ପଶ୍ଚିମବଙ୍ଗରେ ଅଟକ ଥିଲେ ଓଡ଼ିଆ, ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ଘରେ ସୁରକ୍ଷିତ ପହଞ୍ଚିଲେ

Published By : Prameya-News7 Bureau | August 14, 2024 IST

ନୀଳଗିରି ୧୪: ବାଲେଶ୍ଵରରୁ ଯାଇଥିବା ଶତାଧିକ ଲୋକଙ୍କୁ ଅଟକ ରଖିଲେ ପଶ୍ଚିମବଙ୍ଗ ଅଞ୍ଚଳବାସୀ । ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଜିଲ୍ଲା କେଶପୁର ଥାନା ପଞ୍ଚୁମି ଖଡିକା ଅଞ୍ଚଳକୁ ଜଣେ କବିରାଜ ଘରକୁ ପ୍ରତ୍ୟେକ ଥର ଭଳି ଶତାଧିକ ଅଞ୍ଚଳବାସୀ ବାଲେଶ୍ଵର, ମିତ୍ରପୁର, ଅଯୋଧ୍ୟା ଅଞ୍ଚଳରୁ ଯାଇଥିଲେ । ହେଲେ ଓଡିଶା ଗାଡି ଦେଖି ସେହି ଅଞ୍ଚଳର ଶତାଧିକ ଅଞ୍ଚଳବାସୀ ବସ୍ ଅଟକାଇ କାଚ ଭାଙ୍ଗିଥିଲେ । ନୀଳଗିରି ମିତ୍ରପୁର ଅଞ୍ଚଳରୁ ଯାଇଥିବା ତିନୋଟି ବୋଲେରୋକୁ ମଧ୍ୟ ଅଟକାଇ ଥିଲେ । ସେମାନେ ଭୟଭୀତ ହୋଇ ଓଡିଶା ସରକାରଙ୍କୁ ଉଦ୍ଧାର ପାଇଁ ନିବେଦନ କରିଥିଲେ । ସ୍ଥାନୀୟ ପୋଲିସ ଯାଇ ଗାଁରୁ ତିନୋଟି ବୋଲେରୋ ସମେତ ଲୋକମାନଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ । ହେଲେ ଶତାଧିକ ଅଞ୍ଚଳବାସୀ ଥାନା ଗେଟ୍ ଓ ପାଚେରୀ ଡେଇଁ ଓଡିଶାବାସୀଙ୍କୁ ଆକ୍ରମଣ କରିବାକୁ ଥାନା ଭିତରକୁ ପଶିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିଲା । 

ଓଡିଶାରେ ବେଙ୍ଗଲ ଫେରିବାଲାଙ୍କୁ ଘଉଡ଼ାଇ ଆକ୍ରମଣ କରୁଛ ସେଥିପାଇଁ ବେଙ୍ଗଲରେ ଓଡିଶାବାସୀଙ୍କୁ ଆସିବାକୁ ଦିଆଯିବନି ବୋଲି କହି ଏଭଳି ଆକ୍ରମଣ କରୁଥିବା ଜଣାପଡିଛି । କିଛି ଲୋକଙ୍କୁ ପଶ୍ଚିମବଙ୍ଗ କେଶପୁର ପୋଲିସ ଏକ ଅଜଣା ବାତ୍ୟା ଆଶ୍ରୟସ୍ଥଳୀକୁ ନେଇ ସ୍କୁଲରେ ସୁରକ୍ଷିତ ଭାବେ ରଖିଥିଲେ । ତେବେ ଅଟକ ଥିବା ଲୋକମାନେ ଓଡିଶା ସରକାରଙ୍କୁ ଘଟଣାର ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲେ । ପରେ ଅଟକ ଲୋକଙ୍କ ପରିବାର ଓ ଗ୍ରାମବାସୀ ରାତିରେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲେ । ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଘଟଣା ବିଷୟରେ ଅବଗତ ହୋଇ ମୁଖ୍ୟମନ୍ତ୍ରୀ, ଡିଜି, ବାଲେଶ୍ୱର ଜିଲ୍ଲାପାଳ, ଏସପିଙ୍କ ସହ କଥା ହୋଇଥିଲେ । ପରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ବିଏସଏଫ ଯବାନ ଓ ପୋଲିସଙ୍କ ସୁରକ୍ଷାରେ ଓଡିଶା ସୀମାନ୍ତ ଲକ୍ଷ୍ମଣନାଥ ଗେଟ୍ ପର୍ଯ୍ୟନ୍ତ ଆଣି ଛାଡିଥିଲେ । ପରେ ବାଲେଶ୍ୱର ପୋଲିସ ସୁରକ୍ଷାରେ ଆଣି ଲୋକ ମାନଙ୍କୁ ଘରେ ପହଞ୍ଚାଇଛି ।

You Can Read:

ମା’ ଓ ୮ ବର୍ଷର ପୁଅକୁ ଦଳିଦେଲା ହାତୀ, ୩ ଶିଶୁ କନ୍ୟା ଗୁରୁତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.