ବାଚସ୍ପତି ହେବି କେବେ ଭାବି ନଥିଲି, ପଦ ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବାକୁ ଚେଷ୍ଟା କରିବି : ସୁରମା ପାଢ଼ୀ

Published By : Prameya-News7 Bureau | June 20, 2024 IST

ଭୁବନେଶ୍ବର ୨୦।୬: ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି । ଓଡ଼ିଶା ବିଧାନସଭାରେ ଗୃହ ପରିଚାଳନା କରିବେ ଆଉ ଜଣେ ମହିଳା । ବିଧାନସଭାରେ ନୂଆ ବାଚସ୍ପତି ହୋଇଛନ୍ତି ବରିଷ୍ଠ ବିଧାୟିକା ସୁରମା ପାଢ଼ୀ । ପୂର୍ବତନ ମନ୍ତ୍ରୀ ତଥା ୨ଦୁଇ ଥରର ବିଧାୟିକା ହେଉଛନ୍ତି ସୁରମା ପାଢ଼ୀ । 

ବାଚସ୍ପତି ନିର୍ବାଚିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ସୁରମା ପାଢ଼ୀ । ସେ କହିଛନ୍ତି, ଏମିତି ଏକ ଦାୟିତ୍ବ ପାଇଁ ନିଜକୁ ଧନ୍ୟ ମନେକରୁଛି । ବିଧାନସଭା ଗଣତନ୍ତ୍ରର ଏକ ମନ୍ଦିର । ସମସ୍ତେ ସହଯୋଗ କରିବାକୁ ଆଶା କରୁଛି । ବାଚସ୍ପତି ହେବି କେବେ ଭାବି ନଥିଲି । ପଦ ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ୧୯୬୦ ଡିସେମ୍ବର ୨୯ ତାରିଖରେ ଗଞ୍ଜାମ ଜିଲ୍ଲା କନିଷି ଅଞ୍ଚଳର ଶିହଳା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସୁରମା ପାଢ଼ୀ । ଶିହଳା ପ୍ରାଥମିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିବା ପରେ ସେ ଭୁବନେଶ୍ୱର ୟୁନିଟ୍‌-୬ରେ ଏକାଦଶ ଶ୍ରେଣୀ ଶିକ୍ଷା ଗ୍ରହଣ କରିଥିଲେ । ୧୯୮୨ରେ ରେଭେନ୍‌ସା କଲେଜରୁ ହୋମ୍‌ସାଇନ୍ସରେ ପିଜି ପଢ଼ିଥିବା ବେଳେ ବାଣୀବିହାରରୁ ଏଲ୍‌ଏଲ୍‌ବି ପାସ୍‌ କରିଥିଲେ । ଛାତ୍ର ଜୀବନରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଭ୍ୟା ଭାବେ ସେ ନିଜକୁ ସାମିଲ କରିଥିଲେ । ବ୍ରହ୍ମପୁର ପ୍ରେମନଗରର ଚାଟାର୍ଡ ଆକାଉଣ୍ଟାଣ୍ଟ ବିପିନ ବିହାରୀ ପାଢ଼ୀଙ୍କୁ ବିବାହ କରିଥିଲେ ସୁରମା । ସୁରମାଙ୍କ ବାପା  ହରିଶ୍ଚନ୍ଦ୍ର ପାଢ଼ୀ ଓ ମାଆ ଉର୍ମିଳା ପାଢ଼ୀଙ୍କ ପରଲୋକ ହୋଇଥିବା ବେଳେ ତାଙ୍କର ତିନି ଭଉଣୀ ଓ ଦୁଇ ଭାଇ ଅଛନ୍ତି । 

୨୦୦୩ ଜାନୁଆରୀ ୨ ତାରିଖରେ ରଣପୁର ରାଜନୀତିରେ ପାଦ ଥାପିଥିଲେ ସୁରମା ପାଢ଼ୀ । ୨୦୦୦ ରୁ ୨୦୦୨ ଯାଏଁ ବିଜେପିର ଜାତୀୟ ମହିଳା ମୋର୍ଚ୍ଚାର ନେତୃତ୍ୱ ନେଇଥିଲେ ସୁରମା । ରାଷ୍ଟ୍ରୀୟ ବିଜେପି କାର୍ଯ୍ୟକାରିଣୀ କମିଟିର ସଦସ୍ୟ ରହିବା ସହ କାଜୁ ନିଗମର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ୨୦୦୪ରେ ବିଜେଡି-ବିଜେପି ମେଣ୍ଟ ସରକାରରେ ସେ ସମବାୟ ରାଷ୍ଟ୍ରମନ୍ତ୍ରୀ ଥିଲେ । ରଣପୁର ବିଧାନସଭା ଆସନରୁ ସେ ୨ୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।

You Can Read :

ବିଧାନସଭାରେ ନୂଆ ବାଚସ୍ପତି ସୁରମା ପାଢୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

 

 

  • odisha
  • Speaker election
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.