ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ୱାଶିଂଟନ ଡିସିକୁ ସଂପୂର୍ଣ୍ଣ ସଫାସୁତୁରା ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ସେ ଡେମୋକ୍ରାଟ ମେୟର ମ୍ୟୁରିୟଲ ବାଉଜରଙ୍କୁ ସହରର ଜାଗା ଜାଗାରେ ଲାଗିଥିବା ଲୋକଙ୍କ ଟେଣ୍ଟ ହଟାଇବାକୁ କହିଥିଲେ । ସେ ଏହା ମଧ୍ୟ କହିଥିଲେ ଯଦି ୱାଶିଂଟନ ପ୍ରଶାସନ ଏହା କରିବାରେ ଅସମର୍ଥ ତେବେ ସେ ନିଜ ହାତରେ ଏସବୁ କରିବେ । ଟ୍ରମ୍ପଙ୍କ ଏହି ନିର୍ଦ୍ଦେଶ ପଛର କାରଣ ସାମ୍ନାକୁ ଆସି ଯାଇଛି । ଟ୍ରମ୍ପ କହିଛନ୍ତି, ସେ ଚାହୁଁ ନ ଥିଲେ ଅନ୍ୟ ଦେଶର ନେତା ଆମେରିକା ରାଜଧାନୀରେ ଟେଣ୍ଟ, ମଇଳା ଓ ଗାଡ ନ ଦେଖନ୍ତୁ ।
ଟ୍ରମ୍ପ ଡିପାର୍ଟମେଣ୍ଟ ଅଫ ଜଷ୍ଟିସରେ ଶୁକ୍ରବାର କହିଛନ୍ତି ଆମେ ଏହି ସହରରକୁ ସଫା ରଖିବା । ଆମେ ଏହି ମହାନ ରାଜଧାନୀକୁ ସ୍ୱଚ୍ଛ ରଖିବା । ଆମେ ଏଠାରେ ଅପରାଧ ହେବାକୁ ଦେବା ନାହିଁ । ଜାଗା ଜାଗାରେ ଲାଗିଥିବା ଟେଣ୍ଟକୁ ହଟାଇବା ସହ ଖାଲଖମା ସବୁ ଭର୍ତ୍ତି କରିବା । ଆମେ ୱାଶିଂଟନ ଡିସି ପ୍ରଶାସନ ସହ ମିଶି କାମ କରୁଛୁ ।
ଟ୍ରମ୍ପ ଏହା ମଧ୍ୟ କହିଛନ୍ତି, ଯେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଫ୍ରାନ୍ସର ରାଷ୍ଟ୍ରପତି ଓ ୟୁନାଇଟେଡ କିଙ୍ଗଡମର ପ୍ରଧାନମନ୍ତ୍ରୀ ସମେତ ସମଗ୍ର ଦୁନିଆର ବଡ ବଡ ନେତା ଗତ ଦିନରେ ମୋତେ ଭେଟିବାକୁ ଆସିଲେ, ମୁଁ ସେମାନଙ୍କୁ ସହରର ଅପରିଷ୍କାର ସ୍ଥାନ, ଟେଣ୍ଟ ଦେଖାଇବାକୁ ଚାହୁଁ ନ ଥିଲି ।
ଟ୍ରମ୍ପ କହିଛନ୍ତି, ଆମେ ଏହାକୁ ସୁନ୍ଦର ଓ ଅପରାଧମୁକ୍ତ ରାଜଧାନୀ କରିବାକୁ ଯାଉଛୁ । ଏଠାକୁ ଲୋକେ ଆସିଲେ ଯେମିତି ଲୁଟର ଶିକାର ନ ହେବେ ସେଥିପ୍ରତି ଧ୍ୟାନ ଦିଆଯିବ । ଗୁଳିକାଣ୍ଡ ଯେମିତି ନ ହୁଏ ଆଇନ ଶୃଙ୍ଖଳା ବ୍ୟବସ୍ଥା କଡାକଡି କରାଯିବ । ପୂର୍ବାପେକ୍ଷା ଅଧିକ ସୁରକ୍ଷିତ ରହିବ ସହର ।