ଭୁବନେଶ୍ୱର, ୦୬/୦୩: ‘ସୁଭଦ୍ରା’ ଯୋଜନାରେ ଗୁରୁବାର ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା। ପ୍ରାୟ ୨ ଲକ୍ଷ ୩୦ ହଜାରରୁ ଅଧିକ ନୂଆ ହିତାଧିକାରୀଙ୍କୁ ଡିବିଟିରେ ଏହି ଟଙ୍କା ପ୍ରଦାନ କରାଯିବ । ଦିନ ସାଢେ ୧୨ଟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରୁ ଆବାସୀ ମାଧ୍ୟମରେ ଶୁଭାବମ୍ଭ କରିବେ । ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ସିଧାସଳଖ ୫ ହଜାର ଟଙ୍କା ପଠାଯିବା । ପଞ୍ଚମ ପର୍ଯ୍ୟାୟକୁ ମିଶାଇ ସୁଭଦ୍ରା ଯୋଜନାରେ ହାତାଧିକାରୀ ସଂଖ୍ୟା କୋଟିଏ ପାର୍ କରିଛି । ରାଜ୍ୟ ସରକାର ନୂଆ ହିତାଧିକାରୀଙ୍କ ପାଇଁ ଅତିରିକ୍ତ ୧୧୫ କୋଟି ଟଙ୍କା ଖର୍ଚ୍ଚ କରିବେ ।
ସେପଟେ ଆଉ ଦିନକ ପରେ ଅର୍ଥାତ୍ ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଯୋଜନାରେ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ । ଅନ୍ୟପଟେ ମାର୍ଚ୍ଚ ୩୧ ତାରିଖ ଯାଏଁ ‘ସୁଭଦ୍ରା’ ଆବେଦନ ପ୍ରକ୍ରିୟା ଚାଲିବ । ଜଣେ ବି ମହିଳା ଯେପରି ଏହି ଯୋଜନାରୁ ବାଦ୍ ନପଡ଼ିବେ, ସେନେଇ ଘରେ ଘରେ ଯୋଗ୍ୟ ହିତାଧିକାରୀ ଖୋଜିବେ ରାଜ୍ୟ ସରକାର । ଡୋର୍ ଟୁ ଡୋର୍ ସର୍ଭେ ହେବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ‘ସୁଭଦ୍ରା’ ଯୋଜନାରେ ୧ କୋଟି ୮ଲକ୍ଷ ମହିଳା ଆବେଦନ କରିଛନ୍ତି । ୫ଟି ପର୍ଯ୍ୟାୟରେ ୨ ଲକ୍ଷ ୩୦ ହଜାର ମହିଳାଙ୍କୁ କିସ୍ତି ପ୍ରଦାନ କରାଗଲେ ଏହି ସଂଖ୍ୟା କୋଟିଏ ୨୦ ହଜାର ପାର୍ କରିବ । ସେହପରି ଡୋର ଟୁ ଡୋର ଯାଞ୍ଚ ପରେ ରକ୍ଷା ବନ୍ଧନରେ ସମସ୍ତ ନୂଆ ହିତାଧିକାରୀଙ୍କୁ ଏକସଙ୍ଗରେ ୩ଟି କିସ୍ତି ମିଳିବ ।