ରଥଖଳା ହାଲଚାଲ : ତିନି ରଥରେ ଚଉଦ ନାହାକା ବୁଲିବା ସହ ଚାରି ନାହାକାରେ ମୂଳ ଭୂଇଁ ଓ ମଝି ଭୂଇଁ ପଡ଼ିବା ଶେଷ

Published By : Prameya-News7 Bureau | June 24, 2024 IST

ପୁରୀ ୨୪।୬: ରବିବାର ତିନି ରଥରେ ଚଉଦ ନାହାକା ବୁଲିବା ସହ ପ୍ରଥମ ଭୂଇଁ ଓ ଦ୍ୱିତୀୟ ଭୂଇଁ ଟୁଙ୍ଗୁରା ଯାଇଛି ।  ଚାରିନାହାକାର ଚତୁପାର୍ଶ୍ବରେ ବୁଲିଛି  ଚଉଦନାହାକା । ପ୍ରଥମେ ତିନି ରଥର ଦଣ୍ଡା  ଉପରେ ଖଦିଓରା କାଠ (ନଡ଼ିଆ କାଠର  ଗଡ଼) ଖଞ୍ଜାଗଲା । ଖଦିଓରାରେ ହୋଇଥିବା  ବିନ୍ଧରେ ଚଉଦନାହାକା ରଖାଗଲା । ପରେ  ଛଅ କାଠ ଉପରେ ପ୍ରଥମ ଓ ଦ୍ୱିତୀୟ ଭୂଇଁ  ଉଠିଥିଲା । ରଥର ଚକରେ ଆଜି ଲୁହା  ପ୍ଲେଟ୍‌ ଲାଗିଛି । ପହିରେ ନଟବୋଲ୍ଟ ଦେଇ  ପ୍ଲେଟ୍‌ ଫିଟିଂ କରିଛନ୍ତି କମାର ସେବକ ।  ପହି ଯୋଡ଼େଇକୁ ମଜଭୁତ୍‌ କରିବାକୁ  ଆଗିଆଣି ଚକରେ ଲାଗିଛି ପ୍ଲେଟ୍‌ । ରଥ  ଚାଳନା ସମୟରେ ବ୍ରେକ୍‌ ଯୋଗୁ ଆଗିଆଣି  ଚକରେ ଚାପ ପଡ଼େ । ଏଣୁ ଆଗରୁ ପ୍ଲେଟ୍‌  ଲଗାଯାଉଥିବା କହିଛନ୍ତି ନିର୍ମାଣକାରୀ । ପୂର୍ବରୁ ପ୍ରଥମ ଭୂଇଁର ଛଅ କାଠ  ରଥ ଉପରକୁ ଉଠିଥିଲା । ପରେ କଇଁଆ  ବାଡ଼େଇ ତାହାକୁ ସଳଖି ଦେଲେ ।  ଛଅ କାଠରେ ଥିବା ଅଙ୍କା ବଙ୍କା ଅଂଶ  ସୁଧୁରାଗଲା । ଚାରିନାହାକା ଓ ଛଅ କାଠକୁ  ଦୃଷ୍ଟିଦେଇ ବୁଲିଥିଲା ଚଉଦନାହାକା ।  ଚଉଦନାହାକାର ସାଲ ସବୁକୁ ଖଦିଓରାର  ବିନ୍ଧରେ ଭୁଞ୍ଜାଗଲା । ଖଦି ଓରା ହେଉଛି  ନଡ଼ିଆ କାଠର ଗଡ଼ । ଗୋଟିଏ ଖଦି  ଓରାରେ ଦୁଇଟି ବିନ୍ଧ ହୋଇଥିଲା । ୧୪  ନାହାକାରୁ ୧୦ଟି ଖଦିଓରା  ଉପରେ ରହିଲା । ବାକି  ଚାରିଗୋଟିର ନାମ ହେଉଛି  ଚଢ଼େଇ । ଚଉଦନାହାକା ବୁଲିବା ପରେ  ପ୍ରଥମ ଭୂଇଁ ଟୁଙ୍ଗୁରା ଗଲା । ପ୍ରଥମ  ଭୂଇଁରେ ଚାରିଗୋଟି ଖମ୍ବୀ ପୋତାଯାଇ  ଦ୍ୱିତୀୟ ଭୂଇଁର ଛଅ କାଠ ଉଠିଲା ।  ଅପରାହ୍ଣରେ ଦ୍ୱିତୀୟ ଭୂଇଁ ମଧ୍ୟ ଉଠିଲା । ଭୋଇ ସେବକମାନେ ରଥ ଉପରକୁ  ଓଜନିଆ କାଠକୁ ବୋହି ନେବାର ଶୈଳୀ  ଦେଖଣାହାରୀଙ୍କୁ ଅବାକ୍‌ କରୁଥିଲା ।  ଚିତ୍ରକରମାନେ ରଥ କାର୍ଯ୍ୟ ଆରମ୍ଭ  କରିଛନ୍ତି । ରଥ ଚକରୁ ଆରମ୍ଭ ହୋଇଛି ରଥ  ରଙ୍ଗ କାର୍ଯ୍ୟ । ପାଶ୍ୱର୍ ଦେବଦେବୀଙ୍କୁ ନୂତନ  ଭାବେ ଚିତ୍ର କରୁଛନ୍ତି ପାରମ୍ପରିକ ଚିତ୍ରକର  ସେବକ । ରୂପକାରଙ୍କ ନାଟଗୋଡ଼ରେ  ଖୋଦେଇ କାର୍ଯ୍ୟ ପ୍ରାୟ ଶେଷ । ବିଶ୍ୱକର୍ମାଙ୍କ  କାମକୁ ତାଳ ଦେଇ ଓଝା ସେବକମାନେ  ଲୁହା ସାମଗ୍ରୀ ତିଆରୁଛନ୍ତି ।  ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା  ବିଜୟ କୁମାର ମହାପାତ୍ର, ତାଳଧ୍ୱଜ  ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ  ମହାପାତ୍ର ଓ ଦେବୀ ରଥର ମୁଖ୍ୟ  ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ  ନିର୍ଦ୍ଦେଶ ଅନୁଯାଇ ପରସ୍ପର ଭିତରେ  ସମନ୍ୱୟ ରଖି ରଥ ନିର୍ମାଣ ଆଗଉଛି ।

You Can Read :

ବନ୍ଦ ଘରୁ ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.