୨୪ ରାତି ଓ ୨୫ ସକାଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ସମ୍ଭାବ୍ୟ ବାତ୍ୟା, ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ରହିବ ବେଶୀ ପ୍ରଭାବ

Published By : Prameya-News7 Bureau | October 22, 2024 IST

ଭୁବନେଶ୍ବର ୨୨।୧୦: ସମ୍ଭାବ୍ୟ ବାତ୍ୟା ବାତ୍ୟା ନେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବଡ଼ ସୂଚନା । ମଙ୍ଗଳବାର ସୃଷ୍ଟି ହୋଇଥିବା ଅବପାତଟି ଆଜି ଗଭୀର ଅବପାତରେ ପରିଣତ ହେବ । ବୁଧବାର ସକାଳେ ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । କାଳକ୍ରମେ ଏହା ଭୀଷଣ ବାତ୍ୟାରେ ରୂପାନ୍ତରିତ ହେବ । ୨୪ ତାରିଖ ରାତି ଓ ୨୫ ତାରିଖ ସକାଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ପୁରୀରୁ ସାଗରଦ୍ବୀପ ମଧ୍ୟରେ ଏହାର ପ୍ରଭାବ ରହିବ । ପୁରୀରୁ ୨୪ ପ୍ରଗଣା ଜିଲ୍ଲା ମଧ୍ୟରେ ବର୍ଷା, ପବନ ହେବ । ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ୧୦୦ରୁ ୧୨୦ କି.ମି. ରହିବ । ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଏହାର ବେଶୀ ପ୍ରଭାବ ରହିବ । ଏହା ପ୍ରଭାବରେ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ ବୋଲି ଆଇଏମ୍‌ଡି ଡିଜି ଆକଳନ କରିଛନ୍ତି ।

ସେପଟେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ୱେଲ୍ ମାର୍କଡ ଲୋ ପ୍ରେସର ଅବପାତରେ ପରିଣତ ହୋଇଛି । ତାହା ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ । ଏହା ଅଧିକ ଘନୀଭୂତ ହୋଇ ବୁଧବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ନେବ ବାତ୍ୟାର ରୂପ । ଏହାପରେ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ସକାଳେ ଆହୁରି ସିଭିୟର ହେବ । ବାତ୍ୟା ପ୍ରଭାବରେ ବୁଧବାର ସନ୍ଧ୍ୟା ବା ରାତିରୁ ପାଗରେ ପରିବର୍ତ୍ତନ ହେବ ।

ଡିପ୍ରେସନ ଏବେ ପାରାଦ୍ବୀପ ଉପକୂଳରୁ ୭୦୦ କିଲୋମିଟର ଦକ୍ଷିଣପୂର୍ବ, ପଶ୍ଚିମବଙ୍ଗ ସାଗର ଦ୍ବୀପରୁ ୭୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଓ ବାଂଲାଦେଶ ଖେପୁପରା ଉପକୂଳରୁ ୭୩୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ । ବୁଧବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ତାହା ବାତ୍ୟାର ରୂପ ନେବ ।

ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ବାତ୍ୟା ୨୪ ରାତି ଓ ୨୫ ସକାଳ ଭିତରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳର ପୁରୀରୁ ସାଗର ଦ୍ୱୀପ ଭିତରେ ଉପକୂଳ ଅତିକ୍ରମ କରିବ । ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ଓ ଝଟକା ପବନ ୧୨୦ କିଲୋମିଟର ଛୁଇଁପାରେ ବୋଲି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ସବୁ ବନ୍ଦରକୁ ୧ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଏଥିସହ ଆଜିଠୁ ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାରୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।

You Can Read:

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନନ୍ଦନକାନନରେ ପୂର୍ବ ପ୍ରସ୍ତୁତି, ଉଦ୍ଧାର କାର୍ଯ୍ୟ ପାଇଁ ଟିମ୍ ଗଠନ

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.