ଝାରସୁଗୁଡା ୧୮/୩: ଦୀର୍ଘ ୭ ଘଣ୍ଟା ପରେ ନବ ଦାସଙ୍କ ଘରୁ ବାହାରିଲା କ୍ରାଇମବ୍ରାଞ୍ଚ ଟିମ୍ । ନବ ଦାସଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କଲା ଟିମ୍ । ନବ ଦାସଙ୍କ ପତ୍ନୀ ମିନତୀ ଦାସ, ଝିଅ ଦୀପାଳୀ ଦାସ ଏବଂ ପୁଅ ନବ ଦାସଙ୍କ ବୟାନ ରେକର୍ଡ କରାଯାଇଛି । ଆବଶ୍ୟକ ପଡିଲେ ଅନ୍ୟମାନଙ୍କର ବି ବୟାନ ରେକର୍ଡ କରାଯିବା ନେଇ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ସେପଟେ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଲ ଦାସ । ସିବିଆଇ ଚିଠି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ମୁଖ୍ୟମନ୍ତ୍ରୀ ସମୟ ଦେଲେ ଦେଖା କରି ଆଲୋଚନା କରିବୁ ।
ପୁଣି କ୍ରାଇମବ୍ରାଞ୍ଚ ଖୋଲିଛି ନବ ଦାସ ହତ୍ୟା ଫାଇଲ୍ । ହତ୍ୟା ମାମଲାର ପୁଣି ଥରେ ତଦନ୍ତ ହେବା ନେଇ ଗୃହରେ ସୂଚନା ଦେଇଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କହିଥିଲେ ନବ ଦାସ ହତ୍ୟା ମାମଲାରେ ପରିବାର ଲୋକଙ୍କୁ ନ୍ୟାୟ ଦେଇପାରିନଥିଲେ ପୂର୍ବ ସରକାର । ତଦନ୍ତରେ ପରିବାର ଲୋକ ସନ୍ତୁଷ୍ଟ ନଥିଲେ । ପୂର୍ବ ସରକାର ତଦନ୍ତ ବାଟବଣା କରିଥିଲେ । ତଦନ୍ତର ଅନେକ ଦିଗ ବନ୍ଦ ଥିଲା । ଏବେ ଯେଉଁଠି ଯେଉଁଠି ଲିଙ୍କ୍ ଅଛି ସବୁ ଖୋଲିବ । ନିରପେକ୍ଷ ଓ କ୍ରିୟାଶୀଳତା ଭାବେ ତଦନ୍ତ ହେବ । ରାଜ୍ୟର ଜଣେ ମନ୍ତ୍ରୀଙ୍କୁ ରାସ୍ତାରେ ହତ୍ୟା ପଛରେ କିଏ କିଏ ଅଛନ୍ତି ତାର ତଦନ୍ତ ହେବ । କ୍ରାଇମବ୍ରାଞ୍ଚ ଉପରେ ଆମର ବିଶ୍ବାସ ଥିବା କହିଥିଲେ ଆଇନମନ୍ତ୍ରୀ ।
ନବ ଦାସ ହତ୍ୟା ମାମଲାରେ ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବାକୁ ଚାହୁଁଥିଲେ ପରିବାର । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇ-ମେଲ୍ କରିଥିଲେ ପତ୍ନୀ ମିନତୀ ଦାସ । ଇ-ମେଲ୍ରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ପାଇଁ ସମୟ ମାଗିଥିଲେ । ଗତ ୧୧ ତାରିଖରେ ମିନତୀ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇ-ମେଲ୍ ସହ ଏକ ଚିଠି କରିଥିବା ଜଣାପଡିଛି । ଏନେଇ ପୁଅ ବିଶାଲ ସୂଚନା ଦେଇଥିଲେ ।
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ୨ ବର୍ଷରୁ ଅଧିକ ହେଲାଣି । ୨୦୨୩, ଜାନୁଆରୀ ୨୯ରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗାନ୍ଧି ଛକରେ ଦିନ ପ୍ରାୟ ସାଢେ ୧୧ଟା ବେଳେ ନବ ଦାସଙ୍କ ଉପରକୁ ଗୁଳିମାଡ କରାଯାଇଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରୁ ସଂକଟାପନ୍ନ ଅବସ୍ଥାରେ ଏୟାରଲିଫ୍ଟ କରି ଭୁବନେଶ୍ବର ସ୍ଥିତ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ନବଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଝାରସୁଗୁଡାରେ ହିଁ ନବଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ସଂଗୀନ ଅଭିଯୋଗ ଆଣିଥିଲେ ବିଜେପି ନେତା ଜୟନାରାୟଣ ମିଶ୍ର।