୧୬ ବର୍ଷର ପ୍ରତୀକ୍ଷା, ୧୭ ବର୍ଷରେ ପୂରଣ; WPL ଫାଇନାଲରେ ଆର୍‌ସିବି ଚାମ୍ପିଅନ, ମହିଳା ଦେଲେ ମୁକୁଟ

Published By : Prameya-News7 Bureau | March 18, 2024 IST

ନୂଆଦିଲ୍ଲୀ: ଇ ସାଲ୍ କପ୍ ନାମ୍ ଦେ ୧୬ ବର୍ଷର ପ୍ରତୀକ୍ଷା, ୧୭ ବର୍ଷରେ ପୂରଣ । ଇତିହାସ ରଚିଲା ଆରସିବି । ଡବ୍ଲ୍ୟୁପିଏଲ୍ ଚାମ୍ପିଅନ୍ ବାଙ୍ଗାଲୋର । ଟ୍ରଫି ଦେଲା ଟିମ୍ ମନ୍ଧାନା । ଫାଇନାଲରେ ପୁଣି ଝୁଣ୍ଟିଲା ଡିସି । ଭାଙ୍ଗିଲା ଦିଲ୍ଲୀବାସୀଙ୍କ ଦିଲ୍ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ସମର୍ଥକଙ୍କ ରକ୍ତରେ ଆରବିସି ନୁହେଁ ଦୌଡ଼ିଲା ଆରସିବି । କ୍ରିକେଟ୍ ଫ୍ୟାନ୍ସଙ୍କ ୧୬ବର୍ଷ ପ୍ରତୀକ୍ଷାରେ ପୂର୍ଣ୍ଣଚ୍ଛେଦ ପକାଇଲା ମନ୍ଧାନା ବିଗ୍ରେଟ୍ । ଆରସିବିର ସ୍ବପ୍ନରେ ପର ଲଗାଇଛି ମହିଳା ଟିମ୍ । ପୁରୁଷଙ୍କୁ ପଛରେ ପକାଇ ଆଗାକୁ ବାହାରି ଯାଇଛନ୍ତି ଝିଅ । ଆଉ ୧୭ ବର୍ଷରେ ଚାମ୍ପିଅନ୍ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ । ମହିଳା ପ୍ରିମିୟର ଲିଗର ଦ୍ବିତୀୟ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଫାଇନାଲ୍ ଫାଇଟ୍‌ରେ ପରାସ୍ତ କରି ଦେଇ ଡବ୍ଲ୍ୟୁପିଏଲ୍ ମହାକୁମ୍ଭ ଉଠାଇଛନ୍ତି । ମାତ୍ର ଦୁଇ ବର୍ଷରେ ଟାଇଟଲ୍ ଜିତି ପୁରୁଷ ଟିମ୍‌ ପାଇଁ ପ୍ରେରଣା ସାଜିଲା ମନ୍ଧାନାଙ୍କ ବାହିନୀ ।

ମହିଳା ପ୍ରିମିୟର ଲିଗର ଟାଇଟଲ୍ ଲଢେଇରେ ବାଜି ମାରି ନେଇଛି ସ୍ମୃତି ମନ୍ଧାନାଙ୍କ ନେତ୍ବତାଧିନ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ । ଫାଇନାଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲକୁ ୮ ଓ୍ବିକେଟରେ ପରାସ୍ତ କରି ପ୍ରଥମ ଥର ପାଇଁ ଡବ୍ଲ୍ୟୁପିଏଲ ମୁକୁଟ ପିନ୍ଧିଛି ଆରସିବି । ସେପଟେ ଦ୍ବିତୀୟ ଥର ପାଇଁ ଫାଇନାଲରେ ଦିଲ୍ଲୀ ଝୁଣ୍ଟିବା ସହିତ ଟିମ୍‌ର ଟାଇଟାଲ୍ ସ୍ବପ୍ନ ଧୂଳିସାତ୍ ହୋଇଛି । ପୂରା ଟୁର୍ଣ୍ଣାମେଣ୍ଟରେ ପ୍ରଭାବ ବିସ୍ତାର କରିଥିବା ମେଗ୍ ଲ୍ୟାନିଂ ବାହିନୀ ଫାଇନାଲ୍ ଫାଇଟରେ ଫ୍ଲପ୍ ହୋଇଛି । ଫଳରେ ଥରେ ନୁହେଁ ଦୁଇ ଦୁଇ ଥର ଦିଲ୍ଲୀ କ୍ୟାପିଟାଲ୍ସ କ୍ରିକେଟ୍ ପ୍ରେମୀଙ୍କ ଦିଲ୍ ଭାଙ୍ଗିଛି । 


