ଶରଧାବାଲିରେ ପହଞ୍ଚି ପାରିଲାନି ତିନି ରଥ, ଅଧାରେ ଅଟକିଲା ଦର୍ପଦଳଣ ଏବଂ ନନ୍ଦିଘୋଷ

Published By : Prameya-News7 Bureau | June 20, 2023 IST

ପୁରୀ: ପୁରୀ ଶରଧାବାଲିରେ ପହଞ୍ଚି ପାରିଲାନି ତିନି ରଥ । ନିର୍ଦ୍ଧାରିତ ସମୟର ଗୋଟିଏ ଘଣ୍ଟା ଆଗରୁ ରଥ ଟଣା ଯାଇଥିଲେ ହେଁ ତାଳଧ୍ଵଜକୁ ବାଦ୍ ଦେଲେ ଦର୍ପଦଳନ ଏବଂ ନନ୍ଦିଘୋଷ ରଥ ଅଧାରେ ଅଟକିଛି। ଆଜି ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ଶ୍ରୀବିଗ୍ରହମାନଙ୍କ ପହଣ୍ଡି, ରଥରେ ଗଜପତିଙ୍କ ଛେରା ପହଁରା ସହ ଠିକ୍ ସମୟରେ ରଥଟଣା ଆଦି ନୀତି ଶୃଙ୍ଖଳିତ ହୋଇଥିଲା । ରଥଯାତ୍ରା ପାଇଁ ଲୋକାରଣ୍ୟ ହୋଇଉଠିଥିଲା ପୁରୀ ବଡ଼ଦାଣ୍ଡ । ଜୟଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହେଉଥିଲା ଗଗନପବନ ।

{"id":806299,"sizeSlug":"full","linkDestination":"none"}

ଶରଧାବାଲିରେ ବଡ଼ ଠାକୁରଙ୍କ ତାଳଧ୍ଵଜ ରଥ ଲାଗି ଥିବା ବେଳେ ଅଧାରେ ଅଟକିଛି ଦର୍ପଦଳନ ଏବଂ ନନ୍ଦିଘୋଷ। ବଡ଼ଶଙ୍ଖରେ ଦର୍ପଦଳନ ଏବଂ ମାଉସୀ ମା ଛକରେ ନନ୍ଦିଘୋଷ ଅଟକିଛି। ଅପରାହ୍ଣ ୩ଟା ୪ ମିନିଟ୍ରେ ଆରମ୍ଭ ହୋଇଥିଲା ରଥଟଣା । ପ୍ରଥମେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଥିଲା ବଡ଼ ଠାକୁରଙ୍କ ତାଳଧ୍ବଜ ରଥ । ହରିବୋଲ ହୁଳହୁଳିରେ କମ୍ପିଥିଲା ସାରା ବଡ଼ଦାଣ୍ଡ ।  ଏହାର କିଛି ସମୟ ପରେ ଗଡ଼ିଥିଲା ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନ । ବଡ଼ ଭାଇ ଓ ଭଉଣୀଙ୍କ ରଥ ଆଗକୁ ଆଗକୁ ମାଡ଼ି ଚାଲିଥିଲା । ଆଉ ଶେଷରେ ଗହଳ ଲଗାଇ ଶ୍ରୀଗୁଣ୍ଡିଚା ଅଭିମୁଖେ ଗଡ଼ିଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ବଡ଼ଦାଣ୍ଡରେ ଜନସମୁଦ୍ର ଭିତରେ  ତିନିଟି ଡଙ୍ଗା ଭାସିବା ଭଳି ଦୃଶ୍ୟମାନ ହେଉଥିଲା ତିନି ରଥ ।

