IPL ଇତିହାସରେ ଦ୍ଵିତୀୟ ମହଙ୍ଗା ଖେଳାଳି ହେଲେ ଶ୍ରେୟସ ଆୟର, ଏତେ କୋଟି ଦେଇ କିଣିଲା ପଞ୍ଜାବ କିଙ୍ଗ୍ସ

Published By : Prameya-News7 Bureau | November 24, 2024 IST

ଜେଦା: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୫ ପାଇଁ ଆଜିଠୁ ସାଉଦି ଆରବର ସହର ଜେଦାରେ ମେଗା ନିଲାମ ଆରମ୍ଭ ହୋଇଛି। ଆଉ ଖେଳାଳିଙ୍କ ଉପରେ ମଧ୍ୟ ଟଙ୍କା ବର୍ଷା ହେଉଛି।ଏହିକ୍ରମରେ ଇତିହାସରେ ସବୁଠୁ ଦ୍ଵିତୀୟ ଦାମୀ ଖେଳାଳି ହେବାରୁ ରେକର୍ଡ ଭାଙ୍ଗିଛନ୍ତି ଶ୍ରେୟସ ଆୟର। ଗତ ସଂସ୍କରଣରେ ନିଜ ନେତୃତ୍ଵରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର)କୁ ଚାମ୍ପିଅନ କରାଇଥିବା ଏହି ଷ୍ଟାଇଲିସ୍ ବ୍ୟାଟରଙ୍କୁ ପଞ୍ଜାବ କିଙ୍ଗ୍ସ ୨୬.୭୫ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଛି। ଏହା ପୂର୍ବରୁ ଆଇପିଏଲ୍‌ର ସବୁଠୁ ମହଙ୍ଗା ଖେଳାଳି ଥିଲେ ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କ। ତାଙ୍କୁ ଗତ ନିଲାମରେ କେକେଆର ୨୪.୭୫ କୋଟି ଟଙ୍କାରେ କିଣିଥିଲା। 

ମେଗା ନିଲାମରେ ଶ୍ରେୟସଙ୍କ  ଉପରେ ଆରମ୍ଭରୁ ଶେଷ  ପର୍ଯ୍ୟନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଆଉ ଶେଷରେ ଶ୍ରେୟସଙ୍କ ନିଜ ଦଳରେ ସାମିଲ କରିବାରେ ସଫଳ ହୋଇଛି ପଞ୍ଜାବ କିଙ୍ଗ୍ସ। ଦୁଇ ଫ୍ରାଞ୍ଚାଇଜଙ୍କ ମଧ୍ୟରେ ଶ୍ରେୟସଙ୍କୁ କିଣିବା ପାଇଁ ଏମିତି ପ୍ରତିଯୋଗିତା ହେବା କାରଣ ଉଭୟ ଦଳ ଅଧିନାୟକ ସନ୍ଧାନରେ ଅଛନ୍ତି। ଶ୍ରେୟସ ଭଲ ବ୍ୟାଟର ହେବା ସହ ଅଧିନାୟକ ଭାବେ ନିଜକୁ ସାବ୍ୟସ୍ତ କରି ସାରିଛନ୍ତି। ତାଙ୍କର ବେସ୍ ପ୍ରାଇସ୍ ଥିଲା ୨ କୋଟି। 

ସୂଚନାଯୋଗ୍ୟ, ନିଲାମ ପୂର୍ବରୁ ଖେଳାଲି ରିଟେନସନ ସମୟରେ କେକେଆର ଶ୍ରେୟସ ଆୟରଙ୍କୁ ଦଳରେ ରଖି ନ ଥିଲା। କେକେଆର ସୁନୀଲ ନାରିନ (୧୨ କୋଟି), ରିଙ୍କୁ ସିଂ (୧୩ କୋଟି),  ଆଣ୍ଡ୍ରେ ରସେଲ (୧୨ କୋଟି), ବରୁଣ ଚକ୍ରବର୍ତ୍ତୀ (୧୨ କୋଟି), ରମଣଦୀପ ସିଂ (୪ କୋଟି) ଓ ହର୍ଷିତ ରାଣା (୪ କୋଟି)ଙ୍କୁ ଦଳରେ ରିଟେନ୍ କରିଥିଲା। ଫଳରେ ନିଜକୁ ନିଲାମରେ ସାମିଲ କରାଇଥିଲେ ଶ୍ରେୟସ ଆୟର।ଆଉ ଆଜି ତାଙ୍କ ଉପରେ ହୋଇଛି ଟଙ୍କା ବର୍ଷା।  

  • IPL 2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.