ଯୁବତୀଙ୍କ ଅପମୃତ୍ୟୁକୁ ନେଇ ବଢୁଛି ସନ୍ଦେହ, ବାପାଙ୍କୁ ଅଟକ ରଖି ପୋଲିସର ପଚରାଉଚରା

Published By : Prameya-News7 Bureau | October 09, 2024 IST

ବ୍ରହ୍ମପୁର ୯/୧୦: ଭଲ ପାଠ ପଢୁଥିଲେ । ଆଇଏଏସ ହେବାର ସ୍ବପ୍ନ ଦେଖୁଥିଲେ । ହେଲେ ହଠାତ ଏମିତି କଣ ହେଲା । କିରୋସିନି ଢାଳି ନିଜକୁ ଜାଳିଦେବାର ନିଷ୍ପତ୍ତି ନେଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜି ଦେଇଛନ୍ତି । ଯୁବତୀଙ୍କ ସହ ନିଆଁରେ ଜଳି ପୋଡି ପାଉଁଶ ହୋଇୟାଇଛି ଆଇଏଏସ୍‌ ହେବାର ସ୍ବପ୍ନ । ବ୍ରହ୍ମପୁର ସଦର ଥାନା କୁକୁଡା ଖଣ୍ଡିରୁ ଆସିଥିବା ଲୋମଟାଙ୍କୁରା ଘଟଣା ସମସ୍ତଙ୍କ ମନକୁ ଦୋହଲାଇ ଦେଇଛି । ପୋଲିସ ବାପା ଅଶୋକ ପ୍ରଧାନଙ୍କୁ ଅଟକ ରଖି ପଚରାଉଚରା କରୁଛି । 

ମୃତ ଯୁବତୀ ବ୍ରହ୍ମପୁର ସଦର ଥାନା ଅଞ୍ଚଳର । ସେ ଯୁକ୍ତ ୩ ବିଜ୍ଞାନର ଶେଷ ବର୍ଷର ଛାତ୍ରୀ ଥିଲେ । ପିଲାଟି ଦିନରୁ ମାଆଙ୍କୁ ହରାଇ ଥିଲେ । ସାବତ ମାଆ ଓ ବାପାଙ୍କ ସହ ରହୁଥିଲେ ସେ । ତେବେ ଗତ କିଛି ବର୍ଷ ହେଲା ବାପା ମଦ ପିଇ ଝିଅକୁ ନିର୍ଯାତନା ଦେଉଥିବା ସଂଗୀନ ଅଭିଯୋଗ ଆଣିଛନ୍ତି ସାବତ ମାଆ । କିଛି ସ୍ଥାନୀୟ ଲୋକ ମଧ୍ୟ ଏ କଥାକୁ ସ୍ବୀକାର କରିଛନ୍ତି । ତେଣୁ ଯୁବତୀଙ୍କ ମୃତ୍ୟୁ ପଛରେ ବାପାଙ୍କ ଅକଥନୀୟ ନିର୍ଯାତନା ଥିବା ସନ୍ଦେହ କରାଯାଉଛି ।  


ସୋମବାର ଘରେ କେହି ନଥିବାବେଳେ ବାପା-ଝିଅଙ୍କର ଝଗଡା ହୋଇଥିଲା । ବାପାଙ୍କ ପାଖରୁ ଟଙ୍କା ନେଇ କିରାସିନି କିଣିଥିଲେ ଯୁବତୀ । ଏହାର କିଛି ସମୟ ପରେ ଜଳୁଥିବା ଅବସ୍ଥାରେ ଘରୁ ବାହାରି ବ୍ଲକ ଅଫିସ ଆଡକୁ ଦୌଡିଥିଲେ ।ତାଙ୍କୁ ଏପରି ଅବସ୍ଥାରେ ଦେଖି ତାଟକା ହୋଇଯାଇଥିଲେ ସ୍ଥାନୀୟ ଲୋକେ । ଗୁରୁତର ଅବସ୍ତାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସେଦିନ କଣ ଘଟିଥିଲା ,କଣ କହୁଛନ୍ତି ଉଦ୍ଧାର କରିଥିବା ଯୁବକ ।  

ଏଠି ପ୍ରଶ୍ନ ଉଠୁଛି ଯୁବତୀଙ୍କ ଅସ୍ବାଭାବିକ ମୃତ୍ୟୁ ପାଇଁ ଦାୟୀ କିଏ ? ଆଇଏଏସ ହେବାର ସ୍ବପ୍ନ ଦେଖୁଥିବା ଝିଅଟିର ଅସ୍ବାଭାବାବିକ ମୃତ୍ୟୁକୁ ନେଇ ସନ୍ଦେହ ବଢୁଛି । ସେ ନିଜେ ଦେହରେ କିରାସିନି ଢାଳିଛନ୍ତି ନା ଆଉ କିଏ ତାଙ୍କ ଦେହରେ କିରାସିନି ଢାଳିଛି ?ଏମିତି ବିଭିନ୍ନ ଦିଗକୁ ଧରି ଛାନ୍‌ଭିନ୍‌ କରୁଛି ।  ପୋଲିସର ତଦନ୍ତ ପରେ ହିଁ ସବୁକିଛି ସ୍ପଷ୍ଟ ହେବ । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.