୪ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରଥଯାତ୍ରାରେ ହେବେ ସାମିଲ

Published By : Prameya-News7 Bureau | June 26, 2024 IST

ଭୁବନେଶ୍ବର ୨୬।୬: ଚଳିତ ବର୍ଷ ରଥଯାତ୍ରାରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁରୀ ରଥଯାତ୍ରାରେ ସାମିଲ ହେବେ ରାଷ୍ଟ୍ରପତି । ଜୁଲାଇ ୬ ତାରିଖରୁ ୯ ତାରିଖ ଯାଏଁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ବର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବେ ।

ସେପଟେ, ବୁଧବାର ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଦ୍ବିତୀୟ ରଥଯାତ୍ରା ସମନ୍ୱୟ ବୈଠକ । ପୁରୀ ଟାଉନ୍ ହଲ୍ ଠାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ତଦାରଖ କରାଯିବ । 

ଜୁଲାଇ ୭ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପଡୁଥିବାରୁ ଚଳିତ ବର୍ଷ ରଥଯାତ୍ରା ଦିନ ନବଯୌବନ ଓ ନେତ୍ରୋତ୍ସବ ପଡୁଛି । ତେଣୁ ନୀତିକାନ୍ତିକୁ ତ୍ବରାନ୍ବିତ କରିବା ଆବଶ୍ୟକ ଥିବାରୁ ଭକ୍ତମାନେ ଏବର୍ଷ ମହାପ୍ରଭୁଙ୍କ ନବଯୌବନ ଦର୍ଶନରୁ ବଞ୍ଚିତ ରହିବେ । ତେବେ ଚଳିତ ବର୍ଷ ରଥଯାତ୍ରାରେ ଦ୍ବିଗୁଣା ଭକ୍ତଙ୍କ ସମାଗମ ହେବାର ଆଶଙ୍କା କରାଯାଉଛି । ଆଜିର ବୈଠକରେ ଭକ୍ତଙ୍କ ରହଣି, ସୁବିଧା, ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ଓ ନୀତିକାନ୍ତି ଉପରେ ବିସ୍ତୃତ ଆଲୋଚନା କରାଯିବ । 

ଗତ କିଛି ଦିନ ପୂର୍ବେ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା । ବିଶେଷକରି ସହରର ରାସ୍ତାଘାଟ, ପରିମଳ, ବିଦ୍ୟୁତ ଓ ସ୍ବାସ୍ଥ୍ୟସେବା ଉପରେ ଉଦବେଗ ପ୍ରକାଶ ପାଇଥିଲା । ସେହିପରି ମେଡିକାଲରେ ଖାଲି ପଡିଥିବା ଡାକ୍ତରୀ ପଦବୀ ପୂରଣ ସହ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଯୋଗାଇ ଦେବା ପାଇଁ ଦାବି ହୋଇଥିଲା । ବୁଧବାର ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ବେଶ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରାଯିବ । ବୈଠକରେ ଅନ୍ୟାନ୍ୟ ମନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀ, ବିଧାୟକ, ଜିଲ୍ଲାପାଳ, ଏସ୍‌ପି, ସେବାୟତ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିବେ ।

You Can Read :

ସ୍ନାନ କରି ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ, ଶ୍ରୀଅଙ୍ଗ ଫିଟା ନୀତି କରୁଛନ୍ତି ଦଇତାପତି

 

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.