ଟୁଙ୍ଗୁରୁ ଭୋଳ ଗିରଫ, ଏହି ମାମଲାରେ ବାନ୍ଧିଲା ପୋଲିସ

Published By : Prameya-News7 Bureau | October 16, 2024 IST

ଭୁବନେଶ୍ଵର: ଏକ ଚୋରି ମାମଲାରେ ଭରତପୁର ଥାନା ପୋଲିସ ଆଲୋକ ଭୋଳ ଓରଫ ଟୁଙ୍ଗୁରୁଙ୍କୁ ଗିରଫ କରିଛି। ତା ନିକଟରୁ ପୋଲିସ ଗୋଟିଏ ଓ୍ଵେଲଡିଂ ମେସିନ, ଗୋଟିଏ କଟର ଏବଂ କପର କେବୁଲ ଜବତ କରିଛି।  ଭରତପୁର ଥାନା ପୁଲିସ ଅଭିଯୋଗକାରୀ ମଣ୍ଟୁ ପ୍ରଧାନଙ୍କ ଅଭିଯୋଗ କ୍ରମେ ମାମଲାର ତଦନ୍ତ କରିବା ସହିତ ଅଭିଯୁକ୍ତ ଟୁଙ୍ଗୁରୁଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । 

ସୂଚନା ଅନୁଯାୟୀ,  ଅଭିଯୋଗକାରୀଙ୍କର ଭରତପୁର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରେ ଗୋଟିଏ ୱେଲ୍ଡିଂ ଗ୍ୟାରେଜ ଅଛି। ଗତ ଏପ୍ରିଲ ୪ ତାରିଖ ମଧ୍ୟାହ୍ଣରେ ଅଭିଯୋଗକାରୀଙ୍କର ଅନୁପସ୍ଥିତିର ସୁଯୋଗ ନେଇ ଅଭିଯୁକ୍ତ ଟୁଙ୍ଗୁରୁ ଉକ୍ତ ଗ୍ୟାରେଜରୁ ୱେଲ୍ଡିଂ ମେସିନ, ହ୍ୟାଣ୍ଡ କଟର, ଓ ତମ୍ବା କେବୁଲ ତାର ଚୋରି କରି ନେଇଯାଇଥିଲେ। ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜରୁ ଚୋରି ବିଷୟରେ ଜାଣିବା ପରେ ଅଭିଯୋଗକାରୀ ଏନେଇ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ କରିବା ସହିତ ଆଜି ବିଶେଷ ସୂତ୍ରରୁ ଖବର ପାଇ ଅଭିଯୁକ୍ତ ଟୁଙ୍ଗୁରୁକୁ ଆଇଗିଣିଆ ନିକଟରୁ ଚୋରୀ ସାମଗ୍ରୀ ସହ କାବୁ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ଟୁଙ୍ଗୁରୁ ନିଜର ଅପରାଧ ସ୍ଵୀକାର କରିଥିଲେ। ତଦନ୍ତ ସମୟରେ ଏହା ଜଣାପଡିଛି ଯେ, ଅଭିଯୁକ୍ତ ଜଣେ ଅଭ୍ୟାସଗତ ଅପରାଧୀ ଓ ତାଙ୍କ ନାମରେ ଭରତପୁର, ଚନ୍ଦକା ଓ ଘଟଗାଁ ଥାନାରେ ୪ ଟି ମାମଲା ରହିଛି ।  ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।  ସୂଚନାଯୋଗ୍ୟ, ବର୍ଷା ନାମକ ଜଣେ ବିବାହିତ ମହିଳାଙ୍କ ସହ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାରେ ଥିଲା ଟୁଙ୍ଗୁରୁ ଭୋଳ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.