କେନ୍ଦୁଝର ୨୨।୧୧: କେନ୍ଦୁଝର ଜିଲ୍ଲାରେ ଦେଢ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ଆନିମଲ୍ ରେସ୍କ୍ୟୁ ସେଣ୍ଟର । କେନ୍ଦୁଝର ଜିଲ୍ଲା ଗସ୍ତ ଅବସରରେ ଏହା କହିଛନ୍ତି ଜଙ୍ଗଲ ବିଭାଗ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ରାଜ୍ୟରେ ଉଦ୍ଧାର ହେଉଥିବା ହାତୀ ସହ ଅନ୍ୟାନ୍ୟ ଅସହାୟ ଜୀବଯନ୍ତୁମାନଙ୍କୁ ଉଦ୍ଧାର କରି ଏଠାରେ ଚିକିତ୍ସା କରାଯିବା ପରେ ବିଭିନ୍ନ ସ୍ଥାନରେ ଛଡାଯିବ ବୋଲି ସେ କହିଛନ୍ତି । ପ୍ରସ୍ତାବିତ ଆନିମଲ୍ ରେସ୍କ୍ୟୁ ସେଣ୍ଟର କେନ୍ଦୁଝର ସହର ନିକଟ ପଦ୍ମପୁର ମେଗା ନର୍ସରୀରେ ହେବ ବୋଲି ସୂଚନା ମିଳିଛି । ଏଠାରେ ଏକ ୩ ମାସର ହାତୀ ଛୁଆକୁ ଉଦ୍ଧାର କରି ଗତ ୨୦ ଦିନ ଧରି ବନ ବିଭାଗ ଉପଯୁକ୍ତ ରକ୍ଷଣାବେକ୍ଷଣ କରୁଛି । ନିଜ ମା’ ପାଖରୁ ଅଲଗା ହୋଇଥିବା ହାତୀ ଛୁଆକୁ ପ୍ରତି ୨ ଘଣ୍ଟାରେ ଖାଦ୍ୟ ଦେବା ସହ, ନିଜ ସନ୍ତାନ ଭଳି ଲାଳନପାଳନ କରୁଛନ୍ତି ଏହି ଟିମ୍ । ଗତ ୧ ତାରିଖରେ ଏହି ହାତୀ ଛୁଆଟି ନିଜ ମା’ ତଥା ଦଳରୁ ଅଲଗା ହୋଇଯାଇଥିଲା । ହାତୀ ଛୁଆକୁ ନିଜ ମା’ ସହିତ ମିଶାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲା ବନ ବିଭାଗ । ପରେ ନିଜ ମା’ ସହିତ ଯାଇ ନପାରି ମା’କୁ ଝୁରିବା ସହିତ, ଆଖିରୁ ଲୁହ ଗଡାଇଥିଲା ୩ ମାସର ହାତୀ ଛୁଆ । ଏହାପରେ ସେଠାରୁ ହାତୀ ଛୁଆକୁ ଆଣି ପଦ୍ମପୁର ମେଗା ନର୍ସରୀରେ ଯତ୍ନର ସହ ରଖିଛନ୍ତି ବନ ବିଭାଗ । ଯାହାକୁ ଶନିବାର ନନ୍ଦନକାନନ ପଠାଯିବ ବୋଲି ସୂଚନା ମିଳିଛି ।
You Can Read:
ଜାନୁଆରୀ ୩ରୁ ବରଗଡ଼ ଧନୁଯାତ୍ରା, ଏଥର କଂସ ଦରବାରରେ ଦେଖିବାକୁ ମିଳିବ ନୂଆ ମୁହଁ