ଲୁଣ, କାର, ସେମିକଣ୍ଡକ୍ଟର...ସବୁଠି ଟାଟାର ଉପସ୍ଥିତି, ଜାମସେଦଜୀ ତିଆରି କରିଥିବା କମ୍ପାନିକୁ ଶିଖରରେ ପହଞ୍ଚାଇଛନ୍ତି ରତନ ଟାଟା

Published By : Prameya-News7 Bureau | October 10, 2024 IST

ନୂଆଦିଲ୍ଲୀ: ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ନିଧନରେ ସାରା ଦେଶରେ ଶୋକର ଛାୟା । ରତନ ଟାଟା ସେହି ବ୍ୟକ୍ତି ଯିଏ ବଡ଼ ବଡ଼ ଅଧିଗ୍ରହଣ ସହ ଏକ ସ୍ଥିର ଏବଂ ବିଶାଳ ଭାରତୀୟ ଉଦ୍ୟୋଗ ସମୂହକୁ ବୈଶ୍ୱିକ ମଞ୍ଚରେ ସ୍ଥାପିତ କରିଥିଲେ । ରତନ ଟାଟା ୨୦ରୁ ଅଧିକ ବର୍ଷ ଯାଏ ଅଧ୍ୟକ୍ଷ ଭାବେ ଟାଟା ଗ୍ରୁପର ନେତୃତ୍ୱ ନେଇଥିଲେ । ଅବସର ପରେ ଗ୍ରୁପର ପରିଚାଳନାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଜାରି ରହିଥିଲା । ତେବେ ଆସନ୍ତୁ ନଜର ପକାଇବା ରତନ ଟାଟାଙ୍କ ବିଜନେସ୍ କ୍ୟାରିୟର ଉପରେ ।

ଆମେରିକାରୁ ବାସ୍ତୁକଳାର ଡିଗ୍ରୀ ନେଇ ଫେରଥିଲେ ଏବଂ ୧୯୬୨ରେ ଆରମ୍ଭ କଲେ କାମ

ଆମେରିକାର କାର୍ନେଲ ବିଶ୍ୱବିଦ୍ୟାଳୟରୁ ବାସ୍ତୁକଳାରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ରତନ ଟାଟା ଭାରତ ଫେରିଥିଲେ ଏବଂ ୧୯୬୨ରେ ଗ୍ରୁପ୍ ସହ ଯୋଡ଼ି ହୋଇଥିଲେ । ନିଜ କ୍ୟାରିୟରରେ ସେ ଟାଟା ଗ୍ରୁପର ଅନେକ କମ୍ପାନିରେ କାମ କରିଛନ୍ତି, ଯେଉଁଥିରେ ଟେଲକୋ (ଏବେ ଟାଟା ମୋଟର୍ସ ଲିମିଟେଡ୍) ଏବଂ ଟାଟା ଷ୍ଟିଲ୍ ଲିମିଟେଡ୍ ପରି କମ୍ପାନି ସାମିଲ ରହିଛି । ଟାଟାର ଅନ୍ୟ ଏକ କମ୍ପାନି ନ୍ୟାସନାଲ୍ ରେଡିଓ ଆଣ୍ଡ ଇଲେକ୍ଟ୍ରୋନିକ୍ସ କମ୍ପାନିର କ୍ଷତିକୁ କମ କରି ବଜାର ସେୟାର ବଢାଇଥିଲେ, ଯାହା ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲା ।

୧୯୯୧ରେ ଜେଆରଡି ଟାଟାଙ୍କ ଅବସର ନେବା ପରେ ନେଇଥିଲେ ନେତୃତ୍ୱ

୧୯୯୧ରେ ରତନ ଟାଟାଙ୍କ ଦାଦା ଜେଆରଡି ଟାଟା ପଦ ଛାଡ଼ିବା ପରେ ରତନ ଟାଟାଙ୍କୁ ଗ୍ରୁପର ନେତୃତ୍ୱ ଦିଆଯାଇଥିଲା । ଏହାପରେ ସେ ୨୦୧୨ ମସିହା ଯାଏ ଲୁଣଠାରୁ ଆରମ୍ଭ କରି ସପ୍ଟୱେୟର ତିଆରି କରୁଥିବା କମ୍ପାନି ଟାଟା ସନ୍ସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଥିଲେ । ଉଲ୍ଲେଖଯୋଗ୍ୟ ଯେ ରତନ ଟାଟା ଗ୍ରୁପର ଦାୟିତ୍ୱ ନେବା ବେଳେ ଭାରତ ନିଜ ଅର୍ଥବ୍ୟବସ୍ଥାରେ କ୍ରାନ୍ତିକାରୀ ପରିବର୍ତ୍ତନ କରିବା ଆରମ୍ଭ କରିଥିଲା । ସେହି ସମୟରେ ସରକାର ଅର୍ଥବ୍ୟବସ୍ଥାକୁ ବୈଶ୍ୱିକ ନିବେଶ ପାଇଁ ଖୋଲିଥିଲେ, ଯାହାପରେ ଦେଶରେ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲେ ।

