ଜାଗର ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼, ଠେଲାପେଲାରେ ୨ ମହିଳା ଗୁରୁତର

Published By : Prameya-News7 Bureau | February 26, 2025 IST

ଭୁବନେଶ୍ୱର ୨୬ ।୦୨: ବୁଧବାର ପବିତ୍ର ଜାଗର । ଶିବରାତ୍ରି ପାଇଁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ଦେଇ ଧାଡ଼ିରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ବାବା ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଲମ୍ବା ଲାଇନ୍‌ ଲାଗିଥିବା ବେଳେ ଏହାରି ଭିତରେ ଠେଲାପେଲା ହୋଇଛନ୍ତି ଲୋକ । ଠେଲାପେଲା ସ୍ଥିତି ଉପୁଜିବାରୁ ୨ ଜଣ ମହିଳା ଭକ୍ତ ଆହତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି। 

ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ଏକାମ୍ର ଅଧୀଶ୍ୱର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରୁଛନ୍ତି । ନିର୍ଜଳ ଉପବାସ ବ୍ରତ ପାଳନ କରି ଦୀପ ଜାଳି ମହାଦୀପ ଦର୍ଶନକୁ ଅପେକ୍ଷା କରି ରହିଛନ୍ତି । ସନ୍ଧ୍ୟା ପରଠୁ ସମସ୍ତେ ଚାତକ ପରି ଅନାଇ ବସିବେ ମନ୍ଦିର ଶିଖରକୁ । ଧାର୍ଯ୍ୟ ସମୟରେ ମହାଦୀପ ଉଠିବାର ସେଇ ଆନନ୍ଦର ମୁହୂର୍ତ୍ତକୁ ଅନୁଭବ କରିବେ । ସମଗ୍ର ପରିବେଶ ଶିବ ପଞ୍ଚାକ୍ଷରୀ ମନ୍ତ୍ରରେ ଗୁଞ୍ଜରିତ ହୋଇଉଠିବ । ପବିତ୍ର ମହାଦୀପ ଦର୍ଶନ ପରେ ଶ୍ରଦ୍ଧାଳୁ ବ୍ରତ ଭଙ୍ଗ କରି ଆଶୀର୍ବାଦ ଲାଭ କରିବେ । ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଫୁଲରେ ସୁଶୋଭିତ ହୋଇ ଉଠିଛି ଶ୍ରୀଲିଙ୍ଗରାଜ ମନ୍ଦିର । 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.