ମହାରାଷ୍ଟ୍ରରେ ଭୋଟଗ୍ରହଣ ବୁଧବାର କାହିଁକି? କାରଣ କହିଲେ EC

Published By : Prameya-News7 Bureau | October 16, 2024 IST

ନୂଆଦିଲ୍ଲୀ ୧୬।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିମନ୍ତେ ତାରିଖ ଘୋଷଣା ହୋଇସାରିାଲଣି। ରାଜ୍ୟର ୨୮୮ ବିଧାନସଭା ଆସନ ନିମନ୍ତେ ୨୦ ନଭେମ୍ବର ବୁଧବାର ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ ହେବ। ଏଥି ପାଇଁ ନିର୍ବାଚନ ଆୟୋଗ (ଇସି) ମତଦାନ ନିମନ୍ତେ ବୁଧବାର ଦିନକୁ କାହିଁକି ବାଛିଲେ ସେ ସମ୍ପର୍କରେ କହିଛନ୍ତି। ଇସି ୧୫ ଅକ୍ଟୋବର ବୁଧବାର ଦିଲ୍ଲୀରେ ସାମ୍ବାଦିନକ ସମ୍ମିଳନୀ କରି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଘୋଷଣା କରିଥିଲେ। ଏହି ଅବସରରେ ଆୟୋଗ ଜାଣିଶୁଣି ବୁଧବାର ଦିନକୁ ଭୋଟ ଦାନ ଦିନ ରୂପେ ଚୟନ କରିଥିବା କହିଛନ୍ତି। 

ଏହା ପଛର ସେ ଯେଉଁ କାରଣ କହିଛନ୍ତି ତାହା ହେଉଛି ୱିକେଣ୍ଡ। ଇସି କହିଛନ୍ତି ଯେ ଭୋଟ ଦାନ ନିମନ୍ତେ ବୁଧବାରକୁ ଏଥି ପାଇଁ ବଛା ଯାଇଛି ଯେ ଏହି ଦିନକୁ କେହି ୱିକେଣ୍ଡ ସହ ଯୋଡି ଦେଖି ପାରିବେ ନାହିଁ। ଏଣୁ ବୁଧବାରକୁ ଭୋଟ ଦାନ ଦିବସ ରୂପେ ବାଛିବା ଦ୍ୱାରା ସହରାଞ୍ଚଳ ଭୋଟରଙ୍କ ଋଚି ଭୋଟ ନିମନ୍ତେ ବଢିବ ବୋଲି ନିର୍ବାଚନ ଆୟୋଗ ବିଚାର କରୁଛନ୍ତି।  ଉଲ୍ଲେଖଯୋଗ୍ୟ ଯେ ପ୍ରାୟତଃ ମତଦାନ ସୋମବାର ନଚେତ ଶୁକ୍ରବାର ହୋଇଥାଏ। ଏଣୁ ଛୁଟି ଦିନ ସାଙ୍ଗକୁ ଅଧିକ ଦିନେ ଛୁଟି ମିଳୁଥିବାରୁ ଓ ଛୁଟି ଦିନ ପୂର୍ବରୁ ଦିନଟିଏ ଛୁଟି ମିଳୁଥିବାରୁ ଲୋକେ ଭୋଟ ନ ଦେଇ  ପରିବାର ସହ ବୁଲାବୁଲି କରିବାକୁ ବାହାରିଯାଉଛନ୍ତି। ଏଣୁ ମତଦାନ ପ୍ରତିଶତ ହ୍ରାସ ହେଉଛି। ଏହାକୁ ନଜରରେ ରଖି ଇସି ବୁଧବାର ଅର୍ଥାତ ନଭେମ୍ବର ୨୦ରେ ଭୋଟଗ୍ରହଣ କରିବାକୁ ଘୋଷଣା କରିଛନ୍ତି। 

ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାରଙ୍କ ଅନୁସାରେ ମହାରାଷ୍ଟ୍ରରେ ମୋଟ ୯.୬୩ କୋଟି ଭୋଟର ଅଛନ୍ତି। ଏମାନଙ୍କ ମଧ୍ୟରୁ ୪.୯୭ କୋଟି ପୁରୁଷ ହୋଇଥିବା ବେଳେ ବାକି ୪.୬୬ କୋଟି ମହିଳା ଭୋଟର । ଏଥର ୨୦.୯୩ଲକ୍ଷ ଯୁବକ ପ୍ରଥମ ଥର ମତାଧିକାର ପ୍ରୟୋଗ କରିବେ, ଏମାନଙ୍କ ମଧ୍ୟରୁ ୧୨.୪୩ ଲକ୍ଷ ୮୫ ବର୍ଷ ଊର୍ଦ୍ଧ୍ୱ ବୟଷ୍କ ଭୋଟର ଅଛନ୍ତି।   ସିଇସିଙ୍କ ଅନୁସାରେ ଫାଷ୍ଟ ଟାଇମ ଭୋଟରଙ୍କ ମଧ୍ୟରେ ୬,୦୩୧ ଜଣ ଟ୍ରାନ୍ସଜେଣ୍ଡର ଅଛନ୍ତି। ୧.୮୫କୋଟି ଯୁବ ଭୋଟରଙ୍କ ସଂଖ୍ୟା ୨୦.୨୯ ବର୍ଷ ମଧ୍ୟରେ। 

ଏଥର ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିମନ୍ତେ ମୋଟ ୧,୦୦୧୮୬ଟି ମତଦାନ କେନ୍ଦ୍ର ସ୍ଥାପନା କରାଯିବ। ସେହିପରି ଗତ ଥର ଭଳି ଏଥର ମଧ୍ୟ ଦିବ୍ୟାଙ୍ଗ ଓ ମହିଳାଙ୍କ ଭୋଟଦାନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ଏହା ଛଡା ମତଦାତାଙ୍କ ନିମନ୍ତେ ପୋଲିଂ ଧାଡିରେ ଚେୟାର ଓ ବେଞ୍ଚ ପକାଯିବାର ମଧ୍ୟ ବ୍ୟବସ୍ଥା କରାଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.