ପ୍ରତିଭାକୁ ବରବାଦ୍ ହେବାକୁ ଦେବୁ ନାହିଁ...ଦଳିତ ଛାତ୍ରଙ୍କୁ ଆଡ୍‌ମିଶନ ଦେବା ପାଇଁ IIT ଧାନବାଦକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | September 30, 2024 IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ନିଜ ଅସାଧାରଣ ଶକ୍ତିକୁ ପ୍ରୟୋଗ କରି ଆଇଆଇଟି ଧାନବାଦକୁ ଜଣେ ଦଳିତ ଛାତ୍ରଙ୍କୁ ଆଡ୍‌ମିଶନ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ର ଜଣକ ଧାର୍ଯ୍ୟ ସମୟ ଭିତରେ ଫି’ ଜମା କରିପାରି ନଥିବା କାରଣରୁ ନିଜ ସିଟ୍ ହରାଇ ବସିଥିଲେ । ଆଇଆଇଟି ଧାନବାଦରେ ନିଜ ଆଡମିଶନ ସୁରକ୍ଷିତ କରିବା ପାଇଁ ଛାତ୍ର ଅତୁଲ କୁମାରଙ୍କୁ ୧୭୫୦୦ ଟଙ୍କା ଫି’ ରୂପେ ଦେବାର ଥିଲା । ଏହି ଟଙ୍କା ଜମା କରାଇବା ପାଇଁ ଛାତ୍ରଙ୍କ ପାଖରେ ୪ ଦିନ ସମୟ ଥିଲା । ଛାତ୍ରଙ୍କ ବାପା, ଜଣେ ଦିନ ମଦୁରିଆ ଏବଂ ନିଜର ସବୁ ସମ୍ଭବ ଉଦ୍ୟମ ସତ୍ତ୍ୱେ ସମୟରେ ଫି’ ଜମା କରିବାରେ ବିଫଳ ହୋଇଥିଲେ । ଏହାପରେ ଛାତ୍ରଙ୍କ ଆଇଆଇଟିରେ ଆଡମିଶନ ନେବା ସ୍ୱପ୍ନରେ ବ୍ରେକ୍ ଲାଗିଥିଲା । 

ଏହାପରେ ଛାତ୍ରଙ୍କ ବାପା କୋର୍ଟଙ୍କ ଆଶ୍ରୟ ନେଇଥିଲେ । ତିନି ମାସ ଯାଏ ଛାତ୍ରଙ୍କ ବାପା ଏସସି/ଏସଟି ଆୟୋଗ, ଝାଡ଼ଖଣ୍ଡ ଏବଂ ମାଦ୍ରାସ ହାଇକୋର୍ଟଙ୍କ ଚକ୍କର କାଟିଥିଲେ । ଶେଷରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଛାତ୍ରଙ୍କୁ ଆଡମିଶନ ଦେବା ପାଇଁ ଆଇଆଇଟିକୁ ଆଦେଶ ଦେଇଛନ୍ତି । 

ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ କହିଛନ୍ତି, 'ଆମେ ଏପରି ଯୁବ ପ୍ରତିଭାବାନ ଛାତ୍ରଙ୍କୁ ହରାଇ ପାରିବା ନାହିଁ । ତାଙ୍କୁ ମଝି ଦରିଆରେ ଛଡ଼ା ଯାଇ ପାରିବା ନାହିଁ । ସେ ଝାଡ଼ଖଣ୍ଡରେ ଆଇନର ଶରଣ ନେଲେ, ପରେ ଚେନ୍ନାଇରେ ଆଇନ ସେବା ପ୍ରଧିକରଣ ଏବଂ ଶେଷରେ ହାଇକୋର୍ଟଙ୍କ ଶରଣ ନେଲେ । ଜଣେ ଦଳିତ ଯୁବକକୁ ଏ ଦ୍ୱାର ସେ ଦ୍ୱାର ହେବାକୁ ପଡ଼ିଲା ।' ଏହାପରେ ଶୀର୍ଷ ଅଦାଲତ ସମ୍ୱିଧାନର ଅନୁଚ୍ଛେଦ ୧୪୨ରେ ନିଜ ଅସାଧାରଣ ଶକ୍ତିକୁ ପ୍ରୟୋଗ କରି ଆଇଆଇଟି ଧାନବାଦକୁ ଛାତ୍ର ଅତୁଳ କମାରଙ୍କୁ ଇଞ୍ଜିନିୟରିଂ ବିଟେକ୍ ପାଠ୍ୟକ୍ରମରେ ଆଡମିଶନ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ୱିଧାନର ଅନୁଚ୍ଛେଦ ୧୪୨ ସର୍ବୋଚ୍ଚ କୋର୍ଟଙ୍କୁ ନ୍ୟାୟ ହିତରେ ଯେକୌଣସି ଆଦେଶ ପାରିତ କରିବାର ଅଧିକାର ପ୍ରଦାନ କରେ ।

ସିଜେଆଇ ଶୁଣାଣି ବେଳେ ଛାତ୍ରଙ୍କୁ କହିଛନ୍ତି, 'ଅଲ୍ ଦ ବେଷ୍ଟ । ଆଗକୁ ଭଲ କର ।' କୋର୍ଟଙ୍କ ଆଦେଶ ପରେ ଅତୁଲ କୁମାର କହିଛନ୍ତି, 'ମୋ ଜୀବନ ପୁଣି ଥରେ ଟ୍ରାକରୁ ଫେରି ଆସିଛି । ମୁଁ ବହୁତ ଖୁସି ଅନୁଭବ କରୁଛି ।'

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.