{"id":806294,"sizeSlug":"full","linkDestination":"none"}

ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ନୀତିକାନ୍ତି । ଭୋର୍ ୫ଟା ୫୦ ମିନିଟ୍ରେ ମଙ୍ଗଳ ଆଳତି । ୫ଟା ୫୫ରେ ମଇଲମ ଓ  ରୋଷହୋମ ହୋଇଥିଲା । ୬ଟାରେ ତଡ଼ପ ଲାଗି ।ସକାଳ ୯ଟା ପୂର୍ବରୁ ଗୋପାଳ ବଲ୍ଲଭ ଓ ସକାଳଧୂପ ହୋଇଥିଲା । ରଥ ପ୍ରତିଷ୍ଠା  ପରେ ଆରମ୍ଭ ହୋଇଥିଲା ଶ୍ରୀବିଗ୍ରହମାନଙ୍କ ପହଣ୍ଡି । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳିରେ ଫାଟି ପଡ଼ୁଥିଲା ସାରା ବଡ଼ଦାଣ୍ଡ । ତାଳଧ୍ବଜ ରଥରେ ବଡ଼ ଠାକୁର ବଳଭଦ୍ର ଏବଂ ଦର୍ପଦଳନ ରଥରେ ବିରାଜମାନ କରିଥିଲେ ଦେବୀ ସୁଭଦ୍ରା । ସେପଟେ ଟାହିଆ ହଲାଇ ସିଂହଦ୍ବାରରୁ ବାହାରୁଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ।

{"id":806297,"sizeSlug":"full","linkDestination":"none"}

କେତେବେଳେ ଅଧାବାଟରେ ଟିକେ ଅଟକି କଣେଇ କଣେଇ ଭକ୍ତଙ୍କୁ ଚାହୁଁଥିଲେ ତ ପୁଣି କେତେବେଳେ ତୀବ୍ର ଗତିରେ ରଥ ଆଡ଼କୁ ମାଡ଼ି ଆସୁଥିଲେ । ଏପେଟେ କଳାଶ୍ରୀମୁଖକୁ ଦର୍ଶନ କରି ଭକ୍ତ ଆଖିରୁ ଝରି ପଡ଼ୁଥିଲା ଆନନ୍ଦର ଅଶ୍ରୁ । ହୃଦୟ ଭିତରେ ଥିବା ସବୁ ଅଳି ଅର୍ଦ୍ଦଳିକୁ ନିଜ ଭଗବାନଙ୍କ ପାଖରେ ଅଜାଡ଼ି ଦେଉଥିଲା ଭକ୍ତ । ଏହା ପରେ ରଥାରୁଢ଼ ଠାକୁରଙ୍କୁ ଦର୍ଶନ କରିବାକୁ ଆସିଥିଲେ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ । ନିଜ ସହଯୋଗମାନଙ୍କ ସହ ରଥ ଉପରକୁ ଯାଇ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଥିଲେ ଜଗତଗୁରୁ । ସେବାୟତମାନେ ଶଙ୍କରାଚାର୍ଯ୍ୟଙ୍କୁ ପାଛୋଟି ନେଇଥିଲେ । ଗୋଟିକ ପରେ ଗୋଟିଏ ରଥକୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପ୍ରଣାମ କରିଥିଲେ ଶଙ୍କରାଚାର୍ଯ୍ୟ ।

{"id":806298,"sizeSlug":"full","linkDestination":"none"}

ଏହା ପରେ ରଥ ଉପରେ ଛେରାପହଁରା ନୀତି କରିବାକୁ ପହଞ୍ଚିଥିଲେ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜ । ବାଜୁଥିଲା ବୀରକାହାଳି, ତାମଜାନ୍‌ରେ ଆସିଥିଲେ ଗଜପତି । ପ୍ରଥମ ବଡ଼ ଠାକୁରଙ୍କ ତାଳଧ୍ବଜ ରଥକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଳତି କରିଥିଲେ । ଏହା ପରେ ସୁବର୍ଣ୍ଣ ଖଡ଼ିକାରେ ଛେରା ପହଁରା କରିଥିଲେ ଗଜପତି । ପରେ ପରେ ଦେବୀ ସୁଭଦ୍ରାଙ୍କ ଦେବୀ ଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଛେରାପହଁରା ନୀତି ସମ୍ପନ୍ନ କରିଥିଲେ ଗତପତି ଦିବ୍ୟସିଂହ ଦେବ । ରାଜବଂଶର ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ସେବା କରିଥିଲେ ।

ଏ ଖବର ପଢନ୍ତୁ-

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.