ସ୍ନାନ କରି ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ, ଶ୍ରୀଅଙ୍ଗ ଫିଟା ନୀତି କରୁଛନ୍ତି ଦଇତାପତି

Published By : Prameya-News7 Bureau | June 26, 2024 IST

ପୁରୀ ୨୬।୬: ସ୍ନାନଯାତ୍ରାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନକରି ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ । ଆୟୁର୍ବେଦ ଚିକିତ୍ସାର ପ୍ରୟୋଗଶାଳା ପାଲଟିଛି ଶ୍ରୀମନ୍ଦିର । ସ୍ନାନଯାତ୍ରାରେ ପରିଧାନ କରିଥିବା ଓଦା ବସ୍ତ୍ର ଶ୍ରୀଅଙ୍ଗରୁ ଫିଟାଯିବା ପରେ ବୁଧବାର ଶ୍ରୀଅଙ୍ଗ ଫିଟା ନୀତି କରୁଛନ୍ତି ଦଇତାପତି । ତେବେ ଜ୍ୱର ଯୋଗୁଁ ଛପନ ପଉଟି ଭୋଗ ଖାଉଥିବା ମହାପ୍ରଭୁଙ୍କୁ ନାନାଦି ଫଳମୂଳ ସହ କ୍ଷୀର, ଛେନା ଆଦିରେ ପ୍ରସ୍ତୁତ ଚକଟା ଭୋଗ ଲାଗି ହେଉଛି। ଅଣସର ପାଇଁ ମହାପ୍ରଭୁ ଶୁକ୍ଳ ବସ୍ତ୍ର ପରିଧାନ କରିବା ସହ କେବଳ ଶୁକ୍ଳ ଫୁଲ ଲାଗି ହେଉଛନ୍ତି। ଆସନ୍ତାକାଲି ବଡ଼ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ ଫୁଲୁରି ତେଲ ଲାଗି ହୋଇ ମହାପ୍ରଭୁ ଜ୍ବରରୁ ସୁସ୍ଥତା ଅନୁଭବ କରିବେ। ହେରାପଞ୍ଚମୀ ଦିନ ଶୁଦ୍ଧ ରାଶି ତେଲରେ ଚେରମୂଳି ଓ ସୁବାସିତ ଫୁଲ ପକାଇ ଏକ ପାତ୍ରରେ ରଖି ତାକୁ ମାଟି ତଳେ ପୋତା ଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ତେଲକୁ ବାହାର କରାଯାଇ ପଞ୍ଚମୀ ଦିନ ତେଲକୁ ଛଣାଯାଏ ଏବଂ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କ ପାଇଁ ପଠାଯାଏ। ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀଘର ଭୋଗ ସମ୍ପନ୍ନ ହେବା ପରେ ଜୟବିଜୟ ଦ୍ବାର ବନ୍ଦ ହୋଇ ଅଣସର ଦ୍ବାର ଖୋଲାଯାଇ ପତି ମହାପାତ୍ର ତିନୋଟି ରୂପା ପିଙ୍ଗଣରେ ତେଲକୁ ନେଇ ସଂସ୍କାର କରିବା ପରେ ଦଇତାପତି ସେବକ ମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ରେ ଲାଗି କରିଥାନ୍ତି। ବିଶ୍ବାସ ରହିଛି ଏହି ଫୁଲୁରି ତେଲ ମହାପ୍ରଭୁଙ୍କ ଶରୀରରେ ଲେପନ କରାଗଲେ ଶରୀରର ପୀଡ଼ା କମ୍ ହୋଇଥାଏ।

You Can Read :

ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.