ଜଳ ବିଜେ ନୀତି ବେଳେ ଆକାଶରୁ ଝରିଲା ବର୍ଷା, ସ୍ନାନବେଦୀରେ ଭିଜିଲେ ଚତୁର୍ଦ୍ଧାମୂର୍ତ୍ତି

Published By : Prameya-News7 Bureau | June 22, 2024 IST

ପୁରୀ ୨୨।୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟସ୍ନାନ । ରତ୍ନ ସିଂହାସନରୁ ସ୍ନାନମଣ୍ଡପକୁ ବିରାଜିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସ୍ନାନମଣ୍ଡପରୁ ଗଜାନନ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଭକ୍ତ ଓ ଭଗବାନଙ୍କ ମହାମିଳନ । 

ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ସ୍ନାନବେଦୀକୁ ରଙ୍ଗ ସହ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ସ୍ନାନବେଦି ଉପରେ ଚାନ୍ଦୁଆ ଲଗାଯାଇଛି । ସଜେଇ ହୋଇଛନ୍ତି ମହାବାହୁ । ମଥାରେ ଶୋଭା ପାଉଛି ଭଳିକି ଭଳି ଫୁଲ, ଗଳାରେ ପଡ଼ିଛି ତୁଳସୀ ମାଳ । ସ୍ନାନବେଦୀରେ ଶ୍ରୀବିଗ୍ରହଙ୍କ ଦିବ୍ୟ ଦର୍ଶନ କରୁଛନ୍ତି ଭକ୍ତ । ଆଉ କିଛି ସମୟ ପରେ ଦାରୁଦିଅଁଙ୍କ ଦିବ୍ୟସ୍ନାନ ।

ନିର୍ଘଣ୍ଟ ନୀତି ଅନୁଯାୟୀ, ଶନିବାର ଭୋର୍ ମଙ୍ଗଳାର୍ପଣ ପରେ ଡୋର ଲାଗି ଓ ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହୋଇଥିଲା । ଧାଡ଼ି ପହଣ୍ଡିରେ ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନବେଦୀକୁ ବିଜେ କରିଥିଲେ । ପହଣ୍ଡି ଶେଷ ପରେ ମଙ୍ଗଳଆଳତୀ ହୋଇଥିଲା । ମଧ୍ୟାହ୍ନରେ ଜଳବିଜେ ନୀତି ଅନୁଷ୍ଠିତ ହୋଇଥିଲା । ସ୍ନାନବେଦୀରେ ଚତୁର୍ଦ୍ଧା ବିଗ୍ରହଙ୍କ ଜଳ ବିଜେ ନୀତି ଚାଲିଛି । ଗରାବଡ଼ୁ ସେବକଙ୍କ ଦ୍ୱାରା ଜଳ ବିଜେ ନୀତି ଚାଲିଥିବା ବେଳେ ଆକାଶରୁ ଇନ୍ଦ୍ରଦେବଙ୍କ ବର୍ଷା । ବର୍ଷାରେ ଭିଜିଲା ବଡଦାଣ୍ଡ । ଭିଜିଲେ ଭକ୍ତ ଓ ଭଗବାନ । 

ମହାପ୍ରଭୁଙ୍କ ବିଦ୍ୟସ୍ନାନ ପରେ ଅପରାହ୍ନ ୩ଟାରେ ଗଜପତି ମହାରାଜା ଛେରା ପହଁରା କରିବା ପରେ ଅପରାହ୍ନ ୩ଟା ୪୦ରେ ଗଜବେଶ ଆରମ୍ଭ ହେବ । ରାତି ସାଢ଼େ ୭ଟାରୁ ଭକ୍ତଙ୍କ ସାହାଣମେଲା ଦର୍ଶନ ଆରମ୍ଭ ହେବ । ରାତି ସାଢ଼େ ୧୦ଟାରେ ସାହାଣମେଲା ଦର୍ଶନ ବନ୍ଦ ପରେ ରାତି ୧୧ଟାରେ ବେଶ ଓଲାଗି ଓ ସାଢ଼େ ୧୧ଟାରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ । ଗୋଟି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ଅଣସର ପିଣ୍ଡିକୁ ବିଜେ କରିବେ । ବାହୁଡ଼ା ପହଣ୍ଡି ରାତି ୨ଟା ଭିତରେ ଶେଷ ହେବ । ପରେ ରାତି ସାଢ଼େ ୨ଟାରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ହେବ ।

You Can Read :

ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦେଲେ ଦର୍ଶନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.