ରତନ ଟାଟା ଦୁନିଆର ବଡ଼ ବ୍ରାଣ୍ଡକୁ ଟାଟା ଅଧିନକୁ ଆଣିଥିଲେ

ଦୂରସଂଚାର କମ୍ପାନି ଟାଟା ଟେଲିସର୍ଭିସେସ୍ ସ୍ଥାପନା କରିଥିଲେ ରତନ । ୧୯୯୬ରେ ସେ ଆଇଟି ଫାର୍ମ ଟିସିଏସକୁ ନିଜ ଅଧିନକୁ ଆଣିଥିଲେ । ଗ୍ରୁପର ଆୟରେ ବଡ଼ ଅଂଶ ରଖୁଥିବା ଏହି କମ୍ପାନିକୁ ୨୦୦୪ରେ ସାର୍ବଜନୀନ କରାଗଲା । ରତନ ଟାଟାଙ୍କ ନେତୃତ୍ୱରେ ସର୍ବାଙ୍ଗୀନ ବିକାଶ ପାଇଁ ଭାରତୀୟ ସୀମା ଡେଇଁବା ପାଇଁ ଗ୍ରୁପ ନିଷ୍ପତ୍ତି ନେଲା । ୨୦୦୦ ମସିହାରେ ବ୍ରିଟିଶର ଚା' କମ୍ପାନି ଟେଟଲିକୁ ୪୩୨ ମିଲିୟନ ଡଲାରରେ ଏବଂ ୨୦୦୭ରେ ଆଙ୍ଗଲୋ-ଡଚ୍ ଷ୍ଟିଲ୍ ନିର୍ମାତା କୋରସକୁ ୧୩ ବିଲିୟନ ଡଲାରରେ ଅଧିଗ୍ରହଣ କରିଥିଲେ । ଏହାପରେ ଟାଟା ମୋଟର୍ସ ଫୋର୍ଡ ମୋଟର କମ୍ପାନିରୁ ବ୍ରିଟିଶ ଲଜଗରୀ ଅଟୋ ବ୍ରାଣ୍ଡ ଜଗୁଆର ଏବଂ ଲ୍ୟାଣ୍ଡ ରୋଭର ଅଧିଗ୍ରହଣ କରିଥିଲେ । ୨୦୦୮ ମସିହାରେ ଏହି ଡିଲ୍ ୨.୩ ବିଲିୟନ ଡଲାରରେ ହୋଇଥିଲେ ।

ଲୁଣଠାରୁ ଆରମ୍ଭ କରି ସେମିକଣ୍ଡକ୍ଟର ନିର୍ମାଣ କାରବାରରେ ଟାଟା ଗ୍ରୁପ୍

ଟାଟା ଗ୍ରୁପ୍ ଅନେକ ବଡ଼ କମ୍ପାନିର ପରିଚାଳନା କରୁଛି । ଟାଟା ଗ୍ରୁପର ପ୍ରମୁଖ କମ୍ପାନିରେ ଏୟାର ଇଣ୍ଡିଆ, ଟିସିଏସ୍, ଟାଟା ମୋଟର୍ସ, ଟାଟା ନମକ୍, ଟାଟା ଟି’, ଜଗୁଆର ଏବଂ ଲ୍ୟାଣ୍ଡ ରୋଭର, ଟାଇଟନ, ଟନିସ୍କ, ଷ୍ଟାକବକ୍ସ, ଭୋଲ୍ଟାସ, ଜାରା, ୱେଷ୍ଟସାଇଡ୍, କଲ୍ଟଫିଟ୍, ଟାଟା ଏଆଇଜି, ଟାଟା ଏଆଇଏ ଲାଇଫ୍, ଟାଟା ପ୍ଲେ, ଟାଟା କ୍ୟାପିଟାଲ୍ସ ପରି ବ୍ରାଣ୍ଡ ସାମିଲ ରହିଛି । ଟାଟା ଗ୍ରୁପ ଏବେ ଦେଶରେ ସେମିକଣ୍ଡକ୍ଟର ନିର୍ମାଣରେ ମଧ୍ୟ ପ୍ରବେଶ କରିଛି । ରତନ ଟାଟା ଭାରତୀୟ ଷ୍ଟାର୍ଟଅପରେ ଜଣେ ପ୍ରମୁଖ ନିବେଶକ ଭାବେ ମଧ୍ୟ ପରିଚିତ ଥିଲେ । ସେ ପେଟିଏମ୍, ଓଲା ଏବଂ ଅର୍ବାନ କମ୍ପାନି ପରି ଷ୍ଟାର୍ଟଅପରେ ନିବେଶ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.