ନିରାଶ କଲେ ବ୍ୟାଟର, ଭାରତୀୟ ଏ ଦଳକୁ ୨-୦ରେ ହରାଇଲା କଙ୍ଗାରୁ ଦଳ

Published By : Prameya-News7 Bureau | November 09, 2024 IST

ନୂଆଦିଲ୍ଲୀ: ବର୍ଡରର-ଗାଭାସ୍କର ଟ୍ରଫି ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା। ଅଷ୍ଟ୍ରେଲିଆ ଏ ଦଳ ଋତୁରାଜ ଗାଏକ୍ଵାଡ଼ଙ୍କ ନେତୃତ୍ଵାଧୀନ ଭାରତୀୟ ଏ ଦଳକୁ ଦ୍ଵିତୀୟ ଅନଅଫିସିଆଲ ଟେଷ୍ଟରେ ୬ ଓ୍ଵିକେଟ୍‌ରେ  ହରାଇଛି। ଏଥିସହ ଆୟୋଜକ ଦଳ ସିରିଜ ୨-୦ରେ କ୍ଲିନ ସୁଇପ୍ କରିଛି। ପ୍ରଥମ ଟେଷ୍ଟରେ ଭାରତୀୟ ଏ ଦଳ ୭ ଓ୍ଵିକେଟ୍‌ରେ ପରାସ୍ତ ହୋଇଥିଲା। ଇଣ୍ଡିଆ ଏ ଦ୍ଵିତୀୟ ଟେଷ୍ଟରେ କଙ୍ଗାରୁ ଦଳ ଆଗରେ ୧୬୮ ରନର  ବିଜୟ ଲକ୍ଷ୍ୟ ରଖିଥିଲା। ଜବାବରେ ଘରୋଇ ଦଳ ୪ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ସାମ କନଷ୍ଟାସ ୭୩ ରନର ଅପରଜିତ ଇନିଂସ ଖେଳି ଦଳ ବିଜୟରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି। ବ୍ୟୁ ଓ୍ଵେବଷ୍ଟେର ୪୬ ରନରେ ଅପରାଜିତ ରହିଛନ୍ତି।  

କଙ୍ଗାରୁ ଦଳର ଦ୍ଵିତୀୟ ଇନିଂସରେ ପ୍ରସିଦ୍ଧ କୃଷ୍ଣା ପ୍ରଥମ ଓଭରରେ ମାର୍କସ ହାରିସ ଓ କ୍ୟାମେରୁନ ବ୍ୟାନକ୍ରାଫ୍ଟଙ୍କୁ ଆଉଟ୍ କରି ଦୁଇଟି ସଫଳତା ଦେଇଥିଲେ। ଏହା ପରେ ମୁକେଶ କୁମାର ଅଷ୍ଟ୍ରେଲିଆ ଏ ଦଳର ଅଧିନାୟକ ନାଥନ ମ୍ୟାକସ୍ଵିନିଙ୍କୁ ପାଭିଲିୟନ ପଠାଇଥିଲେ। ତନୁଷ କୋଟିୟାନ ଓଲିଭର ଡେଭିସଙ୍କୁ ଆଉଟ୍ କରି ଭାରତକୁ ଚତୁର୍ଥ ସଫଳତା ଦେଇଥିଲେ। ଏହା ପରେ ଭାରତୀୟ ବୋଲର ଗୋଟିଏ ବି ଓ୍ଵିକେଟ୍ ନେଇ ପାରି ନ ଥିଲେ। ସାମ କନଷ୍ଟାସ ଦମଦାର ବ୍ୟାଟିଂ କରିଥିଲେ। ସେ ଓ ଓ୍ଵେବଷ୍ଟେର ଅବିଭାଜିତ ପଞ୍ଚମ ଓ୍ଵିକେଟ୍ ପାଇଁ ୯୬ ରନ ଯୋଡ଼ି ଦଳକୁ ବିଜୟୀ କରାଇଥିଲେ। 

ଏହା ପୂର୍ବରୁ ଭାରତୀୟ ଦଳ ଦ୍ଵିତୀୟ ଇନିଂସରେ ୨୨୯ ରନ କରିଥିଲା।ଏହି ଟେଷ୍ଟରେ ଭାରତ ପକ୍ଷରୁ ଧ୍ରୁବ ଜୁରେଲ ସ୍ଵତନ୍ତ୍ର ଚାପ ଛାଡ଼ିବାରେ ସଫଳ ରହିଛନ୍ତି। ସେ ୬୮ ରନର ଇନିଂସ ଖେଳିଥିଲେ। ତାଙ୍କ ବ୍ୟତୀତ ତନୁଷ କୋଟିଆନ ୪୪, ନୀତିଶ ରେଡ୍ଡି ୩୬ ଓ ପ୍ରସିଦ୍ଧକୃଷ୍ଣା ୨୯ ରନର ମମହତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। 

ଟସ୍  ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ  ପ୍ରଥମ ଓ୍ଵିକେଟ୍‌ରେ ୧୬୧ ରନ କରିଥିଲା। ଧ୍ରୁବ ଜୁରେଲ ପ୍ରଥମ ଇନିଂସରେ ୮୦ ରନର ଦମଦାର ଇନିଂସ ଖେଳିଛନ୍ତି। ଜବାବରେ ଅଷ୍ଟ୍ରେଲିଆ ଏ ୨୨୩ ରନ କରି ୬୨ ରନର ଅଗ୍ରଣୀ ହାସଲ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.