ବିହାରରେ PK ଇଫେକ୍ଟ ! କାମ୍ୟା ମିଶ୍ରାଙ୍କ ପରେ ଚର୍ଚ୍ଚିତ IPS ଅଫିସର ଶିବଦୀପ ଲାଣ୍ଡେଙ୍କ ଇସ୍ତଫା

Published By : Prameya-News7 Bureau | September 19, 2024 IST

ନୂଆଦିଲ୍ଲୀ: ବିହାରର କିଛି ଚର୍ଚ୍ଚିତ ଆଇପିଏସ୍ ଅଫିସର ନିଜର ଭବିଷ୍ୟତ ରଣନୀତି ଉପରେ କାମ କରୁଥିବା ଚର୍ଚ୍ଚା ହେଉଛି । କାରଣ ଆଇପିଏସ୍ କାମ୍ୟା ମିଶ୍ରାଙ୍କ ପରେ ଆଇପିଏସ୍ ଶିବଦୀପ ଲାଣ୍ଡେ ଏବେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବିହାରର ଚର୍ଚ୍ଚିତ ଆଇପିଏସ୍ ଅଫିସର ଶିବଦୀପ ଲାଣ୍ଡେ ଗୁରୁବାର ନିଜ ଇସ୍ତଫା ଘୋଷଣା କରିଛନ୍ତି । ରାଜ୍ୟର ନିଶା କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚର୍ଚ୍ଚିତ ହୋଇଥିବା ଶିବଦୀପ ହଠାତ୍ ଫେସବୁକ୍ ପୋଷ୍ଟ ଜରିଆରେ ନିଜ ଇସ୍ତଫା ଘୋଷଣା କରିଛନ୍ତି । ଏହାପରେ ଆଇପିଏସ୍ ଅଧିକାରୀଙ୍କ ବୟାନ ମଧ୍ୟ ସାମନାକୁ ଆସିଛି । ଶିବଦୀପ ଲାଣ୍ଡେ ମିଡିଆକୁ ପ୍ରତିକ୍ରିୟା ଦେଇ କହିଛନ୍ତି, 'ମୁଁ ବ୍ୟକ୍ତିଗତ କାରଣରୁ ଭାରତୀୟ ପୋଲିସ ସେବା ଚାକିରିକୁ ଇସ୍ତଫା ଦେଇଛି ।'

ପୂର୍ଣ୍ଣିଆ ରେଞ୍ଜ ଆଇଜି ଶିବଦୀପ ନିଜ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି, '୧୮ ବର୍ଷ ସରକାରୀ ପଦରେ ନିଜ ସେବା ଦେବା ପରେ ଆଜି ମୁଁ ଏହି ପଦରୁ ଇସ୍ତଫା ଦେଉଛି । ଏତେ ବର୍ଷ ଧରି ମୁଁ ବିହାରକୁ ନିଜଠୁ ଏବଂ ନିଜ ପରିବାରଠାରୁ ଉପରେ ରଖିଛି । ମୋର ସରକାରୀ ସେବକର କାର୍ଯ୍ୟକାଳରେ କୌଣସି ତ୍ରୁଟି ହୋଇଥାଏ ତେବେ ଏଥିପାଇଁ କ୍ଷମା ପ୍ରାର୍ଥୀ । ଆଜି ମୁଁ ଭାରତୀୟ ପୋଲିସ ସେବାରୁ ଇସ୍ତଫା ଦେଉଛି, କିନ୍ତୁ ମୁଁ ବିହାରରେ ରହିବି ଏବଂ ବିହାର ମୋର କର୍ମଭୂମି ରହିବ ।'

ଉଲ୍ଲେଖଯୋଗ୍ୟ ଯେ କିଛି ପୂର୍ବେ ଶିବଦୀପ ଲାଣ୍ଡେଙ୍କୁ ପୂର୍ଣ୍ଣିଆ କ୍ଷେତ୍ରର ଆଇଜି ନିଯୁକ୍ତ କରାଯାଇଥିଲା । ପୂର୍ଣ୍ଣିଆ, ଅରରିଆ ଏବଂ ମୁଙ୍ଗେରରେ ଏସ୍‌ପି ଭାବେ ସେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଶିବଦୀପ ଲାଣ୍ଡେ ଜଣେ ଦବଙ୍ଗ ଅଫିସର ଭାବେ ପୂରା ବିହାରରେ ପରିଚିତ । ଆଇପିଏସ୍ କାମ୍ୟା ମିଶ୍ରାଙ୍କ ପରେ ଆଇପିଏସ୍ ଶିବଦୀପ ଲାଣ୍ଡେଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି । ଆଇପିଏସ୍ କାମ୍ୟା ମିଶ୍ରାଙ୍କ ଇସ୍ତଫାକୁ ସରକାର ବର୍ତ୍ତମାନ ସୁଦ୍ଧା ଗ୍ରହଣ କରିନାହାନ୍ତି । ଅନୁମାନ କରାଯାଉଛି ଯେ ଅକ୍ଟୋବର ୨ରେ ଲଞ୍ଚ୍‌ ହେବାକୁ ଥିବା ପ୍ରଶାନ୍ତ କିଶୋରଙ୍କ ଜନ ସ୍ୱରାଜ ପାର୍ଟିରେ ସାମିଲ ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.