ହରିୟାଣା ବିଧାନସଭା ନିର୍ବାଚନ: ଜାରି ହେଲା କଂଗ୍ରେସର ଇସ୍ତାହାର, ଜାଣନ୍ତୁ ମାଗଣା ବିଜୁଳି ସହ ଭୋଟରଙ୍କୁ ଆଉ କ’ଣ ଦେଇଛି ପ୍ରତିଶ୍ରୁତି?

Published By : Prameya-News7 Bureau | September 18, 2024 IST

ଚଣ୍ଡିଗଡ଼ ୧୮।୯: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବୁଧବାର କଂଗ୍ରେସର ଘୋଷଣାପତ୍ର ଜାରି ହୋଇଛି। ପାର୍ଟି ମାନିଫେଷ୍ଟୋ ରୂପେ ଭୋଟରଙ୍କୁ ୭ଟି ଗ୍ୟାରେଣ୍ଟି ଦେଇଛି। ଘୋଷଣାପତ୍ରରେ କଂଗ୍ରେସ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ଓ ସରକାରୀ କର୍ମଚାରୀଙ୍କ ନିମନ୍ତେ ପୁରୁଣା ପେନସନ ଯୋଜନା ସମେତ ଅନେକ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଛି। ଏହି ଅବସରରେ ଭୂପେନ୍ଦ୍ର ହୁଡ୍ଡା ହରିୟାଣାକୁ ଦେଶର ୧ ନମ୍ବର ରାଜ୍ୟରେ ପରିଣତ କରିବେ ବୋଲି ଘୋଷଣା କରିଛନ୍ତି। 

କଂଗ୍ରେସର ଘୋଷଣାପତ୍ରକୁ ନେଇ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ହୁଡ୍ଡା କହିଛନ୍ତି ଯେ ୧୯୬୬ ମସିହାରେ ଇନ୍ଦିରା ଗାନ୍ଧି ହରିୟାଣା ଗଠନ କରିଥିଲେ। ସେବେଠାରୁ ୨୦୧୪ ମସିହା ପର୍ଯ୍ୟନ୍ତ ହରିୟାଣା ବିଭିନ୍ନ କ୍ଷେତ୍ରରେ ପ୍ରଗତି କରିଛି, ହେଲେ ଗତ ୧୦ ବର୍ଷରେ ହରିୟାଣା ବହୁତ ପଛକୁ ଚାଲିଯାଇଛି। ହରିୟାଣାକୁ ଆମେ ପୁଣି ନମ୍ବର ୱାନ କରିବୁ ବୋଲି ହୁଡ୍ଡା ଘୋଷଣା କରିଛନ୍ତି। କଂଗ୍ରେସ ଘୋଷଣାପତ୍ରରେ ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ଯୋଜନାକୁ ପ୍ରାଥମିକତା ଦେଇଛି। 


ଏହା ସହିତ ରାଜ୍ୟର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଖାଲିପଡିଥିବା ୨ ଲକ୍ଷ ପଦବୀର ତୁରନ୍ତ ପୁରଣ ସହ ରାଜ୍ୟକୁ ନିଶାମୁକ୍ତ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି। ସେହିପରି ରାଜ୍ୟରେ ସରକାର ହେବା ପରେ ଚିରଞ୍ଜିବୀ ଯୋଜନାରେ କଂଗ୍ରେସ ୨୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସେବା, ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର, ଦିବ୍ୟାଙ୍ଗ, ବୃଦ୍ଧ ଓ ବିଧବାଙ୍କୁ ୬ ହଜାର ଟଙ୍କା ଭତ୍ତା ଆଦି ପ୍ରତିଶ୍ରୁତି ଦେଇଛି। 


ଘୋଷଣାପତ୍ର ଜାରି ଅବସରରେ ଉପସ୍ଥିତ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ଆମେ ଆଜି ଯେଉଁ ୭ ଗ୍ୟାରେଣ୍ଟି ଦେଉଛୁ ରାଜ୍ୟରେ କଂଗ୍ରେସ ସରକାର କଲେ ଲାଗୁ କରିବ ବୋଲି କହିଛନ୍ତି। ଏହା ଛଡା କେନ୍ଦ୍ର ସରକାର ୩୦ରୁ ୩୫ ଲକ୍ଷ ଚାକିରୀ ଅଟକାଇ ରଖିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ବିଜେପି ଡବଲ ଇଞ୍ଜିନ ସରକାରରେ ଗୋଟେ ଇଞ୍ଜିନ ଆଗକୁ ଭିଡୁଥିବା ବେଳେ ଆଉ ଗୋଟେ ଇଞ୍ଜିନ ପଛକୁ ଟାଣୁଛି। ଏଣୁ ରାଜ୍ୟ ବିକାଶ କରିବା ବଦଳେ ଯେଉଁଠି ସେଇଠି ଅଟକି ରହିଛି। ତେବେ ଆମେ ସରକାରରେ ଏକ୍ସପ୍ରେସ ଇଞ୍ଜିନ ଲଗାଇବୁ ବୋଲି ସେ କହିଛନ୍ତି। କାରଣ ୧୦ ବର୍ଷରେ ବିଜେପି ଯେଉଁ କ୍ଷତି କରିଛି ଆମେ ତାର ରିପେୟାର ବି କରିବୁ ବୋଲି କହିଛନ୍ତି।    

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.