ଭୁବନେଶ୍ବର ୧୮।୧୨: ଭୁବନେଶ୍ବରରେ ସିବିଆଇ ରେଡ୍ ବେଳେ ଦାମୀ କାର୍ରୁ ୧୦ ଲକ୍ଷ ଟଙ୍କା ଜବତ ଘଟଣାରେ ଗିରଫ ତିନି ଅଭିଯୁକ୍ତଙ୍କୁ ମିଳିଲା ଜାମିନ । ସିବିଆଇ କୋର୍ଟ-୧ ଗିରଫ ୩ ଅଭିଯୁକ୍ତଙ୍କ ଜାମିନ ଆବେଦନ ମଜୁର କରିଛନ୍ତି । ବୁଧବାର ସିବିଆଇ କୋର୍ଟରେ ଜାମିନ ଆବେଦନ କରିଥିଲେ ବ୍ରିଜ୍ ଆଣ୍ଡ ରୁଫ୍ କୋ (ଇଣ୍ଡିଆ) ଲିମିଟେଡ୍ର ଜିଜିଏମ୍ ଚଞ୍ଚଲ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର ଓ ଠିକାଦାର ସନ୍ତୋଷ ମହାରଣା । ଏମାନଙ୍କୁ ଜାମିନ ମିଳିଲେ ଏଭିଡ଼େନ୍ସ ଟାମ୍ପରିଙ୍ଗ ହେବାର ସମ୍ଭାବନା ରହିଛି ବୋଲି ଯୁକ୍ତି ବାଢ଼ିଥିଲେ ସିବିଆଇ ଓକିଲ । ଅନ୍ୟପଟେ ଗିରଫ ତିନି ଜଣଙ୍କର ଲାଞ୍ଚ କାରବାରରେ କୌଣସି ସମ୍ପୃକ୍ତି ନଥିବା ପ୍ରତିପକ୍ଷ ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ ।
ସୂଚନାଯୋଗ୍ୟ ଯେ, ବ୍ରିଜ୍ ଆଣ୍ଡ ରୁଫ୍ କୋ (ଇଣ୍ଡିଆ) ଲିମିଟେଡ଼୍ ଲାଞ୍ଚ କାରବାର ମାମଲାରେ ଗିରଫ ହୋଇଥିବା କମ୍ପାନୀର ଜିଜିଏମ୍ ଚଞ୍ଚଲ ମୁଖାର୍ଜୀ, ସୁପରକ୍ଲାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର ଓ ଠିକାଦାର ସନ୍ତୋଷ ମହାରଣା ବିଚାର ବିଭାଗୀୟ ହାଜତରେ ଥିବା ବେଳେ ବୁଧବାର ସିବିଆଇ କୋର୍ଟରେ ସେମାନଙ୍କର ଜାମିନ ଶୁଣାଣି ହୋଇଥିଲା । ଅଭିଯୁକ୍ତଙ୍କ ଓକିଲଙ୍କ ପକ୍ଷରୁ ଲାଞ୍ଚ କାରବାର ନେଇ କୌଣସି ଠୋସ୍ ପ୍ରମାଣ ନଥିବା କୋର୍ଟଙ୍କୁ ଅବଗତ କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଜାମିନ ନଦେବାକୁ କୋର୍ଟଙ୍କୁ ଅପିଲ୍ କରିଥିଲେ ସିବିଆଇର ଓକିଲ । କାଳେ ସେମାନେ ଜାମିନ୍ ପାଇଲେ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିପାରନ୍ତି ବୋଲି ସେ ଯୁକ୍ତି ବାଢ଼ିଥିଲେ । ତେବେ ୩ ଅଭିଯୁକ୍ତଙ୍କ ଜାମିନ୍ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସିବିଆଇ କୋର୍ଟ । ଏବେ ସିବିଆଇ କୋର୍ଟ-୧ ୩ ଅଭିଯୁକ୍ତଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ।
ସେପଟେ ଆଜି ବି ସିବିଆଇରେ ହାଜର ହେଲେନି IAS ବିଷ୍ଣୁପଦ ସେଠୀ । ବୁଧବାର ଦିନ ୧୨ଟା ସୁଦ୍ଧା ସେ ଭୁବନେଶ୍ବର ସିବିଆଇ ଅଫିସରେ ହାଜର ହେବାର ଥିଲା ।
ଗତ ୭ ତାରିଖରେ ଭୁବନେଶ୍ବରରେ ସିବିଆଇ ରେଡ଼୍ ବେଳେ କାର୍ ଭିତରୁ ୧୦ ଲକ୍ଷ ଟଙ୍କା ଉଦ୍ଧାର ସହ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଜିଜିଏମ୍ଙ୍କ ସମେତ ଦୁଇ ଠିକାଦାରଙ୍କୁ ଉଠାଇ ନେଇଥିଲା ସିବିଆଇ ।
You Can Read:
ଗାଁ ଚାରିପଟେ ଘୁରିବୁଲୁଛନ୍ତି ୪୦ ଟିକିଆ ହାତୀ ପଲ, ନଷ୍ଟ କରୁଛନ୍ତି ଫସଲ