କନ୍ଧମାଳ ଜିଲ୍ଲାରେ ଝାଡ଼ାବାନ୍ତି ଆତଙ୍କ, ଏବେ ଯାଏଁ ଗଲାଣି ୬ ଜଣଙ୍କ ଜୀବନ

Published By : Prameya-News7 Bureau | October 03, 2024 IST

କନ୍ଧମାଳ ୦୩।୦୯ : କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ ଦୁର୍ଗାପାଙ୍ଗା ପଞ୍ଚାୟତରେ ଝାଡ଼ାବାନ୍ତି ଆତଙ୍କ । ସରକାରୀ ତଥ୍ୟ ଅନୁଯାୟୀ ୬ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିବା ବେଳେ   କାଣିବାରୁ ଅଞ୍ଚଳର ୧୫ ଅଧିକ ଜଣଙ୍କ ମୃତ୍ୟୁ ଘଟିଥିବା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ଶୁଣିବାକୁ ମିଳିଛି । ଏବେବି ଅଞ୍ଚଳର ୨୦ରୁ ଅଧିକ ଲୋକେ ଆକ୍ରାନ୍ତ ଥିବା ସୂଚନା ମିଳିଛି । 

ସୂଚନା ଅନୁଯାୟୀ, ଗତ କିଛିଦିନ ହେବ କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ଦୁର୍ଗାପାଙ୍ଗା ପଞ୍ଚାୟତର କାଣିବାରୁ, ସିନ୍ଧିବାଲି, ବାଣିପାଙ୍ଗା, ଡିମିଲି, ସାକାରଜୋଡ଼ି ଆଦି ଅଞ୍ଚଳରେ ପ୍ରାୟ ତିନି ସପ୍ତାହ ହେବ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।  କୋଟଗଡ଼ ଓ ବାଲିଗୁଡ଼ା ଡାକ୍ତରଖାନାରେ କିଛି ଲୋକ ଚିକତ୍ସିତ ହେଉଥିବା ବେଳେ ଗାଁରେ ଅନେକ ଲୋକ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଗାଁକୁ ଭଲ ରାସ୍ତା ନଥିବାରୁ ଗାଁକୁ ପହଁଚିପାରୁନି ଆମ୍ବୁଲାନ୍ସ । ଯାହାଫଳରେ ଅନେକ ଲୋକେ ଡାକ୍ତରଖାନା ପହଁଚି ପାରୁନଥିବା କହିଛନ୍ତି ଅଞ୍ଚଳବାସୀ । 

ସେପଟେ ଘଟଣା ସମ୍ପର୍କରେ ଖବର ପାଇ ସ୍ବାସ୍ଥ୍ୟ ବିଭାଗର ୫ଟି ଟିମ୍ ଗାଁରେ ପହଁଚି ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି l ଅନ୍ୟପଟେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଦାୟିତ୍ଵରେ ଥିବା ବିଜୟ କୁମାର ପଣ୍ଡା ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗାଁରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ଲୋକେ ନଦୀ, ନାଳ ପାଣି ପିଇ ରୋଗରେ ଆକ୍ରାନ୍ତ ହେଉଥିବା ସୂଚନା ରହିଛି । ଏପିରିକି  ଗାଁ ଲୋକ ଖରାପ ପାଣି ଏବଂ କଞ୍ଚା ଗୋ ମାଂସକୁ ଶୁଖାଇ ବ୍ୟବହାର କରାଯାଉଥିବାରୁ ସଂକ୍ରମଣ ହୋଇଥିବା ଆନୁମାନ କହିଛନ୍ତି ଦାୟିତ୍ଵରେ ଥିବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ବିଜୟ କୁମାର ପଣ୍ଡା । 

ସେହିପରି ଚିକିତ୍ସା ପରେ ସୁସ୍ଥ ହୋଇଥିବା ବ୍ୟକ୍ତିମାନେ ସଂକ୍ରମଣକୁ ଦେଖି ଗାଁକୁ ଯିବାକୁ ଡରୁଛନ୍ତି । ଯାହାଫଳରେ ସେମାନଙ୍କୁ କୋଟଗଡ଼ ଠାରେ ରଖାଯାଇ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.