ରବିବାର ସୁପର ସନଡେରେ ସୁପର ଫାଇଟ୍ ହୋଇଥିଲା । ଡବ୍ଲ୍ୟୁପିଏଲ୍ ଫାଇନାଲରେ ଅରୁଣ ଜେଟଲୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଲାଙ୍ଗୋର । ପ୍ରଥମ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଡିସି । ଲକ୍ଷ୍ୟ ଥିଲା ଦୁର୍ଦ୍ଦଶ ବ୍ୟାଟିଂ । ଆରସିବି ସାମ୍ନାରେ ରନର ପାହାଡ଼ ଛିଡ଼ା କରିବାକୁ ପାଳି ଆରମ୍ଭ କରିଥିଲେ ଅଧିକନାୟିକା ମେଗ୍‌  ଲ୍ୟାନିଂ ଓ ବିସ୍ଫୋରକ ଓପନର ଶେଫାଳି ବର୍ମା । ପ୍ରାରମ୍ଭରୁ ଟିମ୍ ମନ୍ଧାନାଙ୍କ ଉପରେ ଭାରି ପଡିଥିଲେ ଶେଫାଳି । ଆଉ ଛକା, ଚୌକାର ବର୍ଷା କରିଥିଲେ । ମାତ୍ର ୭ ଓଭରରେ କୌଣସି ଓ୍ବିକେଟ୍ ନହରାଇ ଦଳ ଦ୍ରୁତ ୬୪ ରନ୍ ସଂଗ୍ରହ କରିଥିଲା । ହେଲେ ସପ୍ତମ ଓଭରର ପ୍ରଥମ ବଲ୍‌ରେ ଆରସିବି ଦିଶାହୀନ ବୋଲିଂ ଟ୍ରାକକୁ ଫେରିଥିଲା । ସୋଫି ମୋଲିନକ୍ସ ଦୁର୍ଦ୍ଦଶ ବ୍ୟାଟିଂ କରୁଥିଲା ଶେଫାଳିଙ୍କୁ ଆଉଟ୍ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଏଇଠୁ ଆରମ୍ଭ ହୋଇଥିଲା ଡିସିର ପତନ । ସମାନ ଓଭରରେ ଜେମିମା ରୋଡ୍ରିଗ୍ସ ଓ ଆଲିସ୍‌ କ୍ୟାପସୀଙ୍କୁ ଶୂନରେ ଆଉଟ୍ ହୋଇଥିଲେ । ଆଉ ପରେ ପରେ ସ୍ପିନର ଶ୍ରେୟଙ୍କା ପାଟିଲ୍ କ୍ୟାପଟେନ୍ ମେଗ୍‌  ଲ୍ୟାନିଂ ଆଉଟ୍ କରି ଦିଲ୍ଲୀକୁ ବ୍ୟାକ୍ ଫୁଟକୁ ଠେଲି ଦେଇଥିଲେ । ଶ୍ରେୟଙ୍କାଙ୍କୁ ୪ଟି ଓ୍ବିକେଟ୍ ମିଳିଥିବା ବେଳେ ମୋଲିନକ୍ସଙ୍କୁ ୩ଟି ଏବଂ ଶୋଭାନା ୨ ଓ୍ବିକେଟ୍ ନେଇ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୧୩ ରନରେ ଅଟକାଇ ଦେଇଥିଲେ ।

ସେପଟେ ୧୧୩ ରନର ଲକ୍ଷ୍ୟ ପିଛା କରିଥିଲା ଆରସିବି । ଓପନିଂ ଯୋଡ଼ି ସ୍ମୃତି ମନ୍ଧନା ଓ ଶୋଫି  ଡିଭାଇନ୍‌ ଦୃଢ଼ ବ୍ୟାଟିଂ କରି ୪୯ରନ୍‌ର ଭାଗିଦାରୀ ଗଠନ କରିଥିଲେ । ପରେ ଡିଭାଇନଙ୍କୁ ଆଉଟ୍ ୩୨ରନରେ କରିଥିଲେ ଶିଖା ପାଣ୍ଡେ । ମଝିରେ ଦଳ ସାମାନ୍ୟ ଫସିଥିଲେ ସ୍ମୃତି ଧୌର୍ଯ୍ୟ ସହ ବ୍ୟାଟିଂ କରିଥିଲେ । ମନ୍ଧାନାଙ୍କ ଓ୍ବିକେଟ୍ ଖସିବା ପରେ ଏଲିସ୍‌ ପେରୀ ଓ ରିଚା ଘୋଷ୍ ଦର୍ଶନୀୟ ସଟ୍ ଖେଳି ଦଳକୁ ଚାମ୍ପିଅନ କରିଥିଲେ । ଯାହାଫଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ୧୬ ବର୍ଷର ସ୍ବପ୍ନ ପୂରଣ ହୋଇଛି । ମାତ୍ର ଦୁଇ ବର୍ଷରେ ସ୍ମୃତି ମନ୍ଧାନା ଟିମକୁ ଶୀର୍ଷରେ ପହଞ୍ଚାଇଛନ୍ତି । ଟୁର୍ଣ୍ଣାମେଣ୍ଟରେ ପ୍ରଭାବ ବିସ୍ତାର କରିଥିବା ଆଲିସା ପେରୀ ସର୍ବାଧିକ ରନ୍ ସଂଗ୍ରହ କରି ଅରେଞ୍ଜ୍ କ୍ୟାପ୍ ଜିତିଥିବା ବେଳେ ଶ୍ରେୟଙ୍କା ପାଟିଲ୍ ସର୍ବାଧିକ ଓ୍ବିକେଟ୍ ନେଇ ପର୍ପଲ୍ କ୍ୟାପ୍ ନିଜ ନାଁରେ କରିଛନ୍ତି । ସେହିପରି ପ୍ଲେୟାର ଅଫ୍ ଦି ମ୍ୟାଚ୍ ସୋଫି ମୋଲିନକ୍ସ ଏବଂ ପ୍ଲେୟାର ଅଫ୍ ଦି ସିରିଜ୍ ଦୀପ୍ତି ଶର୍ମା ହୋଇଛନ୍ତି ।

  • BCCI
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.