେଖିବାକୁ ଗଲେ, ହଂକଂର ହେଙ୍ଗ୍ ସେଙ୍ଗ୍ ଏବଂ ଦକ୍ଷିଣ କୋରିଆର କୋସ୍ପି ନୂଆ ବର୍ଷରେ ସବୁଠୁ ଭଳ ପ୍ରଦର୍ଶନ କରିଛି । ହଂକଂ ଇଣ୍ଡେକ୍ସ ୨୦୨୫ରେ ଏବେ ସୁଦ୍ଧା ୧୬.୪ ପ୍ରତିଶତ ବଢିଛି । ଦକ୍ଷିଣ କୋରିଆର କୋସ୍ପି ଇଣ୍ଡେକ୍ସ ବି ୧୪ ପ୍ରତିଶତ ବଢି ଶୀର୍ଷରେ ରହିଛି । ବ୍ଲୁମବର୍ଗର ତଥ୍ୟ ଅନୁସାରେ ଭାରତୀୟ ସେୟାର ବଜାର ଏବେ ବି ଅନ୍ୟ ଏସୀୟ ବଜାର ତୁଳନାରେ ମହଙ୍ଗା ହୋଇ ରହିଛି । ସଙ୍ଘାଇ କମ୍ପୋଜିଟ୍ ୧୨.୩ ଗୁଣା ଫରୱାର୍ଡ ଅର୍ନିଂରେ ଟ୍ରେଡ୍ କରୁଛି । କୋରିଆର କୋସ୍ପି ଇଣ୍ଡେକ୍ସ ୯.୩ ଗୁଣା ଫରୱାର୍ଡ ଅର୍ନିଂରେ ଅଛି । ଅନ୍ୟପଟେ ନିଫ୍ଟି ୫୦ ଏବେବି ୧୮.୭ ଗୁଣା ଫରୱାର୍ଡ ଅର୍ନିଂରେ ଟ୍ରେଡ୍ କରୁଛି ।
(Disclaimer: ଏହା କେବଳ ଏକ ବଜାର ସମ୍ୱନ୍ଧୀୟ ଖବର । ଏହା କୌଣସି ପରାମର୍ଶ ନୁହେଁ । ଯେକୌଣସି ନିବେଶ ପୂର୍ବରୁ ବିଶେଷଜ୍ଞଙ୍କଠାରୁ ପରାମର୍ଶ ନିଅନ୍ତୁ ।)