ଟ୍ରକ୍ ଆସିଲା, ଚଢାଇ ଦେଇ ଚାଲିଗଲା : ମୃତ୍ୟୁ ମୁଖରୁ ବଞ୍ଚିଗଲେ ଦୁଇ ମହିଳା ଶ୍ରମିକ

Published By : Prameya-News7 Bureau | April 12, 2024 IST

ବଡବିଲ ୧୨।୪: ରଖେ ହରି ତ ମାରେ କିଏ… ସଡ଼କ ଦୁର୍ଘଟଣାରୁ ମୃତ୍ୟୁମୁଖରୁ ବର୍ତ୍ତିଗଲେ ଦୁଇ ମହିଳା ଶ୍ରମିକ । କେନ୍ଦୁଝର ଜିଲ୍ଲା ବଡ଼ବିଲ ସହର ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ନିକଟରେ ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି । ଗୁରୁବାର ଘଟିଥିବା ଏହି ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି । ଯାହା ଆଖିରେ ନ ଦେଖିଲେ ବିଶ୍ୱାସ ହେବନି । ମାତ୍ର କେଇ ସେକେଣ୍ଡ ମଧ୍ୟରେ ସିଧାସଳଖ ମୃତ୍ୟୁମୁଖରୁ ଦୁଇ ଜଣ ମହିଳା କିପରି ବଞ୍ଚିଯାଉଛନ୍ତି । 

କେନ୍ଦୁଝର ଜିଲ୍ଲା ବଡ଼ବିଲ ସହର ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ନିକଟରେ ଦୁଇ ଜଣ ମହିଳା ଶ୍ରମିକ ଏହି ରାସ୍ତା ଅତିକ୍ରମ କରୁଥିଲେ । କିଛି ସମୟ ପରେ ଉଭୟ ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ । ତା'ପରେ ହଠାତ ରାସ୍ତାରେ ଯାଉଥିବା ଏକ ହାଇୱା ଟ୍ରକ୍ ଦ୍ରୁତ ଗତିରେ ତାଙ୍କ ଉପରେ ମାଡ଼ିଯାଇ ପଳାଇ ଯାଇଥିଲା । ଜଣେ ମହିଳା ବାମ ପଟକୁ ଛିଟିକି ପଡ଼ିଥିବା ବେଳେ, ଅନ୍ୟ ମହିଳା ଜଣକ ଗାଡ଼ିର ଠିକ୍ ମଝିରେ ପଡ଼ିଯାଇଥିଲେ । ଗାଡ଼ିଟି ଚାଲିଗଲା ପରେ ଉଭୟ ରାସ୍ତାରୁ ଉଠିଥିଲେ । ସୌଭାଗ୍ୟ ବଶତଃ ଏଭଳି ଭୟଙ୍କର ଦୁର୍ଘଟଣାରୁ ଉଭୟ ମୃତ୍ୟୁ ମୁଖରୁ ବଞ୍ଚିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । 

ଏହି ଦୁଇ ମହିଳା ଶ୍ରମିକ ନିକଟରେ ଥିବା ଏକ ଶୋ' ରୁମ୍‌ରେ ଝାଡୁପୋଛା କାମ କରନ୍ତି । ଦୁଇ ମହିଳା ହେଲେ, ଠାକୁରାଣୀ ଅଞ୍ଚଳର ଫୁଲମତୀ କେରକେଟା ଓ ଦାମୁ ହଟିଂର ମମତା ପାତ୍ର । ଫୁଲମତୀଙ୍କ ଅଣ୍ଟା, ପିଠି ଓ ପଞ୍ଜରାରେ ମାଡ଼ ହୋଇଥିଲା ବେଳେ, ମମତା ମଧ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣାରେ ଗୋଟିଏ ମୋବାଇଲ ଫୋନ ମଧ୍ୟ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ମହିଳା ଦ୍ବୟ ଏବେ ଚିକିତ୍ସିତ ହେଉଛନ୍ତି । ସେପଟେ ଗାଡ଼ି ମାଲିକ ଏମାନଙ୍କୁ ମାତ୍ର ୧୦ ହଜାର ଟଙ୍କା ଧରେଇ ଦାୟିତ୍ଵ ସାରି ଦେଇଛନ୍ତି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ଏମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ସହିତ ଆର୍ଥିକ ସହାୟତା ଦେବାକୁ ଦାବି ହୋଇଛି । ଏ ନେଇ ବଡ଼ବିଲ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ, ପୋଲିସ ସିସିଟିଭି ଫୁଟେଜ ଆଧାରରେ ନିଜଆଡୁ କେଶ୍ ଦାୟର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମତ ପ୍ରକାଶ ପାଇଛି । 

You Can Read:

କଟକ ସହରରେ କାୟା ମେଲାଉଛି ଜଣ୍ଡିସ୍, ଦୂଷିତ ପାନୀୟ ଜଳ ଯୋଗୁଁ ଜଣ୍ଡିସ୍ ବ୍ୟାପୁଥିବା SUCI(C)ର ଅଭିଯୋଗ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.