ନୂଆଦିଲ୍ଲୀ: ନଭେମ୍ୱର ୨୦ରେ ଷ୍ଟକ୍ ଏକ୍ସଚେଞ୍ଜ ବନ୍ଦ ରହିବ । ମହାରାଷ୍ଟ୍ରରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରମୁଖ ଷ୍ଟକ୍ ଏକ୍ସଚେଞ୍ଜ ଏନ୍ଏସ୍ଇ ଛୁଟି ଘୋଷଣା କରିଛି । ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଶୁକ୍ରବାର କହିଛି ଯେ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଦିନ ଏକ୍ସଚେଞ୍ଜରେ କୌଣସି ଟ୍ରେଡିଂ ହେବ ନାହିଁ ।
ଦେଶର ପ୍ରମୁଖ ଏକ୍ସଚେଞ୍ଜ NSE କହିଛି ଯେ ମହାରାଷ୍ଟ୍ର ନିର୍ବାଚନ ଯୋଗୁଁ ଆଗାମୀ ସପ୍ତାହରେ ବୁଧବାର (ନଭେମ୍ୱର ୨୦)ରେ ଟ୍ରେଡିଂ ଅବକାଶ ରହିବ । NSE ଏବଂ BSEର ମୁଖ୍ୟାଳୟ ଭାରତର ଆର୍ଥିକ ରାଜଧାନୀ ମୁମ୍ୱାଇରେ ଅଛି ।
ଗତ ମାସରେ ଭାରତୀୟ ନିର୍ବାଚନ ଆୟୋଗ ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ । ଇସିଆଇଙ୍କ ଘୋଷଣା ଅନୁସାରେ ମହାରାଷ୍ଟ୍ର ବିଧାନସଭା ପାଇଁ ନଭେମ୍ୱର ୨୦ରେ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବ । ମତଦାନର ତିନି ଦିନ ପରେ ଅର୍ଥାତ୍ ନଭେମ୍ୱର ୨୩ରେ ଭୋଟ ଗଣତି ହେବ ।