ପ୍ରଶାସନିକ ସ୍ତରରେ ଆରମ୍ଭ ହେଲା ତଦନ୍ତ, ଝୁନୁଙ୍କ ପାଇଁ ବଢ଼ିଲା ସହଯୋଗର ହାତ

Published By : Prameya-News7 Bureau | September 12, 2024 IST

ନୀଳଗିରି ୧୨।୯: ଦାରିଦ୍ର୍ୟ ସହ ସଙ୍ଘର୍ଷ କରି ଜଣେ ମହିଳା ଶେଷରେ ନିଜ ଭାଇର ମୃତଦେହ ସତ୍କାର କରି ନପାରି ପୋତି ଦେଇଥିଲେ । ଶୁଦ୍ଧିକର୍ମ ପାଇଁ ଅର୍ଥ ନଥିବାରୁ ଶେଷରେ ଭିକ ମାଗିବାକୁ ବାଧ୍ୟ ହୋଇଥିଲେ । ଏଭଳି ଘଟଣାର ଶୀର୍ଷକ ଖବର ପ୍ରକାଶ ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନୀଳଗିରି ବିଡ଼ିଓଙ୍କ ନିର୍ଦ୍ଦେଶରେ ମହିଳା ଜଣଙ୍କୁ ତୁରନ୍ତ ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ପ୍ରଦାନ କରାଯାଇଛି । 

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଧୋବଶିଳା ପଂଚାୟତ ଉଡାପଦା ଗାଁରେ ଝୁନୁ ବିନ୍ଧାଣି ଏକ ଭଙ୍ଗା କୁଡ଼ିଆରେ ରହୁଥିଲେ । ଅନେକ ଦିନରୁ ସ୍ୱାମୀ କୁଆଡେ ପଳାଇବା ପରେ ତିନି ଝିଅ ଗୋଟିଏ ପୁଅ ସହିତ ଦାରିଦ୍ର୍ୟ ସହିତ ସଙ୍ଘର୍ଷ କରିଆସୁଥିଲେ । ନିଜର ଆଧାର କାର୍ଡ ନଥିବା ଓ ସରକାରୀ ସ୍ଥାନରେ ରହିବା ପାଇଁ ସେ ସରକାରୀ ଯୋଜନା ପାଉନଥିଲେ । ଭାଇ ରମେଶ ତାଙ୍କ ସହ ରହୁଥିବାରୁ ତାଙ୍କ ରାସନ କାର୍ଡର ୫ କିଲୋ ଚାଉଳ ଏତିକି ସରକାରୀ ଯୋଜନା ପହଞ୍ଚି ପାରିଥିଲା । ରମେଶ ବହୁଦିନରୁ ଅସୁସ୍ଥ ହୋଇ ଘରେ ପଡି ସ୍ୱାସ୍ଥ୍ୟ ସେବା ନପାଇ ଗତ ଶୁକ୍ରବାର ଦିନ ଆଖିବୁଜି ଦେଇଥିଲେ । ପଞ୍ଚାୟତରୁ ହରିଶ୍ଚନ୍ଦ୍ର ଯୋଜନା ତାଙ୍କ ପାଖରେ ପହଞ୍ଚି ପାରିନଥିଲା । ଝୁନୁର କିଛି ପ୍ରମାଣପତ୍ର ନଥିବାରୁ ଏ ଅର୍ଥ ରାଶି ତାଙ୍କୁ ଦିଆଯାଇନଥିଲା । ଶେଷରେ ଝୁନୁ ଭାଇର ଶବକୁ ପାହାଡ଼ ନିକଟରେ ପୋତି ଦେଇଥିଲେ । ନିଜେ ୪ ଦିନ ଧରି ଭୋକ ଉପବାସରେ ରହି ଚାଲିବାକୁ ଶକ୍ତି ନଥିବା ବେଳେ ଶୁଦ୍ଧି କର୍ମ କିପରି କରିବେ ଏନେଇ ଚିନ୍ତା ଘାରିଥିଲା । ଶେଷରେ ସେ ଗାଁ ଗାଁରେ ବୁଲି ଭିକ ମାଗିବାର ଚିତ୍ର ବୁଧବାର ଆସିବା ପରେ ଏଭଳି ଏକ ସମ୍ବେଦନଶୀଳ ଘଟଣାର ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଶେଷରେ ବିଭିନ୍ନ ଆଡୁ ସହାୟତାର ହାତ ଲମ୍ବିଛି । ମହାବୀର ଫାଉଣ୍ଡେସନ ତରଫରୁ ଶୁଦ୍ଧି ପାଇଁ କିଛି ଅର୍ଥ ଓ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି । ରାଜସ୍ୱ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇ ଆରଆଇ ଝୁନୁ ବିନ୍ଧାଣିଙ୍କ ଘରକୁ ଯାଇ ତଦନ୍ତ କରିଛନ୍ତି । ସେହିପରି ନୀଳଗିରି ବିଡ଼ିଓ ଦୁଲାଲ ଅଭିଷେକ ଦିଲ୍ଲୀପ ହରିଶ୍ଚନ୍ଦ୍ର ଯୋଜନା ଦିଆଯାଇନଥିବା ନେଇ ଗଭୀର ଉଦବେଗ ପ୍ରକାଶ କରି ଶୀଘ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ପଞ୍ଚାୟତ ଅଧିକାରୀ, ସରପଞ୍ଚ, ସମିତିସଭ୍ୟଙ୍କ ଉପସ୍ଥିତିରେ ଏହା ପ୍ରଦାନ କରାଯାଇଥିବା ଜଣାପଡିଛି । ତେବେ ତିନିଜଣ କୁନିକୁନି ପିଲା କିପରି ପାଠ ପଢିବା ସହ ସରକାରୀ ଯୋଜନାରେ ରାସନ କାର୍ଡ ଓ ଘର କିପରି ପାଇବେ ଏନେଇ ଜିଲ୍ଲାପାଳ ସ୍ବତନ୍ତ୍ର ଭାବେ ଦୃଷ୍ଟିଦେବାକୁ ଝୁନୁ ବିନ୍ଧାଣି ନିବେଦନ କରିଛି ।

You Can Read:

ଗରମ ଡ଼ାଲି ପଡ଼ି ଛାତ୍ରାବାସର ଛାତ୍ର ଆହତ, ମେଡିକାଲରେ ଭର୍ତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.