କଲେଜ ଯାଇ ହଜିଯାଇଥିଲେ ସାଲେପୁରର ରଣଜିତ, ଶ୍ରଦ୍ଧା ଫାଉଣ୍ଡେସନର ସହାୟତାରେ ଘରକୁ ଫେରିଲେ

Published By : Prameya-News7 Bureau | September 29, 2024 IST

ସାଲେପୁର ୨୯/୯: ପୁଅକୁ ସାମ୍ନାରେ ପାଇ କୁଣ୍ଢାଇ ଗେଲ କରିଦେଉଛି । ପୁଣି ବଲ ବଲ ହୋଇ ପୁଅ ମୁହଁକୁ ଚାହିଁ ରହୁଛି । ଆଉ ଆଖିରୁ ଝର ଝର ଲୁହ ଝରିଯାଉଛି । ଏ ଅଶ୍ରୁ ଦୁଃଖର ନୁହେଁ । ଖୁସି ଓ ଶ୍ରଦ୍ଧାରେ ମନର କୋହ ଓ ଆଖିରେ ଲୁହ ବୋଲ ମାନୁନି । କାରଣ ବର୍ଷେ କି ୨ ବର୍ଷ ନୁହେଁ ଦୀର୍ଘ ୨୯ ବର୍ଷ ପରେ ମାଆ ପାଖକୁ ତା ହଜିଲା ଧନ ଫେରିଛି । 

କଟକ ଜିଲ୍ଲା ସାଲେପୁର ବ୍ଳକ ବାରଗୋଡ଼ିଆ ଗାଁର ରଣଜିତ ପରିଡା, ବୟସ ୫୦। ଜଣେ ମେଧାବୀ ଛାତ୍ର ଥିଲେ।  କଟକ ରେଭେନ୍ସା ମହାବିଦ୍ୟାଳୟରେ ୧୯୯୫ ମସିହାରେ ଇତିହାସ ବିଭାଗରେ ସ୍ନାତକୋତ୍ତରେ ପଢୁଥିବାବେଳେ ମାନସିକ ସ୍ଥିତି ଠିକ ନ ଥିବାରୁ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ସେ ସମୟରେ ପରିବାର ପକ୍ଷରୁ ଥାନାରେ ମଧ୍ୟ ନିଖୋଜ ଅଭିଯୋଗ କରାଯାଇଥିଲା। ବହୁ ଖୋଜା ଖୋଜି ପରେ ମଧ୍ୟ ପୁଅର  ପତ୍ତା ମିଳି ନଥିଲା। ୟା ଭିତରେ ବିତି ଯାଇଥିଲା ୨୯ ବର୍ଷ । ପୁଅ ବାଟ ଚାହିଁ ଚାହିଁ ବାପା ଆରପାରିକୁ ଚାଲିଯାଇଥିଲେ । ମାଆଙ୍କର ମଧ୍ୟ ପୁଅକୁ ଫେରି ପାଇବା ଆଶା ମଉଳି ମଉଳି ଯାଉଥିଲା । 


ସେପଟେ ବମ୍ବେର ଶ୍ରଦ୍ଧା ଫାଉଣ୍ଡେସନ ରଣଜିତକୁ ପାଇଥିଲେ। ମାନସିକ ସ୍ଥିତି ଠିକ କରିବା ପାଇଁ ଯୋଗାଇ ଦେଇଥିଲେ ଚିକିତ୍ସା। ରଣଜିତ ମାନସିକ ସ୍ତରରେ ଠିକ ହେବା ପରେ ନିଜର ପରିଚୟ ଦେଇଥିଲେ। ଶ୍ରଦ୍ଧା ଫାଉଣ୍ଡେସନରେ ଜଣେ ଖୋର୍ଦ୍ଧାର ବ୍ୟକ୍ତି କାମ କରୁଥିଲେ। ତାଙ୍କରି ସହାୟତାରେ ରଣଜିତ ଘରେ ପହଞ୍ଚିଥିଲେ । ପୁଅକୁ ଏଭଳି ପରିସ୍ଥିତିରେ ପାଇ ଆଶ୍ଚର୍ଯ୍ୟ ଚକିତ ହେବା ସହ ଖୁସିରେ ବିଭୋର ହୋଇଯାଇଛନ୍ତି ସମସ୍ତେ । ରଣଜିତକୁ ପାଇ ଦୀପ ଜାଳି ବନ୍ଧାପନା କରି ଘରକୁ ସ୍ବାଗତ କରାଯାଇଛି । । ସାଇନାଥ ଙ୍କ କୃପାରୁ ପୁଅକୁ ଫେରିପାଇଥିବାରୁ କୋଟି  ଧନ୍ୟବାଦ ଦେଇଛନ୍ତି ସମସ୍ତେ । ପୁରା ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଛି 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.