ପାକିସ୍ତାନକୁ ରାଜନାଥଙ୍କ କଟାକ୍ଷ, ଜାଣନ୍ତୁ IMF ବେଲ ଆଉଟ୍ ପ୍ୟାକେଜ୍ ନେଇ କହିଲେ କ’ଣ?

Published By : Prameya-News7 Bureau | September 30, 2024 IST

ବାନ୍ଦିପୋରା ୩୦।୯: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ବେଲ ଆଉଟ୍ ପ୍ୟାକେଜରେ ଚଳୁଥିବା ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି। କହିଛନ୍ତି କେନ୍ଦ୍ର ସରକାର ଲଗାତାର ଜମ୍ମୁ-କାଶ୍ମୀରକୁ ବିକାଶ ଲାଗି ପଇସା ଦେଉଛନ୍ତି। ତା ଠାରୁ ବି କମ ପଇସା ପାଇଁ ପାକିସ୍ତାନକୁ ଆଇଏମଏଫଙ୍କ ନିକଟରେ ନେହୁରା ହେବାକୁ ପଡୁଛି। ରାଜନାଥ କହିଛନ୍ତି ଯେ ପାକିସ୍ତାନକୁ ଯାହାବି ସହାୟତା ମିଳୁଛି ସେ ତାର ଦୂରୁପଯୋଗ କରୁଛି। 

ସେ କହିଛନ୍ତି ଯେ ପାକିସ୍ତାନ ଯଦି ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିଥାନ୍ତା ତେବେ ପଡୋଶୀ ହୋଇଥିବାରୁ ଆଇଏମଏଫଙ୍କ ଠାରୁ ମଧ୍ୟ ବଡ଼ ବେଲଆଉଟ୍ ପ୍ୟାକେଜ୍ ପାଇପାରିଥାନ୍ତା। କେନ୍ଦ୍ରର ମୋଦି ସରକାର ୨୦୧୪-୧୫ ଆର୍ଥିକ ବର୍ଷରେ ଜମ୍ମୁ-କାଶ୍ମୀର ବିକାଶ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ, ଯାହା ଏବେ ୯୦ ହଜାର କୋଟି ଟଙ୍କାକୁ ପହଞ୍ଚି ଯାଇଛି। ଆଜି ପାକିସ୍ତାନ ଆଇଏମଏଫଙ୍କୁ ଯେତିକି ପଇସା ପାଇଁ ଗୁହାରି କରୁଛି ଏହା ତାଠୁ ଅନେକ ଅଧିକ। 

ବାନ୍ଦିପୋରାରେ ନିର୍ବାଚନ ରାଲିକୁ ସମ୍ବୋଧିତ କରି ରାଜନାଥ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଉଲ୍ଲେଖ କରି କହିଛନ୍ତି ଯେ ଆମେ ବନ୍ଧୁ ବଦଳେଇ ପାରିବା ହେଲେ ପଡୋଶୀ ନୁହେଁ । ଆଜି ମୁଁ ପାକିସ୍ତାନକୁ ପଚାରିବାକୁ ଚାହୁଁଛି ମୋର ପାକିସ୍ତାନୀ ବନ୍ଧୁମାନେ ଆମ ସମ୍ପର୍କ ଏତେ ଖରାପ କାହିଁକି? ଆମେ ପଡୋଶୀ, କେହି ବି ନିଜ ପଡୋଶୀଙ୍କୁ ଅସୁବିଧାରେ ଦେଖିବାକୁ ଚାହିଁବେନି। ଯଦି ତମେ ଆମ ସହିତ ଭଲ ସମ୍ପର୍କ ରଖିଥାନ୍ତ ଆମେ ଏମିତିରେ ତୁମକୁ ସହଯୋଗ କରିଦେଇଥାନ୍ତୁ। 

ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ପାକିସ୍ତାନ ତା ମାଟିରେ ଆତଙ୍କର ଫାକ୍ଟ୍ରି ଚଳାଇବା ପାଇଁ ଅନ୍ୟ ଦେଶମାନଙ୍କୁ ପଇସା ମାଗୁଛି। ପାକିସ୍ତାନର ପରିସ୍ଥିତି ଆଜି କାହାକୁ ଅଛପା ନାହିଁ। ସେ କାଶ୍ମୀର ଘାଟିକୁ ଅଶାନ୍ତ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛି। ଯେତେବେଳେ ଆମ କାଶ୍ମୀରରେ ମାନବିକତା, ଗଣତନ୍ତ୍ର ଓ କାଶ୍ମୀର ପ୍ରତିଷ୍ଠା ପାଇଁ ବାଜପେୟୀଙ୍କ ସ୍ୱପ୍ନ ପୁରା ହୋଇଯିବ କାଶ୍ମୀର ପୁଣି ଥରେ ପୃଥିବୀରେ ଭୂସ୍ୱର୍ଗ ପାଲଟିବ। ରକ୍ଷାମନ୍ତ୍ରୀ କହିଛନ୍ତି ଯେ ଦେଶରେ ଯେବେ ବି କୌଣସି ଆତଙ୍କବାଦୀ ଘଟଣା ହୋଇଛି ଓ ଏହାର ଯାଞ୍ଚ ହୋଇଛି ଏହାର ମୂଳରେ ପାକିସ୍ତାନକୁ ଦେଖାଯାଇଛି। 

ଭାରତରେ ଯେଉଁ ବି ସରକାର ରହିଛନ୍ତି ସେମାନେ ପାକିସ୍ତାନକୁ ସବୁ ବେଳେ ବୁଝେଇବାକୁ ଚେଷ୍ଟା କରିଛନ୍ତି ଆତଙ୍କ ଶିବିର ବନ୍ଦ କରିଦିଅ, ହେଲେ ଏହାର କିଛି ବି ସୁଫଳ ମିଳିନି। ଆଜି ୩୭୦ ହଟିଯାଇଥିବା ବେଳେ ପାକିସ୍ତାନ ହତାସା ଓ ନିରାଶାରେ ଘେରିଯାଇଛି। ସେ ଲଗାତାର ଉଦ୍ୟମ କରୁଛି କେମିତି କଣ କରି ଆତଙ୍କକୁ ପୁନର୍ଜୀବିତ କରିବ। ରାଜନାଥ କହିଛନ୍ତି ଯେ ପାକିସ୍ତାନ ଚାହେଁନି କାଶ୍ମୀରରେ ଗଣତନ୍ତ୍ର ମଜଭୁତ ହେଉ। କିନ୍ତୁ ଆଜି ଆମ ଦେଶ ଏତେ ମଜଭୁତ ଯେ ନିଜ ମାଟିରେ ଆମେ ପାକିସ୍ତାନର ଯେ କୌଣସି ଷଡ଼ଯନ୍ତ୍ରକୁ ପଣ୍ଡ କରିପାରୁଛୁ। ଏଥିରେ ଯଦି ପାକିସ୍ତାନ ପଟରୁ କୌଣସି ଆକ୍ରମଣ ହୁଏ ଆମେ ସୀମା ପାର କରି ଏହାର ଜବାବ ବି ଦେଇ ପାରିବୁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.