ହରିୟାଣାରେ କାହିଁକି ହାରିବ ବିଜେପି? ଜାଣନ୍ତୁ ୫ ବଡ଼ କାରଣ

Published By : Prameya-News7 Bureau | October 05, 2024 IST

ନୂଆଦିଲ୍ଲୀ ୫।୧୦: ହରିୟାଣା ବିଧାନସଭା ନିର୍ବାଚନରେ ଶାସକ ବିଜେପି କ୍ଷତିରେ ପଡୁଥିବା ଦେଖାଯାଉଛି। ଏଗଜିଟ ପୋଲ ମୁତାବକ ୧୦ ବର୍ଷ ହେଲା ସରକାର ଚଳାଇ ଆସୁଥିବା ବିଜେପିକୁ ଶାସନ ଛାଡିବାକୁ ପଡିପାରେ। ଅନୁମାନରୁ ସ୍ପଷ୍ଟ ଜଣାପଡୁଛି ଯେ ବିରୋଧ ଲହର ଶାସକ ବିଜେପି ବିରୋଧରେ ବହୁଛି। ଚାଷୀ, ପହିଲବାନ ଓ ଜବାନ ପ୍ରସଙ୍ଗରେ ଲୋକେ ଭୋଟ ଦେଇଛନ୍ତି। ତେବେ ହରିୟାଣାରେ ଏପରି କଣ ହୋଇଛି ଯାହା ଦ୍ୱାରା ବିଜେପିର ଖେଳ ବିଗିଡି ଯାଇଛି ଆସନ୍ତୁ ଜାଣିବା। 

୧- ବିଜେପି ଯେବେ ୨୦୧୪ରେ ଜିତିକି ଆସିଲା ସେତେବେଳେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡାଙ୍କ ବିରୋଧରେ ଜନମତ ପ୍ରବଳ ଥିଲା। ତାଙ୍କ ସରକାରରେ ଲୋକେ ଅଣନିଶ୍ୱାସୀ ହୋଇପଡିଥିଲେ। ଠିକ୍ ସେହି ପରିସ୍ଥିତି ଏବେ ବିଜେପି ଭୋଗିବାକୁ ଯାଉଛି। ୧୦ ବର୍ଷର ସରକାର ବିରୋଧୀ ଲହରର ମୁକାବିଲା ନିମନ୍ତେ ସବୁ ପ୍ରକାର ଉଦ୍ୟମ କରାଯାଇଥିଲା। ଏପରିକି ଶେଷ ସମୟରେ ମୁଖ୍ୟମନ୍ତ୍ରୀ ମଧ୍ୟ ବଦଳାଇ ଦିଆଯାଇଥିଲା। ହେଲେ ଦଳ ପ୍ରତି ଜନତାଙ୍କ ମୁଡକୁ ବଦଳାଯାଇ ପାରିଲାନି। ଏଥିରେ ଜାଟମାନଙ୍କ ଅସନ୍ତୋଷ ନିଆଁରେ ଘିଅ ପରି କାମ କରିଛି। 

୨-ଚାଷୀ ଓ କୁସ୍ତି ଯୋଦ୍ଧାଙ୍କ ପ୍ରସଙ୍ଗକୁ ବିଜେପି ଯେଉଁ ଢଙ୍ଗରେ ମୁକାବିଲା କରିଥିଲା ଏଥିରେ ଲୋକଙ୍କ ରୋଷ ବଢିଯାଇଥିଲା। ଖାସ କରି ଚାଷୀଙ୍କୁ ନେଇ ଯେବେ ବିଜେପି ନେତାମାନେ ଅନର୍ଗଳ ବୟାନବାଜି କଲେ ତାହା ଲୋକଙ୍କୁ ଅସନ୍ତୁଷ୍ଟ କରିଛି। ପହିଲବାନ ପ୍ରସଙ୍ଗରେ ବିଜେପି ବ୍ରୁଜଭୂଷଣ ସରଣ ସିଂହଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କଲାନି। ଏପରିକି ୟୁପିରେ ତାଙ୍କ ପୁଅକୁ ନିର୍ବାଚନ ଲଢିବାକୁ ପାର୍ଟି ଟିକେଟ ମଧ୍ୟ ମିଳିଗଲା। ଏଥିରେ ଲୋକଙ୍କ ଅସନ୍ତୋଷ ଆହୁରି ବଢିଗଲା।  

୩-ହରିୟାଣା ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନାମ ରାହୁଲ ଗାନ୍ଧି ବଦଳେ କଂଗ୍ରେସ ବନାମ ବିଜେପି ହୋଇଗଲା। ଏଥର ନିର୍ବାଚନରେ ଭୂପେନ୍ଦ୍ର ସିଂହ ହୁଡ୍ଡାଙ୍କ ସିଧା ମୁକାବିଲା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ ଓ ମନୋହରଲାଲ ଖଟ୍ଟରଙ୍କ ମଧ୍ୟରେ ହୋଇଛି। ଏଥିରେ ହୁଡ୍ଡା ବିଜେପି ନେତାଙ୍କ ଉପରେ ଭାରି ପଡିଛନ୍ତି। କାରଣ ତାଙ୍କ ଲାଗି ଜାଟ ଓ ଦଳିତଙ୍କ ଏକ ଖାସ ଆକର୍ଷଣ ରହିଛି। 

୪- ହରିୟାଣାର ଭୋଟର ୨୦୧୪ରେ ବିଜେପିକୁ ବିପୁଳ ବିଜୟ ଦେଇଥିଲେ। ହେଲେ ତା ପରେ ସରକାର ଯେମିତି ଚାଲିଲା, ସେଥିରେ ଲୋକେ ଖୁସି ନଥିଲେ। ଏହି କାରଣରୁ ୨୦୧୯ରେ ବିଜେପି ଆସନ ହ୍ରାସ ହୋଇ ୪୬କୁ ପହଞ୍ଚିଥିଲା। ଏଣୁ ବିଜେପିକୁ ସରକାର ଗଢିବା ପାଇଁ  ଜେଜେପିର ସାହାରା ନେବାକୁ ପଡିଥିଲା। ଏହି ନିର୍ବାଚନରେ ବିଜେପି ଜନତାଙ୍କ ଅସନ୍ତୋଷ ଅନୁଭବ କରିଥିଲା ହେଲେ ନିଜକୁ ବଦଳାଇ ପାରିଲାନି। ଫଳରେ ୨୦୨୪ ପରିସ୍ଥିତି ଆହୁରି ବିଗିଡିଯାଇଛି। 

୫-ବିଜେପି ଜନ ଅସନ୍ତୋଷର ମୁକାବିଲା ପାଇଁ ଗୁଜରାଟ ଚାଲ ମଧ୍ୟ ଚଳାଇଲା। ଗୁଜରାଟ ଭଳି ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀମଣ୍ଡଳ ବି ବଦଳାଇ ଦିଆଗଲା। ନିର୍ବାଚନ କିଛି ମାସ ପୂର୍ବରୁ ରାଜ୍ୟ ସରକାରରେ ହୋଇଥିବା ଅଦଳବଦଳ ମଧ୍ୟ ଲୋକଙ୍କୁ ପ୍ରଭାବିତ କରିପାରି ନାହିଁ। ଯାହାର ଫଳାଫଳ ଏବେ ଏଗଜିଟ୍ ପୋଲରେ ଦେଖାଯାଉଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.