ଭୁବନେଶ୍ବର: ୧କୋଟି ଟପିଲା ସୁଭଦ୍ରା ପଞ୍ଜିକରଣ । ଓଡ଼ିଶାରେ ସୋମବାର ସୁଦ୍ଧା ୧କୋଟି ୨୦ହଜାର ମହିଳା ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଶୁଭାରମ୍ଭ କରାଯାଇଥିବା ଯୁଗାନ୍ତକାରୀ ସୁଭଦ୍ରା ଯୋଜନାରେ ଏକ କୋଟିରୁ ଅଧିକ ମହିଳା ହିତାଧିକାରୀଙ୍କୁ ପଞ୍ଜିକୃତ କରିବା ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ସେପଟେ ଆସନ୍ତା ୯ ତାରିଖରେ ଦିଆଯିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା । ବାରିପଦାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୂଚନା ଅନୁଯାୟୀ, ବାରିପଦାରେ ୩୫ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଅର୍ଥ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ।
ତେବେ କାର୍ଯ୍ୟକ୍ରମକୁ ଆଉ ଦୁଇ ଦିନ ବାକି ଥିବାବେଳେ, ଏଥିପାଇଁ ସୁଭଦ୍ରାକ୍ଷେତ୍ର ବାରିପଦାରେ ଚାଲିଛି ବ୍ୟାପକ ପ୍ରସ୍ତୁତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଉପମୁଖମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ସାଂସଦ ମାନେ ଯୋଗଦେବେ । ସେହିଭଳି ବାରିପଦା କାର୍ଯ୍ୟକ୍ରମରେ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ କରିଥିବା ଋଣର ପାଖାପାଖି ୨ଶହ କୋଟି ଟଙ୍କାର ସୁଧ ଛାଡ଼ ଘୋଷଣା କରିବେ ବୋଲି ଜଣାପଡ଼ିଛି ।