ଜେଦା: ଆଇପିଏଲ୍ ୨୦୨୫ର ମେଗା ନିଲାମରେ ପ୍ରଥମ ଘଣ୍ଟା ବହୁତ ରୋମାଞ୍ଚକର ହୋଇଛି। ଆରମ୍ଭରେ କିଛି ସମୟ କୋଲକାତା ନାଇଟ୍ ରାଇଡର୍ସର ପୂର୍ବତନ ଅଧିନାୟକ ଶ୍ରେୟସ ଆୟର ସବୁଠୁ ବଡ଼ ମହଙ୍ଗା ଖେଳାଳି ହୋଇଥିଲେ। ତାଙ୍କୁ ପଞ୍ଜାବ କିଙ୍ଗ୍ସ ୨୬.୭୫ କୋଟି ଟଙ୍କାରେ କିଣିଥିଲା। ମାତ୍ର ଏହାର କିଛି ସମୟରେ ଏହି ରେକର୍ଡ ଭାଙ୍ଗି ଯାଇଛି। ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତ ଆଇପିଏଲ୍ ଇତିହାସର ସବୁଠୁ ମହଙ୍ଗା ଖେଳାଳି ପାଲଟିଛନ୍ତି।
ପନ୍ତଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ୨୭ କୋଟି ଟଙ୍କାର ମୋଟା ଅଙ୍କ ଦେଇ ନିଜ ଦଳରେ ସାମିଲ କରିଛି। ପନ୍ତଙ୍କୁ ଦଳରେ ରଖିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଆରଟିଏମର ଉଦ୍ୟମ କରିଥିଲା। ହେଲେ ଏଲଏସଜି ତୁରନ୍ତ ଦର ବଢାଇ ଦେଇଥିଲା।ଆଉ ଦିଲ୍ଲୀ ହାତ ଟେକି ଦେଇଥିଲା। ଏହି ପରି ଲକ୍ଷ୍ନୌ ଭାରତୀୟ କ୍ରିକେଟ୍ ଦଳର ତାରକା ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତଙ୍କୁ ୨୭ କୋଟି ଖର୍ଚ୍ଚ କରି ନିଜ ଦଳରେ ସାମିଲ କରିଛି।
ଏହା ପୂର୍ବରୁ ଗତ ସଂସ୍କରଣରେ ନିଜ ନେତୃତ୍ଵରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର)କୁ ଚାମ୍ପିଅନ କରାଇଥିବା ଶ୍ରେୟସଙ୍କୁ ପଞ୍ଜାବ କିଙ୍ଗ୍ସ ୨୬.୭୫ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଥିଲା। ଏଥିସହ ଶ୍ରେୟସ ଆଇପିଏଲ୍ ଇତିହାସର ସବୁଠୁ ମହଙ୍ଗା ଖେଳାଳି ପାଲଟିଥିଲେ। ଏହା ପୂର୍ବରୁ ଆଇପିଏଲ୍ର ସବୁଠୁ ମହଙ୍ଗା ଖେଳାଳି ଥିଲେ ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କ। ତାଙ୍କୁ ଗତ ନିଲାମରେ କେକେଆର ୨୪.୭୫ କୋଟି ଟଙ୍କାରେ କିଣିଥିଲା।