ୱାସିଂଟନ ୮।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସି ସାରିଲାଣି। ରିପବ୍ଲିକାନ ଡୋନାଲ୍ଡ ଟ୍ରମ୍ପ ପୁଣି କ୍ଷମତାକୁ ଫେରିଛନ୍ତି। ତେବେ ଆମେରିକା ଲୋକଙ୍କ ଏହି ନିଷ୍ପତ୍ତିରେ ମହିଳା ଖୁସି ନୁହନ୍ତି। ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ମହିଳାମାନେ ଦକ୍ଷିଣ କୋରିଆର ଏକ ଫେମିନିଷ୍ଟ ମୁଭମେଣ୍ଟ ଭଳି ଏପରି ପୁରୁଷଙ୍କ ବହିଷ୍କାର ଆରମ୍ଭ କରିଛନ୍ତି ଯେଉଁମାନେ ନିର୍ବାଚନରେ ଟ୍ରମ୍ପଙ୍କୁ ଭୋଟ ଦେଇଛନ୍ତି। ଆମେରିକାରେ ଏହାକୁ ‘ଫୋର-ବି’ ଆନ୍ଦୋଳନ ନାମ ଦିଆଯାଇଛି।
ମହିଳାଙ୍କ ଦ୍ୱାରା ଏହି ବିରୋଧର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ଏହି ଆନ୍ଦୋଳନ ନେଇ ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରେ ମହିଳାମାନେ କହୁଛନ୍ତି ସେମାନେ ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ ଏପରି ପୁରୁଷଙ୍କ ଠାରୁ ଦୂରତ୍ୱ ରଖିବେ ଯେଉଁମାନେ ନିର୍ବାଚନରେ ଟ୍ରମ୍ପଙ୍କୁ ଭୋଟ ଦେଇଛନ୍ତି। ଏହି ଆନ୍ଦୋଳନ ଅନୁସାରେ ମହିଳାମାନେ ୪ ବର୍ଷ ପର୍ଯ୍ୟନ୍ତ ଏପରି ପୁରୁଷଙ୍କ ସହିତ ନା ଡେଟିଂ କରିବେ ନା ସେମାନଙ୍କୁ ବିବାହ କରିବେ।
ରାଷ୍ଟ୍ରପତି ନିର୍ବାଚନରେ କମଲା ହ୍ୟାରିସଙ୍କ ପରାଜୟ ପରେ ଫୋର-ବି ଆନ୍ଦୋଳନ ପ୍ରତି ଲିବରାଲ ଯୁବତୀଙ୍କ ଋଚି ଢେର ବଢିଯାଇଛି। ଯୁବତୀମାନେ ସୋସିଆଲ ମିଡିଆରେ ସେମାନଙ୍କ ଭିଡିଓ ସେୟାର କରି ଏହାକୁ ଫୋର-ବି ସହିତ ଟ୍ୟାଗ କରୁଛନ୍ତି। ଏଥିରେ ସେମାନେ ଏପରି ପୁରୁଷଙ୍କ ସହ ଡେଟିଂ ଦୂରର କଥା ବିବାହ ଓ ସେମାନଙ୍କ ସହ ସନ୍ତାନ ଜନ୍ମ ନ କରିବାକୁ ବି ପ୍ରତିଶ୍ରୁତି ଦେଉଛନ୍ତି। ଏହି ବହିଷ୍କାର ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ।
୨୦୧୦ ମସିହାରେ ଦକ୍ଷିଣ କୋରିଆରେ ମହିଳାମାନେ ଫୋର-ବି ଆନ୍ଦୋଳନ କରିଥିଲେ। ଯେଉଁଥିରେ ପୁରୁଷଙ୍କୁ ବହିଷ୍କାର କରାଯାଇଥିଲା। କୋରିଆ ଭାଷାରେ ‘ବି’ର ଅର୍ଥ ନାଇଁ। ଏଥରକ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କମଲା ହ୍ୟାରିସ ରାଷ୍ଟ୍ରପତି ହୁଅନ୍ତୁ ମହିଳାମାନେ ଚାହୁଁଥିଲେ। ହେଲେ ତାହା ହୋଇ ପାରି ନାହିଁ। ହ୍ୱାଇଟ୍ ହାଉସ୍ ରେସ୍ରେ କମଲା ହ୍ୟାରିସ୍ ଙ୍କୁ ଡୋନାଲ୍ଡ ଟ୍ରମ୍ପ ପରାସ୍ତ କରିଛନ୍ତି। କେବଳ ଆମେରିକୀୟ ମହିଳା ନୁହନ୍ତି ବିଶ୍ୱର ମହିଳାଙ୍କ ନିକଟରେ ଟ୍ରମ୍ପଙ୍କ ଖରାପ ଛବି ରହିଛି। ତାଙ୍କ ବିରୋଧରେ ମହିଳା ଶୋଷଣ ନେଇ ଅନେକ ମୋକଦ୍ଦମା କୋର୍ଟରେ ବିଚାରାଧୀନ ରହିଛି। ସେ ମହିଳାଙ୍କୁ ନେଇ ପ୍ରାୟତଃ ବିବାଦୀୟ ଟିପ୍ପଣୀ ଦେଇଥାନ୍ତି।