ଅନେକ ଦଳ ସହ କାମ କରିଛି ମାତ୍ର...ପାକିସ୍ତାନ ଟିମ୍କୁ ନେଇ ହେଡ୍ କୋଚ୍ ଗ୍ୟାରି କର୍ଷ୍ଟନଙ୍କ ଖୁଲାସା

Published By : Prameya-News7 Bureau | June 17, 2024 IST

livehindustan

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ଦଳ ଟି-୨୦ ବିଶ୍ଵକପ୍ ୨୦୨୪ରେ ଶୋଚନୀୟ ପ୍ରଦର୍ଶନ କରି ବିଶ୍ଵକପ୍‌ର ଲିଗ୍ ପର୍ଯ୍ୟାୟରୁ ହିଁ ବିଦାୟ ନେଇଛି। ଦଳର ଏମିତି ଦୟନୀୟ ସ୍ଥିତିକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପାକିସ୍ତାନ ପ୍ରଶଂସକ। ଏବେ ମୁଖ୍ୟ ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟନ ଖୋଲାଖୋଲି ଦଳର ଏକଜୁଟତା ନ ଥିବା କହିଛନ୍ତି। ଟି-୨୦ ବିଶ୍ଵକପ୍ ପୂର୍ବରୁ ଦ୍ରୁତ ବୋଲର ଓ୍ଵାସିମ ଆକ୍ରାମ ମଧ୍ୟ ଦଳରେ ଗୋଷ୍ଠୀ ବିଭାଜନ ଥିବା କହିଥିଲେ। ସେ କାହାରି ନାଁ ନ ନେଇ କହିଥିଲେ, ଅଧିନାୟକ ବାବର ଆଜମ ଓ ପୂର୍ବତନ ଟି-୨୦ ଅଧିନାୟକ ଶାହୀନ ଆଫ୍ରିଦିଙ୍କୁ ନିଶାଣ କରି କହିଥିଲେ, ଯଦି ଦୁଇ ଖେଳାଳି ପରସ୍ପର ମଧ୍ୟରେ କଥା ହେବେନି ତେବେ ସେମାନଙ୍କୁ ଘରକୁ ଫେରି ଯିବା ଉଚିତ। ଏବେ ଗ୍ୟାରି କର୍ଷ୍ଟନ ଯେଉଁ ଟିପ୍ପଣୀ କରିଛନ୍ତି, ସେଥିରେ ସ୍ପଷ୍ଟ ହୋଇ ଯାଇଛି ଯେ, ପାକିସ୍ତାନ ଦଳରେ ଏକତାର ଘୋର ଅଭାବ ରହିଛି। ଏହାର ପ୍ରଭାବ ଟି-୨୦ ବିଶ୍ଵକପ୍‌ରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।

Also read: ପଡ଼ିଆରେ ଝଗଡ଼ା ଲାଗିଲେ ୨ ଷ୍ଟାର କ୍ରିକେଟର୍, ହାଇଭୋଲ୍ଟେଜ୍ ଡ୍ରାମାର ଭିଡିଓ ସେୟାର କଲା ICC

ପାକିସ୍ତାନର ସାମ୍ବାଦିକ ଇହତିଶାମ ଉଲ ହକ ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଗ୍ୟାରି କର୍ଷ୍ଟନଙ୍କ ଟିପ୍ପଣୀକୁ ଆଧାର କରି ଲେଖିଛନ୍ତି, ପାକିସ୍ତାନ କ୍ରିକେଟ୍‌ ଦଳରେ କୌଣସି ଏକତା ନାହିଁ। ଏହାକୁ ସେମାନେ ଦଳ କହୁଛନ୍ତି। ବାସ୍ତବରେ ଏହା ଏକ ଦଳ ନୁହେଁ। ଦଳରେ ଖେଳାଳି ପରସ୍ପରକୁ ସମର୍ଥନ କରୁ ନାହାନ୍ତି। ପୁରା ଦଳରେ ଗୋଷ୍ଠୀ ବିଭାଜନ ରହିଛି। ମୁଁ ଅନେକ ଦଳ ସହିତ କାମ କରି ସାରିଛି, ମାତ୍ର ନିଜ କ୍ୟାରିୟରରେ ଏହି ପରି ସ୍ଥିତି କେବେ ଦେଖି ନାହିଁ। 

ଟି-୨୦ ବିଶ୍ଵକପ ୨୦୨୪ର ଗ୍ରୁପ ଏରେ ଭାରତ ସହିତ ପାକିସ୍ତାନ, ଆମେରିକା, କାନାଡ଼ା ଓ ଆୟରଲାଣ୍ଡ ରହିଥିଲା। ଆଶା କରାଯାଉଥିଲା ଏହି ଗ୍ରୁପରୁ ଭାରତ ଓ ପାକିସ୍ତାନ ସୁପର-୮ରେ ପ୍ରବେଶ କରିବେ। ମାତ୍ର ଏମିତି ହୋଇ ନାହିଁ। ପାକିସ୍ତାନ ଲଜ୍ଜାଜନକ ପ୍ରଦର୍ଶନ କରି ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଛି। ଦଳ ପ୍ରଥମ ମ୍ୟାଚ୍‌ରେ ସହ ଆୟୋଜକ ଆମେରିକାଠୁ ହାରିବା ପରେ ଦ୍ଵିତୀୟ ମ୍ୟାଚ୍‌ରେ ଭାରତଠୁ ପରାଜିତ ହୋଇଛି। ପାକିସ୍ତାନ କାନାଡ଼ା ଓ ଆୟରଲାଣ୍ଡକୁ ହରାଇ ଥିଲେ ହେଁ ଦଳ ପ୍ରଥମ ଦୁଇଟି ମ୍ୟାଚ୍ ହାରି ଗ୍ରୁପ ପର୍ଯ୍ୟାୟରୁ ବାଦ୍ ପଡ଼ି ସାରିଥିଲା। 

 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.