SCOରେ ଆତଙ୍କବାଦ ଓ ବିଛନ୍ନତାବାଦ ନେଇ ପାକିସ୍ତାନକୁ ଝାଡିଲେ, ଜାଣନ୍ତୁ କ’ଣ କହିଲେ ଜୟଶଙ୍କର?

Published By : Prameya-News7 Bureau | October 16, 2024 IST

ଇସ୍ଲାମାବାଦ ୧୬।୧୦: ଭାରତର ବୈଦେଶିକ ମନ୍ତ୍ରୀ ଡ. ଏସ୍.ଜୟଶଙ୍କର ସଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ବୈଠକରେ ଯୋଗ ଦେବା ପାଇଁ ଏବେ ପାକିସ୍ତନ ଗସ୍ତରେ ଅଛନ୍ତି। ବିଦେଶ ମନ୍ତ୍ରାଳୟଙ୍କ ବୟାନ ଅନୁସାରେ ଡ. ଜୟଶଙ୍କର ଏହି ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି। ଏହିକ୍ରମରେ ସେ ଇସ୍ଲାମାବାଦରେ ଏସସିଓ ପରିଷଦର ଶାସନାଧ୍ୟକ୍ଷଙ୍କ ୨୩ତମ ବୈଠକକୁ ସମ୍ବୋଧିତ କରିଛନ୍ତି। ଏଥିରେ ପାକିସ୍ତାନ ଉପରେ ଆତଙ୍କବାଦ ଓ ବିଛିନ୍ନତା ବାଦ ପ୍ରସଙ୍ଗରେ ଡ. ଜୟଶଙ୍କର ବର୍ଷିଛନ୍ତି। 

ସେ କହିଛନ୍ତି ଯେ ଆତଙ୍କବାଦ, ବିଛିନ୍ନତାବାଦ ଓ ମୌଳବାଦରୁ ବର୍ତ୍ତିକି ରହିବା ଦରକାର। ଭଲ ସମ୍ପର୍କ ପାଇଁ ଭରସା ଜରୁରି, ସମସ୍ତେ ସମସ୍ତଙ୍କର ସାର୍ବଭୌମତ୍ୱକୁ ସମ୍ମାନ କରିବା ମଧ୍ୟ ଜରୁରି।  ଡ.ଜୟଶଙ୍କର କହିଛନ୍ତି ଯେ ଏପରି ଅନେକ ବାଧା ଅଛି ଯାହା ବିକାଶକୁ ପ୍ରଭାବିତ କରୁଛି, ଏଥିରେ କ୍ଲାଇମେଟ, ସପ୍ଲାଇ ଚେନ ଓ ଆର୍ଥିକ ଅସ୍ଥିରତା ଆଦି ରହିଛି। ତେବେ ଏସସିଓର ମୁଖ୍ୟ ଲକ୍ଷ ଆତଙ୍କବାଦ, ବିଛିନ୍ନତାବାଦ ଓ ମୌଳବାଦର ମୁକାବିଲା କରିବା, ଯାହା ବର୍ତ୍ତମାନ ସମୟରେ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। ଏସସିଓକୁ ଏହି ୩ ସମସ୍ୟାର ମୁକାବିଲା ଲାଗି  ଦୃଢ ସଂକଳ୍ପ ନେବାକୁ ପଡିବ। 

ଏହା ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ସହବାଜ ସରିଫ ଇସ୍ଲାମାବାଦରେ ଏସସିଓ ଶିଖର ସମ୍ମିଳନୀ ଆୟୋଜନ ସ୍ଥଳରେ ଭାରତର ବୈଦେଶିକ ମନ୍ତ୍ରୀ ଡ. ଏସ. ଜୟଶଙ୍କରଙ୍କୁ ସ୍ୱାଗତ କରିଥିଲେ। ଜୟଶଙ୍କର ପାରସ୍ପାରିକ ପ୍ରସଙ୍ଗର ସମାଧାନ ଲାଗି ଏସସିଓ ସଦସ୍ୟ ଦେଶଙ୍କ ମଧ୍ୟରେ ସହଯୋଗର ମହତ୍ୱ ଉପରେ ଜୋର ଦେଇଛନ୍ତି। ସେ କ୍ଷେତ୍ରିୟ ସ୍ଥିରତା ଓ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଭାରତର ସମର୍ପଣର କଥା ମଧ୍ୟ ଦୋହରାଇଛନ୍ତି।  ବିଦେଶ ମନ୍ତ୍ରୀ କହିଛନ୍ତି ଯେ ଏକତରଫା ଭାବେ ନୁହେଁ, ସହଯୋଗ ପାରସ୍ପରିକ ସମ୍ମାନ ଓ ସାର୍ବଭୌମତ୍ୱ ସମାନତା ଆଧାରରେ ହେବା ଦରକାର। କ୍ଷେତ୍ରିୟ ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ମାନ୍ୟତା ଦିଆଯିବା ଦରକାର। 

ଏହି ଅବସରରେ ଡ.ଜୟଶଙ୍କର ସିପିଇସିକୁ ଇସାରା କରି କହିଛନ୍ତି ଯେ ଯଦି ଆମେ ବୈଶ୍ୱିକ ପ୍ରଥାକୁ ବ୍ୟାପାର ଓ ବ୍ୟାପାର ମାର୍ଗ ନିମନ୍ତେ ଆଗକୁ ବଢାଇବା ତେବେ ଏସସିଓର ପ୍ରଗତି ହୋଇ ପାରିବ ନାହିଁ। ୨୦୧୫ ମସିହାରେ ଚୀନ-ପାକିସ୍ତାନ ଇକୋନମିକ କରିଡୋର (ସିପିଇସି)ର ଗଠନ ହୋଇଥିଲା। ଏହି ପ୍ରକଳ୍ପ ଭାରତ ନିଜ କ୍ଷେତ୍ର ମାନୁଥିବା ପାକ୍ ଅଧିକୃତ କାଶ୍ମୀର ଦେଇ ଯାଉଛି। ଏହାର ଉଦ୍ଦେଶ୍ୟ ଉପସାଗରୀୟ ଦେଶମାନଙ୍କରୁ ଆସୁଥିବା ତୈଳ ଓ ଗ୍ୟାସକୁ ବନ୍ଦର, ରେଳ ଏବଂ ସଡକ ମାର୍ଗରେ ଅଳ୍ପ ସମୟ ଓ କମ ଖର୍ଚ୍ଚରେ ଚୀନ୍‌କୁ ପହଞ୍ଚାଇବା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.