ମଙ୍ଗଳବାରର 'ମଙ୍ଗଳ' ମୁହୂର୍ତ୍ତ: ଟନେଲରୁ ବାହାରିବେ ଶ୍ରମିକ, ୪୦୦ ଘଣ୍ଟାର ଅବିଶ୍ରାନ୍ତ ସଂଘର୍ଷ ଆଣିବ ଖୁସି

Published By : Prameya-News7 Bureau | November 28, 2023 IST

ନୂଆଦିଲ୍ଲୀ: ୧୭ ଦିନ ଯାଏ ଚାଲିଥିବା ଉଦ୍ଧାର ଅଭିଯାନ ପରେ ମଙ୍ଗଳବାର ସେହି ମଙ୍ଗଳ ମୁହୂର୍ତ୍ତ ଆସି ପହଞ୍ଚିଛି, ଯାହାକୁ ସାରା ଦେଶ ଅପେକ୍ଷା କରି ରହିଥିଲା । ଉତ୍ତରାଖଣ୍ଡର ଉତ୍ତରକାଶୀରେ ଟନେଲରେ ଫସିଥିବା ୪୧ ଶ୍ରମିକ ଖୁବଶୀଘ୍ର ବାହାରକୁ ଆସିବେ । ୪୦୦ ଘଣ୍ଟାରୁ ଅଧିକ ସମୟ ଯାଏ ଦେଶୀ-ବିଦେଶୀ ମେସିନ ଓ ବିଶେଷଜ୍ଞଙ୍କ ଅକ୍ଲାନ୍ତ ପରିଶ୍ରମ ସବୁ ବାଧାକୁ ଅତିକ୍ରମ କରି ପର୍ବତରେ ବିଜୟର ଗାଥା ଲେଖିଛି । ମାଟି ଅତଡା ଭିତରେ ୮୦୦ ଏମଏମ ପାଇପ୍ ବିଛାଇ ଏକ ଟନେଲ ନିର୍ମାଣ କରାଯାଇଛି । ଏହା ଭିତର ଦେଇ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବ । ଆକ୍ୟୁରେଟ କନକ୍ରିଟ୍ ସଲ୍ୟୁସନ୍ ଏମଡି ଅକ୍ଷତ କଟୟାଲଙ୍କ ଅନୁସାରେ, 'ବିନା କୌଣସି ବାଧାରେ ପାଇପକୁ ସୁଡଙ୍ଗ ଭିତରକୁ ପଠାଯାଇଛି । ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ୩-୪ଟି ପର୍ଯ୍ୟାୟରେ ଉଦ୍ଧାର କାର୍ଯ୍ୟ ଶେଷ ହେବ । ଏନଡିଆରଏଫ ଟିମ୍ ସୁଡଙ୍ଗ ଭିତରେ ପ୍ରବେଶ କରିଛନ୍ତି'।

wp:html /wp:html

ଉଦ୍ଧାର ପରେ ଟନେଲ ବାହାରେ ପୂର୍ବରୁ ନିୟୋଜିତ ଥିବା ଆମ୍ୱୁଲାନ୍ସ ଜରିଆରେ ଶ୍ରମିକଙ୍କୁ ହସ୍ପିଟାଲ ନିଆଯିବ । ହସ୍ପିଟାଲରେ ସବୁ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ ସେମାନଙ୍କୁ ନିଜ ନିଜ ଘରକୁ ପଠାଯିବ ।

wp:html /wp:html

ଉତ୍ତରକାଶୀ ଜିଲ୍ଲାରେ ଯମୁନୋତ୍ରୀ ରାଷ୍ଟ୍ରୀୟ ରାଜମାର୍ଗରେ ଚାରିଧାମ ସଡ଼କ ପରିଯୋଜନା ପାଇଁ ନିର୍ମାଣଧିନ ସୁଡଙ୍ଗ ନଭେମ୍ୱର ୧୨ ରବିବାର ଭୁଶୁଡି ପଡ଼ିଥିଲା । ଯମୁନୋତ୍ରୀ ହାଇୱେରେ ଧରାସୁରୁ କସୱେ ମଧ୍ୟରେ ସିଲକୟାରାରୁ ପୋଲ ଗାଁ ଯାଏ ୪.୫ କିଲୋମିଟର ଟନେଲ ନିର୍ମାଣ ଜାରି ରହିଛି । ଦୀପାବଳି ଦିନ ଭୋର ଚାରିଟାରରେ ଶିଫ୍ଟି ପରିବର୍ତ୍ତନ ସମୟରେ ସୁଡଙ୍ଗ ମୁହଁରୁ ପ୍ରାୟ ୧୫୦ ମିଟର ଭିତରେ ଟନେଲର ୬୦ ମିଟର ଭାଗ ଭୁଶୁଡି ପଡିବା ଯୋଗୁଁ ୪୧ ଶ୍ରମିକ ଫସି ଯାଇଥିଲେ ।

ଦୁର୍ଘଟଣା ସମୟରେ ଟନେଲ ମୁହଁ ନିକଟରେ ଥିବା ଶ୍ରମିକ ଉପେନ୍ଦ୍ର ପ୍ରଥମେ ଦୁର୍ଘଟଣା ଖବର ଦେଇଥିଲେ । କାମ କରିବା ପାଇଁ ଭିତରକୁ ଯିବା ପରେ ମାଟି ଭୁଶୁଡ଼ିବା ଦେଖି ଉପେନ୍ଦ୍ର ଜୋରେ ପାଟି କରିବା ସହ ଲୋକଙ୍କୁ ଜଣାଇଥିଲେ । ସୁଡଙ୍ଗରୁ ପାଣି ବାହାର କରିବା ପାଇଁ ଲଗାଯାଇଥିବା ଏକ ଚାରି ଇଞ୍ଚ ପାଇପ୍ ଶ୍ରମିକଙ୍କ ପାଇଁ ଲାଇଫ୍‌ଲାଇନ୍ ପାଲଟିଥିଲା । ଦୁର୍ଘଟଣା ପରେ ଏହି ପାଇପ ଜରିଆରେ ଶ୍ରମିକଙ୍କୁ ଅକ୍ସିଜେନ, ପାଣି ଓ କିଛି ଖାଦ୍ୟ ପଠାଯାଉଥିଲା । ଦୁର୍ଘଟଣାର ୧୦ମ ଦିନରେ ଏକ ଛଅ ଇଞ୍ଚର ପାଇପ୍ ଶ୍ରମିକଙ୍କ ନିକଟ ପହଞ୍ଚିଥିଲା । ଏହାପରେ ସେମାନଙ୍କୁ ଗରମ ଖାଦ୍ୟ ଦିଆଯାଇଥିଲା । ଏହି ପାଇପ୍ ଜରିଆରେ ସୁଡଙ୍ଗ ଭିତରକୁ କ୍ୟାମେରା ପଠାଯାଇଥିଲା ଓ ପ୍ରଥମ ଥର ଭିତର ଦୃଶ୍ୟ ସାମନାକୁ ଆସିଥିଲା ।

କେଉଁ ରାଜ୍ୟରୁ କେତେ ଶ୍ରମିକ

ଝାଡଖଣ୍ଡ-୧୫

ଉତ୍ତର ପ୍ରଦେଶ-୮

ଓଡ଼ିଶା-୫

ବିହାର-୫

ପଶ୍ଚିମବଙ୍ଗ-୩

ଉତ୍ତରାଖଣ୍ଡ-୨

ଆସାମ-୨

ହିମାଚଳ ପ୍ରଦେଶ-୧

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.